PUCC ଦ୍ବନ୍ଦ୍ବ ପରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌ : ପରିବହନ କମିଶନରଙ୍କୁ ୨ ସପ୍ତାହ ଭିତରେ ସତ୍ୟପାଠ ନିର୍ଦ୍ଦେଶ

NEWS7
leopard-akraman-on-elder-brother-younger-brother-sacrifices-life

କଟକ ୬।୧: ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ତେଲ ମନା । ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ କମିଶନରଙ୍କ ସ୍ପଷ୍ଟୀକରଣ ଲୋଡିଲେ ହାଇକୋର୍ଟ । ସେହିପରି ପୁରୁଣା ଜରିମାନା ଭରଣା ନକଲେ ପଲ୍ୟୁସନ ସାର୍ଟିଫିକେଟ୍ ମିଳିବ ନାହିଁ ବୋଲି ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଛି ତା ଉପରୁ ଦ୍ୱନ୍ଦ୍ୱ ହଟୁ ବୋଲି କହିଛନ୍ତି ହାଇକୋର୍ଟ । ଏନେଇ ପରିବହନ ଆୟୁକ୍ତ ଆସନ୍ତା ୨ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି । ତା ସହ ରାଜ୍ୟ ସରକାରଙ୍କ ଠାରୁ ମଧ୍ୟ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି ହାଇକୋର୍ଟ ।

ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ଗାଡିର ଇନ୍ଧନ ମିଳିବ ନାହିଁ ଏବଂ ସାର୍ଟିଫିକେଟ୍ ହାସଲ କରିବାକୁ ହେଲେ ସମସ୍ତ ପୁରୁଣା ଜରିମାନା ଦେବାକୁ ହେବ ବୋଲି ପରିବହନ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ଯାହାକୁ ଚ୍ୟାଲେଞ୍ଜ କରି ଭୁବନେଶ୍ୱର ବାସିନ୍ଦା ସ୍ନିଗ୍ଧା ପାତ୍ର ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଦାୟର ପିଟିସନରେ ସେ ଉଲ୍ଲେଖ କରିଛନ୍ତି ଯେ, ଯଦି କେହି ଗାଡ଼ି ଚାଳକ ନିର୍ଦ୍ଧିଷ୍ଟ ସମୟ ଭିତରେ ପ୍ରଦୂଷଣ ପ୍ରମାଣପତ୍ର କରିପାରିନାହାନ୍ତି । ତେବେ ନିୟମ ଅନୁସାରେ ତାଙ୍କ ଉପରେ ଫାଇନ କରାଯାଇପାରିବ । କିନ୍ତୁ ତେଲ ଦିଆଯିବ ନାହିଁ ବୋଲି କହିବା ଆଇନସଙ୍ଗତ ନୁହେଁ ।

ସେହିପରି ପୁରୁଣା ଫାଇନ୍ ଆଦାୟ କରିବା ଲାଗି କାହାକୁ ବାଧ୍ୟ କରାଯିବା ମଧ୍ୟ ବେଆଇନ ବୋଲି ଆବେଦନକାରୀ କୋର୍ଟଙ୍କୁ ଜଣାଇଛନ୍ତି । ଏଭଳି ବ୍ୟବସ୍ଥା ନା କେନ୍ଦ୍ରୀୟ ପରିବହନ ଆଇନ ନା ରାଜ୍ୟ ପରିବହନ ଆଇନରେ ରହିଛି । ତେଣୁ ଆଇନର ଉଲ୍ଲଂଘନ କରି ମନଇଚ୍ଛା କୌଣସି ନିୟମ ଲାଗୁ କରିବା ଅସମ୍ବିଧାନିକ, ତେଣୁ ଏପରି ନିୟମକୁ ରଦ୍ଦ କରିବା ଲାଗି ଆବେଦନକାରୀ ନିଜ ପିଟିସନରେ ଦର୍ଶାଇଛନ୍ତି । ଆଜି ଉକ୍ତ ଆବେଦନର ପ୍ରାରମ୍ଭିକ ଶୁଣାଣି କରି ଆଜି ଉଭୟ ରାଜ୍ୟ ସରକାର ଓ ପରିବହନ ଅୟୁକ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ୨ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।