ଦୁଇ ବରିଷ୍ଠ ଆଇପିଏସଙ୍କୁ ବଡ଼ ଦାୟିତ୍ବ, MHA ଏବଂ NHRCରେ ଗୁରୁତ୍ବପୂର୍ଣ୍ଣ ପଦବୀରେ ମିଳଲା ନିଯୁକ୍ତି

NEWS7
last-ritual-of-3-frineds-finished-in-bolangir

ନୂଆଦିଲ୍ଲୀ: ଜାତୀୟ ମାନବାଧିକାର କମିଶନର ଏବଂ ଗୃହ ମନ୍ତ୍ରଣାଳୟରେ ଦୁଇ ବରିଷ୍ଠ ଆଇପିଏସଙ୍କୁ ମିଳିଲା ନିଯୁକ୍ତି। ଶୁକ୍ରବାର କେନ୍ଦ୍ର ସରକାର ବରିଷ୍ଠ IPS ଅଧିକାରୀ ଆନନ୍ଦ ସ୍ୱରୂପ ଏବଂ ଅନୁପମା ନିଲେକର ଚନ୍ଦ୍ରଙ୍କୁ ଯଥାକ୍ରମେ ଗୃହ ମନ୍ତ୍ରଣାଳୟ (MHA) ଏବଂ ଜାତୀୟ ମାନବାଧିକାର କମିଶନ (NHRC)ର ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି), ଗୃହ ମନ୍ତ୍ରଣାଳୟର ପ୍ରସ୍ତାବ ପରେ ଏହି ନିଯୁକ୍ତିଗୁଡ଼ିକୁ ଅନୁମୋଦନ କରିଛି। ଏନେଇ ଗୁରୁବାର କାର୍ମିକ ଏବଂ ତାଲିମ ବିଭାଗ (ଡିଓପିଟି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି।

ସୂଚନାଥାଉକି, ୧୯୯୨ ବ୍ୟାଚର ଉତ୍ତର ପ୍ରଦେଶ କ୍ୟାଡର ଆଇପିଏସ ଅଧିକାରୀ ସ୍ୱରୂପ ବର୍ତ୍ତମାନ ଏନଏଚଆରସିରେ ମହାନିର୍ଦ୍ଦେଶକ (ତଦନ୍ତ) ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ଗୃହ ମନ୍ତ୍ରଣାଳୟରେ ସ୍ୱତନ୍ତ୍ର ସଚିବ (ଆଭ୍ୟନ୍ତରୀଣ ସୁରକ୍ଷା) ଭାବରେ ନିଯୁକ୍ତ କରାଯାଇଛି। ତେବେ ସେ ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ୨୦୨୯ ଅଗଷ୍ଟ ୩୧ ପର୍ଯ୍ୟନ୍ତ, କିମ୍ବା ଅବସର ତାରିଖ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପଦରେ କାର୍ଯ୍ୟ କରିବେ। ଆଇପିଏସ ସ୍ବରୁପ ୧୯୯୧ ବ୍ୟାଚ୍ ବିହାର କ୍ୟାଡର ଆଇପିଏସ୍ ଅଧିକାରୀ ପ୍ରବୀଣ ବଶିଷ୍ଠଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ। ପ୍ରବୀଣ ବଶିଷ୍ଟ ୨୦୨୪ ଅକ୍ଟୋବରରୁ ଏହି ପଦବୀରେ ଅଛନ୍ତି।

ପୋଲିସ ଏବଂ ପ୍ରଶାସନରେ ଉତ୍ତମ କାର୍ଯ୍ୟ କରି ପ୍ରଂଶସିତ ହୋଇଥିବା ଏହ ବରିଷ୍ଠ ଆଇପିଏସ, ପୂର୍ବରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିସାରିଛନ୍ତି। ଏନଏଚଆରସି ଡିଜି (ତଦନ୍ତ) ଭାବରେ ନିଯୁକ୍ତି ପାଇବା ପୂର୍ବରୁ, ସ୍ୱରୂପ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପୋଲିସ ମହାନିର୍ଦ୍ଦେଶକ ଡିଜିପି ଭାବରେ କାର୍ଯ୍ୟ କରିସାରିଛିନ୍ତି।

ସେହିଭଳି ୧୯୯୪ ବ୍ୟାଚ୍ ବିହାର କ୍ୟାଡର IPS ଅଧିକାରୀ ଅନୁପମା ନିଲେକର ଚନ୍ଦ୍ରଙ୍କୁ NHRCରେ ମହାନିର୍ଦ୍ଦେଶକ (ତଦନ୍ତ) ଭାବରେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନ ସଶସ୍ତ୍ର ସୀମା ବଳ (SSB)ରେ ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ଅଛନ୍ତି। ସେ ଏହି ପଦବୀରେ ଦାୟିତ୍ବ ନେବା ଦିନଠାରୁ ୨୦୩୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରହିବେ।