Pothole deaths rise: ଗତ ୫ ବର୍ଷରେ ଭାରତରେ ସଡ଼କ ଗର୍ତ୍ତଜନିତ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୫୩% ବୃଦ୍ଧି, ଶୀର୍ଷରେ ୟୁପି

NEWS7
know-the-highest-film-honour-of-india-who-is-dada-saheb-falke

ନୂଆଦିଲ୍ଲୀରାସ୍ତାରେ ଯାଉଥିବା ବେଳେ ଟ୍ରାଫିକ ନିୟମରେ ଟିକେ ଢିଲା କଲେ ସରକାର ଜନତାଙ୍କ ଉପରେ ୫ ହଜାର ୧୦ ହଜାର ଭଲି ମୋଟା ଫାଇନ ଲଗାଉଛନ୍ତି। ଦିନକୁ ୫୦୦ ରୋଜଗାର କରୁଥିବା ଦିନମଜୁରିଆ ବି କାନମୁଣ୍ଡ ଆଉଁସି ଫାଇନ ଦେଉଛି। ହେଲେ ରାସ୍ତା ମରାମତି କରିବାରେ ବିଫଳତା ଯୋଗୁ ଯେଉଁ ଜୀବନ ଯାଉଛି ତାପାଇଁ ଉତ୍ତରଦାୟୀ ହେବାକୁ କିନ୍ତୁ ସରକାର କୁନ୍ଥକୁନ୍ଥ ହେଉଛନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସଡ଼କରେ ହୋଇଥିବା ଗର୍ତ୍ତ ଯୋଗୁ ଦୁର୍ଘଟଣା ଘଟି ଗତ ୫ ବର୍ଷରେ ୯ ହଜାରରୁ ଅଧିକ ଜୀବନ ଯାଇଛି। ଏକଥା ଖୋଦ୍ ସରକାର ସଂସଦରେ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ବିଗତ ୫ ବର୍ଷରେ ଗର୍ତ୍ତଜନିତ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୫୩ ପ୍ରତିଶତ ବୃଦ୍ଧି ପାଇଛି୨୦୨୦ ରୁ ୨୦୨୪ ମଧ୍ୟରେ ସାରା ଦେଶରେ ୯,୪୩୮ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସରକାର ସୂଚନା ଦେଇଛନ୍ତି। ମୋଟ ମୃତ୍ୟୁର ୫୪ ପ୍ରତିଶତ ଘଟଣା କେବଳ ଉତ୍ତର ପ୍ରଦେଶରେ ଘଟିଛି।ଉତ୍ତର ପ୍ରଦେଶର ଯୋଗୀ ସରକାର ସୁଶାସନର ଡିଣ୍ଡିମ ପିଟୁଥିବା ବେଳେ ଲୋକଙ୍କୁ ଚାଲିବା ପାଇଁ ଭଲ ରାସ୍ତାଟିଏ ଦେଇ ନପାରିବା ବଡ଼ ଦୁଃଖର ବିଷୟ ବୋଲି କୁହାଯାଉଛି।

ସଡ଼କରେ ଗର୍ତ୍ତ ଯୋଗୁ ଦୁର୍ଘଟଣା ଘଟି ହୋଇଥିବା ମୃତ୍ୟୁ ବିଷୟରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ଲିଖିତ ଉତ୍ତର ଦେଇଥିଲେ। ଏହି ତଥ୍ୟ ଅନୁସାରେ, ୨୦୨୧ ମସିହାରେ ମୃତ୍ୟୁହାର ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ,ସେବେଠାରୁ ଏହା ଧୀରେ ଧୀରେ ବୃଦ୍ଧି ପାଇଛି।ସବୁଠାରୁ ଖରାପ ପ୍ରଦର୍ଶନ କରିଛି ଯୋଗୀଙ୍କ ଉତ୍ତର ପ୍ରଦେଶ

ବାର୍ଷିକ ମୃତ୍ୟୁ ସଂଖ୍ୟା ୨୦୨୦ରେ ୧,୫୫୫ରୁ ୨୦୨୧ରେ ୧,୪୮୧କୁ ହ୍ରାସ ପାଇଥିଲା। ଏହାପରେ ଏହି ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ୨୦୨୨ରେ ଏହା ୧,୮୫୬କୁ ବୃଦ୍ଧି ପାଇଥିବା ବେଳେ୨୦୨୩ରେ ୨,୧୬୧ ଓ ୨୦୨୪ରେ ୨,୩୮୫ ଲୋକଙ୍କର ମୃତ୍ୟୁ ହୋଇଥିଲା।

