LIVE TV

ରୋଡ୍ରିଗସଙ୍କ ମ୍ୟାଚ୍ ବିଜୟୀ ଶତକ, କଙ୍ଗାରୁକୁ ଚିତ୍ କରି ଫାଇନାଲରେ ଭାରତ; ଦ. ଆଫ୍ରିକା ସହ ଟାଇଟଲ୍ ମୁକାବିଲା

NEWS7
ll-dl-test-cancel-for-corona-situation

ନଭି ମୁମ୍ବାଇ: ମହିଳା ଦିନିକିଆ ବିଶ୍ଵକପ୍ ଫାଇନାଲରେ ଭାରତ। ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ସେମିରେ ୭ ଥରର ଚାମ୍ପିଅନ ଅଷ୍ଟ୍ରେଲିଆକୁ ୫ ଓ୍ଵିକେଟରେ ହରାଇ ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ଵିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ଜେମିମା ରୋଡ୍ରିଗସଙ୍କ ଦମଦାର ଶତକ ଓ ଅଧିନାୟକ ହରମନପ୍ରୀତ କୌରଙ୍କ ଅର୍ଦ୍ଧଶତକ ଭାରତକୁ ବିଜୟୀ କରାଇଛି। ଏହା ସହ ଭାରତୀୟ ମହିଳା ଦଳ ତୃତୀୟ ଥର ଦିନିକିଆ ବିଶ୍ଵକପ୍ ଫାଇନାଲରେ ପହଞ୍ଚିଛି। ଏହା ପୂର୍ବରୁ ଦଳ ୨୦୦୫ ଏବଂ ୨୦୧୭ରେ ଫାଇନାଲ୍ ଖେଳିଥିଲେ ହେଁ ରନର୍ସଅପ ରହିଥିଲା। ଅନ୍ୟପଟେ ପରାଜୟ ସହ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆର ଅଭିଯାନ ଶେଷ ହୋଇଛି। ନଭେମ୍ବର ୨ରେ ଫାଇନାଲ୍‌ରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଫୋଏବେ ଲିଚଫିଲ୍ଡଙ୍କ ୧୧୯ ରନ, ଏଲିସ ପେରିଙ୍କ ୭୭ ରନ ଓ ଆସଲେଗ ଗାର୍ଡନେରଙ୍କ ୬୩ ରନ ବଳରେ ୩୩୮ ରନ କରିଥିଲା। ଜବାବରେ ଭାରତ ୪୮.୩ ଓଭରରେ ୫ ଓ୍ଵିକେଟ୍ ହରାଇ ଲକ୍ଷ ହାସଲ କରି ନେଇଥିଲା। ଜେମିମା ରୋଡ୍ରିଗସ ଅପରାଜିତ ୧୨୭ ରନ କରି ଦଳକୁ ଜିତାଇଛନ୍ତି। କୌର ୮୯ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଏବେ ମହିଳା ଦିନିକିଆ ବିଶ୍ଵକପକୁ ମିଳିବ ନୂଆ ଚାମ୍ପିଅନ। 

୩୩୯ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ୧୩ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ସେମି ଫାଇନାଲରେ ସୁଯୋଗ ପାଇଥିବା ଶେଫାଳି ବର୍ମା(୧୦ ରନ) ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରି ନ ଥିଲେ। ଏହା ପରେ ସ୍ମୃତି ମନ୍ଧାନା ୨୪ ରନ କରି ଆଉଟ୍ ହୋଇଥିଲେ। ୫୯ ରନରେ ଦୁଇ ଓପନରଙ୍କୁ ହରାଇଥିଲା ଭାରତ। ଏହା ପରେ ଦଳର ଇନିଂସ ସମ୍ଭାଳିଥିଲେ ଜେମିମା ରୋଡ୍ରିଗସ ଓ ଅଧିନାୟକ ହରମନପ୍ରୀତ କୌର। ଦୁହେଁ ଦମଦାର ବ୍ୟାଟିଂ କରିଥିଲେ। କ୍ରିଜରେ ଜମିବା ପରେ ଓଭର ପିଛା ଆବଶ୍ୟକ ରନ ସଂଗ୍ରହ କରି ଚାଲିଥିଲେ। ଏହି କ୍ରମରେ ଦୁଇ ବ୍ୟାଟର ନିଜ ନିଜର ଅର୍ଦ୍ଧଶତକ ପୂରଣ କରି ଶତକ ଆଡ଼କୁ ଅଗ୍ରସର ହୋଇଥିଲେ।

ତେବେ ୨୨୬ ରନ ସ୍କୋରରେ ହରମନପ୍ରୀତ ଆଉଟ୍ ହେବା ଭାରତକୁ ବଡ଼ ଝଟକା ଲାଗିଥିଲା। ଭାରତୀୟ ଅଧିନାୟକ ୮୮ ବଲରୁ ୧୦ ଚୌକା ଓ ୨ ଛକା ସହ ୮୯ ରନର ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ଏହା ସହ ଜେମିମାଙ୍କ ସହ ୩ୟ ଓ୍ଵିକେଟ୍ ପାଇଁ ୧୬୭ ରନ ଯୋଡ଼ି ଭାରତ ପାଇଁ ବିଜୟର ମୂଳଦୁଆ ପକାଇଥିଲେ।ଏହା ପରେ ରୋଡ୍ରିଗଜ ଓ ଦୀପ୍ତି ଶର୍ମା ସ୍କୋର ଆଗକୁ ବଢାଇଥିଲେ। ତେବେ ଦୀପ୍ତି  ୨୪ ରନ କରି ରନଆଉଟ୍ ହୋଇଥିଲେ। ରୋଡ୍ରିଗସ ସେମିରେ ଶତକ ହାସଲ କରିଥିଲେ। ଗୋଟିଏ ରୋଡ୍ରିଗଜ ଇନିଂସ ସମ୍ଭାଳିଥିଲେ।

ରିଚା ଘୋଷ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୧୬ ବଲରୁ ୨୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ସଭିଙ୍କ ନଜର ରୋଡ୍ରିଗସଙ୍କ ଉପରେ ଥିଲା। ମ୍ୟାଚ୍ ରୋମାଞ୍ଚକର ମୋଡ ନେଇଥିଲା। ତଥାପି ସେ ଧୈର୍ଯ୍ୟର ସହ ବ୍ୟାଟିଂ କରି ଅପରାଜିତ ୧୨୭ ରନ କରି ଦଳକୁ ଜିତାଇଛନ୍ତି। ତାଙ୍କର ଶତକୀୟ ଇନିଂସରେ ୧୪ ଚୌକା ସାମିଲ୍। ଅମନଜିତ କୌର ବିଜୟ ସୂଚକ ଚୌକା ମାରି ୧୫ ରନରେ ଅପରାଜିତ ଥିଲେ।