ଜିଲ୍ଲାରେ ବାୟୁ ଗୁଣବତ୍ତାର ମାନ ବୃଦ୍ଧି ପାଇଁ କଟକ ଜିଲ୍ଲାରେ ନିର୍ଦ୍ଦେଶନାମା ଜାରି, ଏସବୁ ନିଷେଧ

NEWS7
koraput-district-head-quarter-hospital-management-issue

କଟକ: କଟକ ଜିଲ୍ଲାରେ ବଢୁଛି ପ୍ରଦୂଷଣ ମାତ୍ରା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କଟକର ଆଞ୍ଚଳିକ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ କଟକ ଜିଲ୍ଲାର ବାୟୁ ଗୁଣବତ୍ତା ସନ୍ତୋଷଜନକରୁ ମଧ୍ୟମ, ଖରାପ ଏବଂ ଅତି ଖରାପ ହେଉଥିବା ଜଣାପଡିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ପାରିପାର୍ଶ୍ୱିକ ବାୟୁ ଗୁଣବତ୍ତାର ଖରାପ ହେଉଥିବା ମାନକୁ ରୋକିବା ପାଇଁ ତୁରନ୍ତ ପ୍ରତିବନ୍ଧକ ଲଗାଇବା ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କଟକ ମହାନଗର ନିଗମ ଅଞ୍ଚଳ ଏବଂ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଅଂଚଳରେ ବିଭିନ୍ନ ପ୍ରତିବନ୍ଧକ ଜାରି କରିଛନ୍ତି।

ଜିଲ୍ଲାର ପ୍ରମୁଖ ପ୍ରକଳ୍ପ ବ୍ୟତୀତ ପ୍ରତିଦିନ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟକଳାପ ନିଷେଧ କରାଯିବ। ଏଥିସହ କଟକ ମହାନଗର ନିଗମ ଅଞ୍ଚଳ ଏବଂ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସୀମା ମଧ୍ୟରେ ସମସ୍ତ ଭଙ୍ଗା ଏବଂ ମାଟିକାର୍ଯ୍ୟ କଡ଼ାକଡ଼ି ନିଷେଧ କରାଯାଇଛି। କଟକ ମହାନଗର ନିଗମ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଓ ଜାତୀୟ ରାଜପଥ ସହ ଜଡିତ କାର୍ଯ୍ୟନିର୍ବାହୀ ସଂସ୍ଥାଗୁଡ଼ିକ ସେମାନଙ୍କର ମୂଲ୍ୟାଙ୍କନ ପରେ ଦିନକୁ ଅତି କମରେ ତିନି ଥର ସମସ୍ତ ରାସ୍ତାରେ ପାଣି ସିଞ୍ଚନ ସୁନିଶ୍ଚିତ କରିବ।

ଖୋଲାରେ ଅଳିଆ ପୋଡ଼ିବା, ଢାବାରେ କୋଇଲା ପୋଡ଼ିବା ଏବଂ ଯେକୌଣସି ପ୍ରକାରର ଖୋଲା ନିଆଁ ଜଳାଇବା କଡ଼ାକଡ଼ି ନିଷେଧ କରାଯାଇଛି। ଏଥିସହ ଦିନବେଳେ କୋଇଲା, ଲଘୁ ଏବଂ ପ୍ରମୁଖ ଖଣିଜ ପଦାର୍ଥ ଏବଂ ପାଉଁଶ ବୋହି ନେଉଥିବା ଟ୍ରକଗୁଡ଼ିକର ପରିବହନକୁ ପ୍ରତିବନ୍ଧିତ କରିବା ନିମନ୍ତେ କଟକ ସଦର, ବାଙ୍କି, ଆଠଗଡ଼ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ପୃଥକ ଭାବରେ ନିର୍ଦ୍ଦେଶ ଜାରି କରିବେ। ଉପଯୁକ୍ତ ତାରପୋଲିନ୍ ଆବରଣ ବିନା କୌଣସି ଟ୍ରକକୁ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଜିଲ୍ଲା ମୁଖ୍ୟ ରାସ୍ତା ଏବଂ ଜିଲ୍ଲା ମଧ୍ୟରେ ଅନ୍ୟାନ୍ୟ ରାସ୍ତାରେ ଚଳାଚଳ କରିବାକୁ ଅନୁମତି ଦିଆଯିବ ନାହିଁ।

ସମ୍ପୃକ୍ତ କର୍ତ୍ତୃପକ୍ଷ (ମାନଙ୍କ) ଠାରୁ ବୈଧ ଅନୁମତି ବିନା କୌଣସି ଇଟା ଭାଟି/ସିମେଣ୍ଟ/ରେଡି ମିକ୍ସ ପ୍ଲାଣ୍ଟ ୟୁନିଟ୍ କାର୍ଯ୍ୟ କରିବ ନାହିଁ। NHAI ଏବଂ NH ଡିଭିଜନର ନିର୍ବାହୀ ଯନ୍ତ୍ରୀ, ସେମାନଙ୍କର ସମସ୍ତ ନିର୍ମାଣ ସ୍ଥାନରେ ପର୍ଯ୍ୟାପ୍ତ ପାଣି ସିଞ୍ଚନ ନିଶ୍ଚିତ କରିବେ।ପୋଲିସ, CMC/ULBS, ସମସ୍ତ କାର୍ଯ୍ୟନିର୍ବାହୀ ସଂସ୍ଥା ଏବଂ RTO କୁ ଏହି ନିର୍ଦ୍ଦେଶର କଡ଼ାକଡ଼ି ପାଳନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ, ଆବଶ୍ୟକ ପଡିଲେ ଏହାକୁ ଆହୁରି ବୃଦ୍ଧି କରାଯାଇପାରେ। ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନର ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।ସଂଧ୍ୟା ୬ ରୁ ସକାଳ ୧୦ ଯାଏଁ ନିର୍ମାଣ କାମ ଉପରେ କଟକଣା ଲାଗୁ ରହିବ।