ଏହି ମାମଲାରେ ଉତ୍ତର ପ୍ରଦେଶ ନିରନ୍ତର ଭାବରେ ସବୁଠାରୁ ଖରାପ ପ୍ରଦର୍ଶନ କରି ଚାଲିଛି। ଏଠାରେ ସଡ଼କ ଗର୍ତ୍ତ ଯୋଗୁ ମୃତ୍ୟୁ ସଂଖ୍ୟା ନିୟମିତ ବଢ଼ି ଚାଲିଛି। ଏଠାରେ ୨୦୨୦ ରୁ ୨୦୨୪ ମଧ୍ୟରେ ୫,୧୨୭ ଜଣଙ୍କ ମୃତ୍ୟୁ ରିପୋର୍ଟ କରାଯାଇଛି। କେବଳ ୨୦୨୪ ମସିହାରେ,ରାଜ୍ୟରେ ୧,୩୬୯ ଜଣ ସଡ଼କ ଗର୍ତ୍ତ ଯୋଗୁ ମୃତ୍ୟୁ ଘଟିଥିଲା, ଯାହା ଜାତୀୟ ସ୍ତରରେ ଘଟିଥିବା ମୋଟ ମୃତ୍ୟୁ ସଂଖ୍ୟାର ଅଧାରୁ ଅଧିକ ଥିଲା।ଏହାପରେ ୨୦୨୩ ରେ ୧,୩୨୦ ଏବଂ ୨୦୨୨ ରେ ଉତ୍ତର ପ୍ରଦେଶର ୧,୦୩୦ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା।

ଏହା ପଛକୁ ରହିଛି ମଧ୍ୟପ୍ରଦେଶ। ବିଜେପି ଶାସିତ ଏହି ରାଜ୍ୟରେ ଗତ ପାଞ୍ଚ ବର୍ଷ ମଧ୍ୟରେ କ୍ରମାଗତ ଭାବରେ ୯୬୯ ଜଣଙ୍କ ମୃତ୍ୟୁ ଘଟିଛି।୨୦୨୪ରେ ଏହି ମାମଲାରେ ୨୭୭ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟ ମଧ୍ୟରେ ତାମିଲନାଡୁରେ ୬୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପଞ୍ଜାବରେ ୪୧୪ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି।

ଏହିସବୁ ରାଜ୍ୟରେଘଟି ନାହିଁ ଗୋଟିଏ ବି ଘଟଣା

ଖୁସୀର କଥା ହେଲା ଦେଶରେ ଏମିତି ବି ରାଜ୍ୟ ଅଛନ୍ତି ଯେଉଁଠି ସଡ଼କ ଗର୍ତ୍ତ ଜନିତ ଦୁର୍ଘଟଣାରେ ଗୋଟିଏ ବି ପ୍ରାଣ ଯାଇ ନାହିଁ। ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଥିବା ରାଜ୍ୟ ପୋଲିସ ରିପୋର୍ଟରୁ ସଂଗୃହିତ ତଥ୍ୟ ଦର୍ଶାଉଛି ଯେ ଆନ୍ଧ୍ରପ୍ରଦେଶ,ବିହାର ଏବଂ ଗୋଆ ସମେତ କିଛି ରାଜ୍ୟ ପାଞ୍ଚ ବର୍ଷ ମଧ୍ୟରେ କୌଣସି ଗର୍ତ୍ତ ସମ୍ବନ୍ଧୀୟ ଦୁର୍ଘଟଣା କିମ୍ବା ମୃତ୍ୟୁ ରିପୋର୍ଟ କରି କରାଯାଇ ନାହିଁ।

ଓଡ଼ିଶାର ସ୍ଥାନ କେଉଁଠି?

