ନୂଆ ଦଳ ଗଠନ ପୂର୍ବରୁ ବଳ ଯୁଟାଉଛନ୍ତି ମୋକିମ୍, ଭୁବନେଶ୍ୱରରେ ହେବ ମହିଳା ଓ ଚାଷୀ ସମାବେଶ

NEWS7
lady-homeguards-husband-raped-girl

କଟକ ୧୫।୧: ନୂତନ ଦଳ ଗଠନ ପୂର୍ବରୁ ବଳ ଯୁଟାଉଛନ୍ତି ରାଜନେତା ମହମ୍ମଦ ମୋକିମ୍ । ଚଳିତ ମାସ ଶେଷ ସପ୍ତାହରେ ଭୁବନେଶ୍ୱରରେ ହେବ ମହିଳା ଓ ଚାଷୀ ସମାବେଶ । ବର୍ତ୍ତମାନ ସମୟରେ ରାଜ୍ୟରେ ମହିଳା ସୁରକ୍ଷିତ ନୁହନ୍ତି କିମ୍ବା କୃଷକ ମାନଙ୍କୁ ତାଙ୍କର ପ୍ରାପ୍ୟ ମିଳିପାରୁ ନାହିଁ । ମହିଳା ନିର୍ଯାତନା ଓ କୃଷକଙ୍କ ସମସ୍ୟା ଉପରେ ଆଲୋଚନା ହେବ । ବର୍ତ୍ତମାନ ଉଭୟ ଚାଷୀ ଓ ମହିଳା ମାନେ ନିଜର ନ୍ୟାୟ ପାଉନାହାନ୍ତି । ନୂତନ ଦଳ ଗଠନ ପୂର୍ବରୁ ସମସ୍ତ ସମସ୍ୟା ଉପରେ ଅବଗତ ହେବୁ । ନିର୍ଯାତିତା ମହିଳା ଚାହିଁଲେ ଆମ ଦଳରେ ସାମିଲ ହୋଇପାରିବେ ବୋଲି ମହମ୍ମଦ ମୋକିମ୍ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ନୂଆ ଦଳ ଗଠନ ପୂର୍ବରୁ ଗତ ୧୨ ତାରିଖରେ ମହମ୍ମଦ ମୋକିମ୍ କରିଥିଲେ ପାଓ୍ବାର ଶୋ’ । ଜାତୀୟ ଯୁବ ଦିବସରେ ଯୁବ ଗୋଷ୍ଠୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଥିଲେ ମୋକିମ୍ । ତେବେ ମୋକିମ୍‌ଙ୍କ ଦ୍ବାରା ଆୟୋଜିତ ସଭାରେ ଝିଅ ତଥା କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ହୋଇଥିଲେ ମୁଖ୍ୟ ଅତିଥି । କାର୍ଯ୍ୟକ୍ରମକୁ ଆସିନଥିଲେ ନିମନ୍ତ୍ରଣ ପତ୍ରରେ ସ୍ଥାନ ପାଇଥିବା ଅନ୍ୟ ଦୁଇ ଅତିଥି ପୁରୀ ବିଧାୟକ ସୁନୀଲ ମହାନ୍ତି ଓ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ମୋକିମ୍ କହିଥିଲେ, ଓଡ଼ିଶା ଚାହୁଁଛି ଏକ ନୂଆ ବିକଳ୍ପ । ବିକଳ୍ପ ପାଇଁ ସମସ୍ତଙ୍କୁ ବାହାରିବାକୁ ପଡିବ । ଯେଉଁମାନେ ନୂତନ ଆଶା ନେଇ ଆମ ସହ ଯୋଡି ହେବେ ଆମେ ସେମାନଙ୍କୁ ନେଇ ଆଗକୁ ବଢ଼ିବୁ ।

ସେହିପରି ଖୋଲା ମଞ୍ଚରେ ବାପାଙ୍କୁ ପ୍ରଶଂସାରେ ପୋତିଥିଲେ ଝିଅ ସୋଫିଆ ଫିର୍ଦ୍ଦୋସ୍‌ । ସୋଫିଆ କହିଥିଲେ, ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢିଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ । ନଡରି ବାପାଙ୍କ ଲଢେଇରେ ସମସ୍ତଙ୍କୁ ସାମିଲ ହେବାକୁ ପଡିବ ।