ମଦ ନିଶାରେ ସବୁ ଭୁଲିଗଲେ, ପୁଅକୁ ଛୁରାମାଡ଼ କଲା ନିଜେ ଗୁରୁତର ହେଲେ

NEWS7
lalu-yadav-poem-goes-viral-in-twitter

ପୁରୀ ୬।୧: ବାପର ଛୁରା ମାଡ଼ରେ ପୁଅ ଗୁରୁତର । ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ସଂଗ୍ରାମ କ୍ଲବ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ପୁଅକୁ ଛୁରା ମାଡ଼ କରିବା ସମୟରେ ନିଜେ ବାପା ମଧ୍ୟ ଗୁରୁତର ହୋଇଛି। ଛୁରାମାଡର ଶିକାର ହୋଇଥିବା ଯୁବକ ଜଣକ ଅଠରନଳାର ଶିବୁ ମଣ୍ଡଳ ଏବଂ ଗୁରୁତର ତାଙ୍କ ବାପା ଜଗନ୍ନାଥ ମଣ୍ଡଳ। ଚିକିତ୍ସା ପାଇଁ ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନିଶାସକ୍ତ ଅବସ୍ଥାରେ ଜଗନ୍ନାଥ ଏଭଳି କାରନାମା କରିଥିବା ଅଭିଯୋଗ ହୋଇଛି। ତେବେ ଜଗନ୍ନାଥ ଜଣେ ଅଟୋ ଚାଳକ ଥିବାବେଳେ ଅତ୍ୟଧିକ ମଦ୍ୟପାନ କରି ପୁଅକୁ ସଂଗ୍ରାମ କ୍ଲବ ନିକଟକୁ ଡାକିଥିଲେ। ପୁଅ ଆସି ତାଙ୍କ ସହିତ କଥାବାର୍ତ୍ତା ହେଉଥିବା ସମୟରେ ଛୁରୀରେ ପୁଅକୁ ଅତର୍କିତ ଆକ୍ରମଣ କରିଥିଲେ।

ବାପର ଆକ୍ରମଣରେ ଶିବୁର ଛାତିରେ ଗଭୀର ଆଘାତ ଲାଗିଥିବା ବେଳେ ନିଜକୁ ବଞ୍ଚାଇବାକୁ ଉଦ୍ୟମ କରିବା ବେଳେ ଛୁରୀଟି ତାଙ୍କ ବାପା ଜଗନ୍ନାଥଙ୍କ କାନ ପାଖରେ ବାଜିଥିଲା। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଉଭୟଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।