LIVE TV
LIVE TV

'କଥା ଦେଇ କଥା ରଖିବା ବଡ କଥା' : କଂଗ୍ରେସକୁ ମନେ ପକାଇଲେ ଡିକେ

NEWS7
lawyer-protest-for-high-court-bench-in-jaipur

ବେଙ୍ଗାଲୁରୁ, ୨୭/୧୧: କର୍ଣ୍ଣାଟକ କଂଗ୍ରେସରେ ସୃଷ୍ଟି ହୋଇଥିବା ବିଦ୍ରୋହ ଥମିବାର ନାଁ ନେଉ ନାହିଁ । ଗୋଟିଏ ଦିଗରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମର୍ଥିତ ବିଧାୟକ ମୁହାଁମୁହିଁ ହୋଇଛନ୍ତି । ଅନ୍ୟ ଦିଗରେ କଂଗ୍ରେସକୁ ପୁରୁଣା କଥା ମନେ ପକାଇଛନ୍ତି ଶିବକୁମାର । ଦଳ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ସେ ମନେ ପକାଇଛନ୍ତି ।

ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସେ କହିଛନ୍ତି ଯେ, କଥାରେ ଅଛି ଶବ୍ଦର ଶକ୍ତି ହେଉଛି ବିଶ୍ୱର ଶକ୍ତି । କଥା ଦେଇ କଥା ରଖିବା ହେଉଛି ପୃଥିବୀର ଶ୍ରେଷ୍ଠ ଶକ୍ତି । ଏହ ବିଚାରପତି, ରାଷ୍ଟ୍ରପତି ଏବଂ ସାଧାରଣ ଲୋକଙ୍କ ପାଇଁ ପ୍ରଯୁଜ୍ୟ । ଏହାକୁ ସମସ୍ତେ ସମ୍ମାନ ଦେବା ଜରୁରୀ ।

ସେ ଆହୁରି କହିଛନ୍ତି ଯେ, ଯେଉଁମାନେ ତାଙ୍କ ସମର୍ଥନରେ ରହିଛନ୍ତି ସମସ୍ତଙ୍କୁ ଧନ୍ୟବାଦ । ସମସ୍ତେ ଚଉକିର ମୂଲ୍ୟ ବୁଝିପାରନ୍ତି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, କର୍ଣ୍ଣାଟକ କଂଗ୍ରେସରେ ସବୁ କିଛି ଠିକ୍ ଚାଲିନି । ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରୁଛନ୍ତି ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଗୋଷ୍ଠୀ । ମୁଖ୍ୟମନ୍ତ୍ରୀ ବଦଳାଇବା ପାଇଁ ଦିଲ୍ଲୀରେ ଲବି ଆରମ୍ଭ ହୋଇଯାଇଛି । ସେମାନେ ସିଦ୍ଧରମୈୟାଙ୍କୁ ଗ୍ରହଣ କରିପାରୁନାହାଁନ୍ତି । ବାରମ୍ବାର ଦିଲ୍ଲୀ ଗସ୍ତ କରି ଟପ୍ ନେତାଙ୍କୁ ଭେଟି ଦାବି ଉପସ୍ଥାପନା କରୁଛନ୍ତି । ତେବେ ଡିସେମ୍ବର ପୂର୍ବରୁ ଏଆଇସିସିର ଶୀର୍ଷ ନେତୃତ୍ୱ ଏବାବଦରେ ଚୂଡାନ୍ତ ନିଷ୍ପତ୍ତି ନେବା ନେଇ ଚର୍ଚ୍ଚା ହେଉଛି ।

ଡିସେମ୍ବର ପୂର୍ବରୁ ଚୂଡାନ୍ତ ନିଷ୍ପତ୍ତି

ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଖୁବ୍ ଶୀଘ୍ର ରାହୁଲ ଗାନ୍ଧୀଙ୍କୁ ଭେଟିବେ । ଗୁରୁବାର ଉଭୟ ନେତା ସାକ୍ଷାତ କରିପାରନ୍ତି । ଉଭୟ ସିଦ୍ଧରମୈୟା ଏବଂ ଡିକେ ଶିବକୁମାରଙ୍କୁ ଦିଲ୍ଲୀ ଡକାଯିବ । ନଭେମ୍ବର ୨୮ କିମ୍ବା ୨୯ରେ ସେମାନେ ଦିଲ୍ଲୀ ଗସ୍ତ କରିବେ । ଦୁଇ ନେତା ଖୋଲାଖୋଲି ଭାବେ ବିଭିନ୍ନ ବୟାନ ଦେଇଥିବା ବାବଦରେ ସେମାନଙ୍କୁ ପ୍ରଶ୍ନ କରାଯାଇପାରେ ।

କୁହାଯାଉଛି ଯେ, କଂଗ୍ରେସର ହାଇକମାଣ୍ଡ କର୍ଣ୍ଣାଟକ ଅଡୁଆକୁ ଶୀଘ୍ର ତୁଟାଇବା ମୁଡରେ ଅଛନ୍ତି । ଆସନ୍ତା ଶୀତ ଅଧିବେଶନ ପୂର୍ବରୁ ଏପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ପଡିବ । ଦକ୍ଷିଣରେ ନିଜର ସ୍ଥିତି ବଜାୟ ରଖିବା ପାଇଁ କର୍ଣ୍ଣାଟକ ସରକାରରେ ସ୍ଥିରତା ଜରୁରୀ ବୋଲି ଦଳ ବୁଝିସାରିଛି ।