ଦିଲ୍ଲୀରେ ଗର୍ଜିଲେ ଟିଏମସି ଏମପି : ଶାହଙ୍କ ବାସଭବନ ଆଗରେ ଧାରଣ, ଉଠାଇ ନେଲା ପୋଲିସ

NEWS7
lover-in-sadhu-gate-up-captured-and-tortured-by-youths-in-jajpur-road

ନୂଆଦିଲ୍ଲୀ, ୦୯/୦୧: ପଶ୍ଚିମବଙ୍ଗରେ ରାଜନୀତି ସରଗରମ । ବିଧାନସଭା ନିର୍ବାଚନ ପୂର୍ବରୁ ମୁହାଁମୁହିଁ ଟିଏମସି ଏବଂ କେନ୍ଦ୍ର ସରକାର । ଗୁରୁବାର କୋଲକାତାରେ ଆଇ-ପ୍ୟାକ୍ ର କାର୍ଯ୍ୟାଳୟରେ ଇଡି ଚଢଉ କରିଥିଲା । କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଥିଲା କେନ୍ଦ୍ରୀୟ ସଂସ୍ଥା । ଯାହାକୁ ନେଇ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହୋ ହଲ୍ଲା କରିଥିଲେ । ସଲ୍ଟ୍ ଲେକ୍ ପାଖରେ ଥିବା ଆଇ-ପ୍ୟାକ୍ କାର୍ଯ୍ୟାଳୟ ଆଗରେ ସେ ଧାରଣା ଦେବା ସହ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ । ଶୁକ୍ରବାର ଟିଏମସିର ଆନ୍ଦୋଳନ ଦିଲ୍ଲୀରେ ପହଁଚିଛି । ଅମିତ ଶାହଙ୍କ ବାସଭବନର ଆଗରେ ବିରୋଧ ପ୍ରଦର୍ଶନ ବେଳେ ଟିଏମସି ନେତା ଏବଂ କର୍ମୀଙ୍କୁ ପୋଲିସ ଉଠାଇ ନେଇଛି ।

ଗୁରୁବାର ଇଡିର ଆକ୍ସନ୍ ପରେ ମମତା ଆନ୍ଦୋଳନ କରିବେ ବୋଲି ଧମକ ଦେଇଥିଲେ । ଇଡି ନିର୍ବାଚନ ଆଗରୁ ଟିଏମସିର କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ନେଇଯାଇଥିବା ସେ ଅଭିଯୋଗ କରିଥିଲେ । ଯାହାକୁ ନେଇ ଆଜି ଦିଲ୍ଲୀରେ ଏକାଠି ହୋଇଛନ୍ତି ଟିଏମସି ନେତା ଏବଂ ସାଂସଦ । ଏହାସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ଆଗରେ ଧାରଣା ଦେଇଛନ୍ତି । ତେବେ ଧାରଣ ଦେବା ସମୟରେ ପୋଲିସ ସାଂସଦ ମହୁଆ ମୋଇତ୍ରା ଏବଂ ଡେରେକ୍ ଓ ବ୍ରିଏନଙ୍କୁ ଉଠାଇ ନେଇଛି ।

ଶୁକ୍ରବାର ସକାଳେ ଟିଏମସିର ନେତା ଶାହଙ୍କ ବାସଭବନ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଅନେକ ପ୍ଲାକାର୍ଡ ଧରି ପଶ୍ଚିମବଙ୍ଗରେ ବିଜେପି ଚଲାଇଥିବା ରାଜନୀତିକୁ ବଙ୍ଗବାସୀ ବିରୋଧ କରିଥିବା ନାରା ଦେଇଛନ୍ତି । ଇଡି ମଧ୍ୟ ସରକାରୀ ଚାପରେ କାର୍ଯ୍ୟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।

ଆନ୍ଦୋଳନ ବେଳେ ଗଣମାଧ୍ୟମକୁ ମହୁଆ କହିଛନ୍ତି ଯେ, ଗୁରୁବାର ଇଡି କିପରି ନିକ କ୍ଷମତାର ଦୁରୁପଯୋଗ କରିଛି ତାହା ସାରା ଦେଶ ଦେଖିଛି । ଗୃହ ମନ୍ତ୍ରାଳୟ ଏଥିପାଇଁ ଦାୟୀ । ଇଡିକୁ ଟିଏମସିର ଗୁରୁତ୍ୱପୂର୍ଣ୍ଣ ରଣନୀତି ଚୋରି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମମତା ବାନାର୍ଜୀ ହେଉଛନ୍ତି ଜଣେ ସିଂହ । ସେ ଦଳର ସମସ୍ତ କାଗଜପତ୍ରକୁ ରକ୍ଷା କରିବେ ବୋଲି ମହୁଆ କହିଛନ୍ତି । ଟିଏମସି ଏମପି କୀର୍ତ୍ତି ଆଜାଦ୍ ମଧ୍ୟ ସମାନ କଥା କହିଛନ୍ତି । ସର୍ଭେରେ ବିଜେପି ନିର୍ବାଚନରେ ୨୫ ସିଟ୍ ଜିତିବ ବୋଲି ଜଣାପଡିଛି । ତେଣୁ ସେମାନେ ବେଆଇନ୍ ଭାବେ ରେଡ୍ କରୁଛନ୍ତି ।

ତେବେ ଇଡିର ଆକ୍ସନ୍ ପରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ଟାର୍ଗେଟ୍ କରିଥିଲେ । ମମତା ଇଡିର ତଦନ୍ତରେ ଦଖଲ ଦେଉଥିବା ସେ ଅଭିଯୋଗ କରିଥିଲେ । କୌଣସି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଚଢାଉରେ ହସ୍ତକ୍ଷେପ କରିବା ଠିକ୍ ନୁହେଁ ବୋଲି ଶୁଭେନ୍ଦୁ ପ୍ରକାଶ କରିଥିଲେ ।