ପାରାଦୀପରେ ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ ପଛରେ ରହିଛି କି ବୟଫ୍ରେଣ୍ଡର ହାତ ? ଦୁଇ ଜଣକୁ ଗିରଫ ସୂଚନା

NEWS7
lockdown-gangrape-police-is-in-action

ପାରାଦୀପ ୨୭।୨: ପାରାଦୀପ ତାରିଣୀଗଡାରେ ଛାତରୁ ପଡ଼ି ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପାରାଦୀପ ଆଦର୍ଶ ଥାନା ପୋଲିସ । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିଲା ପୋଲିସ । ଗୋଟିଏ ପଟେ ସିସିଟିଭି ଫୁଟେଜ, ପାରିପାର୍ଶ୍ବିକ ଅବସ୍ଥା, ସାଇଣ୍ଟିଫିକ୍ ଟିମ୍ ଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ପୋଲିସ ତଦନ୍ତ କରିଥିଲା । ଗୁରୁବାର ଯୁବତୀଙ୍କ ବୟଫ୍ରେଣ୍ଡ ଏବଂ ଜଣେ ଭଡ଼ାଟିଆଙ୍କୁ ନେଇ ଡାକ୍ତରୀ ମାଇନା କରିବା ପରେ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ କରିଥିଲା । ପରେ ଦୁଇ ଜଣଙ୍କୁ ପାରାଦୀପ ଆଦର୍ଶ ଥାନା ପୋଲିସ ଗିରଫ କରିଛି ବୋଲି ଯାହା ସୂଚନା ମିଳିଛି । ତେବେ ପୋଲିସ ପକ୍ଷରୁ ଏ ନେଇ ଏବେସୁଦ୍ଧା କୌଣସି ସୂଚନା ପ୍ରଦାନ କରାଯାଇନଥିବା ବେଳେ ସନ୍ଧ୍ୟାରେ ଜଗତସିଂହପୁର ଏସ୍ପି ଅଙ୍କିତ ବର୍ମା ସମ୍ପୂର୍ଣ୍ଣ ତଥ୍ୟ ଗଣମାଧ୍ୟମ ସମ୍ମୁଖରେ ଖୁଲାସା କରିବେ ବୋଲି ପାରାଦୀପ ଆଦର୍ଶ ଥାନା ପକ୍ଷରୁ ପ୍ରକାଶ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ ଯୁବତୀ ଜଣଙ୍କ ଘରୁ ଶାରଳା ମନ୍ଦିର ଯିବାକୁ କହି ବାହାରି ଆସିଥିଲେ । ସେହିଦିନ ମଧ୍ୟାହ୍ନ ସମୟରେ ଏକ ଅଜଣା ନମ୍ବରରୁ ଯୁବତୀଙ୍କ ଭାଇଙ୍କ ପାଖକୁ ଫୋନ୍ ଆସିଥିଲା । ତୁମ ଭଉଣୀ ରାହାମା ପାଖରେ ଅଛି ତାକୁ ନେଇଯାଅ ବୋଲି କେହି ତାଙ୍କୁ କହିବା ସହ ପରେ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା । ଯୁବତୀଙ୍କର ଫୋନ ମଧ୍ୟ ସୁଇଚ୍ ଅଫ୍ ରହିଥିଲା । ପରିବାର ଲୋକେ ଯୁବତୀଙ୍କୁ ଖୋଜାଖୋଜି କରି ନପାଇବା ପରେ ଭଉଣୀ ନିଖୋଜ ହେବା ନେଇ ତିର୍ତ୍ତୋଲ ଥାନାରେ ତାଙ୍କ ଭାଇ ଅଭିଯୋଗ କରିଥିଲେ । ସେପଟେ ଶାରଳା ମନ୍ଦିର ଯିବାର ପୂର୍ବ ରାତିରେ ଯୁବତୀ ଦାଣ୍ଡ ବାରଣ୍ଡାରେ ବସି ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଦୀର୍ଘ ସମୟ କଥା ହେବା ସହ ତାଙ୍କୁ ପରଦିନ ଶାରଳା ମନ୍ଦିର ଆସିବାକୁ କହୁଥିବା ତାଙ୍କ ଜେଜେ ବାପା କହିଥିଲେ ।

ପୋଲିସ ଏହି ଘଟଣାରେ ୮ ଜଣଙ୍କୁ ଅଟକ ରଖିବା ସହ ଜଣେ ଅଣ ଓଡ଼ିଆ ଯୁବକକୁ ଅଧିକ ଜେରା କରୁଥିଲା । ଏହି ଯୁବକ ଜଣକ ଅନୁଗୋଳରୁ ବାଇକ୍ରେ ପାରାଦୀପ ଫେରୁଥିବା ବେଳେ ରାହାମା ନିକଟରୁ ଯୁବତୀଙ୍କୁ ଲିଫ୍ଟରେ ପାରାଦୀପ ନେବା ସହ ତାଙ୍କ ରୁମ୍କୁ ନେଇଥିଲେ । ସେଠି ତାଙ୍କୁ କିଏ ହତ୍ୟା କରି ଚାରି ମହଲା ତଳକୁ ଠେଲି ଦେଲା ନା ସେ ନିଜେ ତଳକୁ ପଡିଗଲେ ତାହା ଏବେ ସ୍ପଷ୍ଟ ହୋଇପାରିନାହିଁ । ଯୁବତୀ ଜଣକ ଏହି ଅଜଣା ଯୁବକ ସହିତ କିପରି ପାରାଦୀପ ଆସିଲେ ? ଯୁବକ ଜଣକ ତାଙ୍କୁ କେଉଁ ଉଦ୍ଦେଶ୍ୟରେ ନିଜ ରୁମ୍କୁ ନେଇଥିଲେ ?ପୋଲିସର ସୂଚନା ପରେ ଏସବୁ ଉପରୁ ପରଦା ହଟିବ ବୋଲି କୁହାଯାଉଛି ।