ବିକାଶ ଓ ଶିକ୍ଷାରେ ପଛରେ ପଡ଼ିଯାଇଥିବା ବିହାରରେ ଗୋଟିଏ ବି ଦୁର୍ଘଟଣାର ହୋଇ ନଥିବା ବେଳେ ସେହି ତୁଳନାରେ ଓଡ଼ିଶା ପ୍ରଦର୍ଶନ ଖରାପ ରହିଛି। ସଡ଼କ ଗର୍ତ୍ତଜନିତ ଦୁର୍ଘଟଣା ମୃତ୍ୟୁରେ ଓଡ଼ିଶା ୪୨୫ ମୃତ୍ୟୁ ସଂଖ୍ୟା ସହ ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ରାଜ୍ୟ ତାଲିକାରେ ପଞ୍ଚମରେ ରହିଛି। ସେହିପରି ଏହା ପଛକୁ ରହିଛିପଞ୍ଜାବ। ଏଠାରେ ୪୧୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆସାମରେ ୩୯୫ ଜଣଙ୍କ ଜୀବନ ଯାଇଛି। କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ,ଦିଲ୍ଲୀରେ ସର୍ବାଧିକ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଥାଉକି,୨୦୨୫ ମସିହାର ସଡ଼କ ଦୁର୍ଘଟଣାର ସଂଖ୍ୟା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇ ନାହିଁ।

ଗତ ୫ ବର୍ଷ ମଧ୍ୟରେ ଦେଶରେ ମୋଟ ୨୩,୦୫୬ଟି ସଡ଼଼କ ଗର୍ତ୍ତଜନିତ ଦୁର୍ଘଟଣା ରିପୋର୍ଟ ହୋଇଛି।ଏଥିରୁ ୧୯,୯୫୬ ଜଣ ଆହତ ହୋଇଥିବା ବେଳେ ୯,୬୭୦ ଜଣ ଗୁରୁତର ଆହତ ହୋଇଛନ୍ତି। ଏନେଇ ଗଡକରୀ କହିଥିଲେ ଯେ ଜାତୀୟ ରାଜପଥର ବିକାଶ ଏବଂ ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ଦାୟୀ ଥିବା ବେଳେ ସମ୍ପୃକ୍ତ ରାଜ୍ୟ ସରକାରଗୁଡ଼ିକ ସେମାନଙ୍କ ଅଧିକାର କ୍ଷେତ୍ର ମଧ୍ୟରେ ଆସୁଥିବା ରାସ୍ତା ପାଇଁ ଦାୟୀ ରହିବେ।ସେ ଆହୁରି କହିଛନ୍ତି ଯେ ସରକାର ବର୍ତ୍ତମାନ ଥିବା ଜାତୀୟ ରାଜପଥ ନେଟୱାର୍କର ରକ୍ଷଣାବେକ୍ଷଣକୁ ପ୍ରାଥମିକତା ଦେଉଛନ୍ତି। ସମସ୍ତ ବିଭାଗକୁ ଦାୟିତ୍ୱବାନ ରକ୍ଷଣାବେକ୍ଷଣ ସଂସ୍ଥାଗୁଡ଼ିକ ଦ୍ୱାରା ମରାମତି କରିବା ନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଛି।

ବିଶେଷଜ୍ଞମାନେ ତଥ୍ୟର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ମଣିପୁର,ନାଗାଲାଣ୍ଡ ଏବଂ ତ୍ରିପୁରା ଭଳି କିଛି ଛୋଟ ଉତ୍ତର-ପୂର୍ବ ରାଜ୍ୟ ଗର୍ତ୍ତଜନିତ ଦୁର୍ଘଟଣା ରିପୋର୍ଟ ହୋଇଛି।କିନ୍ତୁ ଲମ୍ବା ରାସ୍ତା ନେଟୱାର୍କ ଥିବା ବଡ଼ ରାଜ୍ୟଗୁଡ଼ିକ କୌଣସି ଦୁର୍ଘଟଣା ଦେଖାଇ ନାହାଁନ୍ତି। ତେଣୁ ଏଥିରେ ଗଡ଼ବଡ଼ି ନିଶ୍ଚୟ ରହିଛି। ତେବେ ଏଥିରୁ ସୁରକ୍ଷା ପାଇବା ପାଇଁ ଏକ ବ୍ୟବସ୍ଥା ଗଠନ କରିବାକୁ ହେଲେ ଦୁର୍ଘଟଣା ଜନିତ ସଠିକ ସୂଚନା ଦେବା ନିହାତି ଆବଶ୍ୟକ ବୋଲି ଏକ୍ସପର୍ଟମାନେ ମତ ଦେଇଛନ୍ତି।

ପରିବହନ ମନ୍ତ୍ରଣାଳୟର ରିପୋର୍ଟରୁ ଏହା ମଧ୍ୟ ଜଣାପଡ଼ୁଛି ଯେ ