LIVE TV

ବଙ୍ଗୋପସାଗରରେ ହଲଚଲ, ଓଡ଼ିଶା ଲାଗି IMDଙ୍କ ଚେତାବନୀ, ଏହି ସବୁ ରାଜ୍ୟ ନିମନ୍ତେ ରହିଛି ବର୍ଷା ଆଶଙ୍କା

NEWS7
mahabishuba-sankranti

ନୂଆଦିଲ୍ଲୀ ୨୪।୧୦: ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଶୁକ୍ରବାର ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଭାଗରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାର ସୂଚନା ଦେଇଛନ୍ତି। ଏହାର ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳରେ ବର୍ଷା ଆଶଙ୍କା କରାଯାଉଛି। ଆଇଏମଡି ଓଡ଼ିଶାରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ବର୍ଷା ପୂର୍ବାନୁମାନ କରିଛନ୍ତି। ଆଇଏମଡିଙ୍କ ଅନୁସାରେ ଓଡି଼ଶାରେ ଶୁକ୍ରବାରରୁ ସୋମବାର ଅର୍ଥାତ ଅକ୍ଟୋବର ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଗତିବିଦ୍ଧି ଜାରି ରହିବ।

ପାଣିପାଗ ବିଭାଗଙ୍କ ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ନିକଟରେ ବାୟୁର ଉପରି ଭାଗରେ ଘୂର୍ଣ୍ଣିବଳୟ ହେବା ଯୋଗୁ ଲଘୁଚାପ ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢିବା ସହିତ ଅଧିକ ମଜଭୁତ ହେବ ବୋଲି ଅନୁମାନ କରାଯାଉଛି।  ଏଥି ପାଇଁ ପାଣିପାଗ ବିଭାଗ ଶୁକ୍ରବାର ଓଡ଼ିଶାର ୧୨ ଜିଲ୍ଲା ନିମନ୍ତେ ହାଲୁକାରୁ ମଧ୍ୟମ ବର୍ଷା ଚେତାବନୀ ଜାରି କରିଛନ୍ତି। ଶନିବାର ଓ ରବିବାର ୨୧ ଜିଲ୍ଲାରେ ବର୍ଷାର ପ୍ରଭାବ ରହିବ। ସୋମବାର ଅର୍ଥାତ ଅକ୍ଟୋବର ୨୭ ତାରିଖ ଦିନ ସାରା ଓଡ଼ିଶାରେ ବର୍ଷା ହେବ।

ପାଣିପାଗ ବିଭାଗଙ୍କ ପୂର୍ବାନୁମାନ ଅନୁସାରେ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚୀରେ ୨୪ ଓ ୨୫ ଅକ୍ଟୋବରରେ ଆକାଶ ବାଦଲରେ ଛାଇ ରହିବ, ଏହା ସହିତ ଗଡ଼ଘଡ଼ି ବିଜୁଳି ସହ ବର୍ଷା ମଧ୍ୟ ହୋଇ ପାରେ। ଏହା ଛଡା ତାମିଲନାଡୁ, ଲକ୍ଷଦ୍ୱୀପ, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ମଧ୍ୟ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ବର୍ଷା ଆକଳନ କରାଯାଇଛି। ଆଇଏମଡି କେରଳ ଓ ଉପକୂଳ କର୍ଣ୍ଣାଟକ ନିମନ୍ତେ ଅକ୍ଟୋବର ୨୪ରେ ଭୀଷଣ ବର୍ଷା ଆକଳନ କରିଛନ୍ତି। ଏହି ସମୟରେ ଉପକୂଳ ଆନ୍ଧ୍ରପ୍ରଦେଶରେ ଅକ୍ଟୋବର ୨୫ ପର୍ଯ୍ୟନ୍ତ ଭୀଷଣ ବର୍ଷା ଅନୁମାନ କରାଯାଉଛି।