ଅନଲାଇନ୍ ଠକେଇ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ, ସାରା ଦେଶରେ ଲାଗୁ ହେବ SOP

NEWS7
mahanadi-re-budi-jubak-nka-mrutyu

ନୂଆଦିଲ୍ଲୀ ୧୦/୦୨: ଡିଜିଟାଲ୍ ଆରେଷ୍ଟ୍ ଜରିଆରେ ପୀଡ଼ିତମାନେ ୫୪ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ହରାଇବା ଘଟଣା ଡକାୟତିଠାରୁ କିଛି କମ୍ ନୁହେଁ। ଏଭଳି ଅପରାଧକୁ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ, ଦୂର ସଂଚାର ବିଭାଗ ଓ ଅନ୍ୟ ଅଂଶୀଦାରମାନଙ୍କ ପରାମର୍ଶରେ ଏକ ଏସ୍ଓପି ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ୍ ଏନ୍‌ଭି ଅଞ୍ଜରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଡିଜିଟାଲ୍ ଆରେଷ୍ଟ୍ରେ ଯେତିକି ଅର୍ଥ ପୀଡ଼ିତମାନେ ହରାଇଛନ୍ତି ତାହା କେତେକ ଛୋଟ ରାଜ୍ୟର ବଜେଟ୍ର ଆକାରଠାରୁ ମଧ୍ୟ ଅଧିକ। ବ୍ୟାଙ୍କ ଅଧିକାରୀମାନଙ୍କ ମଧ୍ୟରେ ଅସାଧୁ ମେଣ୍ଟ କିମ୍ବା ସେମାନଙ୍କ ଅସାବଧାନତାରୁ ଏପରି ହେଉଥାଇପାରେ।

ରିଜର୍ଭ ବ୍ୟାଙ୍କ ଓ ବ୍ୟାଙ୍କଗୁଡ଼ିକ ଏ ନେଇ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।ଏଥିସହିତ ସୁପ୍ରିମକୋର୍ଟ କେତେକ ନୂଆ ନିର୍ଦ୍ଦେଶନାମା ମଧ୍ୟ ଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଟେଲିକମ୍ ବିଭାଗ ଦ୍ବାରା ପ୍ରସ୍ତୁତ ଏସ୍ଓପିଗୁଡ଼ିକୁ ବିଚାର କରି ଏଭଳି ଅପରାଧର କଡ଼ା ମୁକାବିଲା ପାଇଁ ଏକ ଚିଠା ଏମ୍ଓୟୁ ୪ ସପ୍ତାହ ମଧ୍ୟରେ ପ୍ରସ୍ତୁତ କରି ଆସିବା ଲାଗି ଗୃହ ମନ୍ତ୍ରାଳୟକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଥିଲେ ଯେ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଏ ନେଇ ଏକ ଏସ୍ଓପି ପ୍ରସ୍ତୁତ କରିଛନ୍ତି।

ଏଥିରେ ସାଇବର ଠକେଇକୁ ରୋକିବା ଲାଗି ସାମୟିକ ଭାବେ ଡେବିଟ୍ କାର୍ଡକୁ ବ୍ଲକ୍ କରିବା ବ୍ୟବସ୍ଥା ରହିଛି। ତେଣୁ ରିଜର୍ଭ ବ୍ୟାଙ୍କର ଏସ୍ଓପିକୁ ଅନୁଧ୍ୟାନ କରିବା ପାଇଁ ଗୃହ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଡିଜିଟାଲ୍ ଆରେଷ୍ଟ୍ ମାମଲାଗୁଡ଼ିକୁ ଚିହ୍ନଟ କରିବା ଲାଗି ସୁପ୍ରିମକୋର୍ଟ ସିବିଆଇକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ମାମଲାର ତଦନ୍ତ ଅନୁମତି ସିବିଆଇକୁ ଦେବାଲାଗି ସୁପ୍ରିମକୋର୍ଟ ଗୁଜରାଟ ଓ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

also read...

ବାଚସ୍ପତିଙ୍କୁ ଚିଠି ଲେଖିଲେ ପ୍ରିୟଙ୍କାଙ୍କ ସହ ୬ ମହିଳା ସାଂସଦ, କହିଲେ- 'ସରକାର ଚାପ ପକାଉଛନ୍ତି, ଆମକୁ ନ୍ୟାୟ ଦିଅ...'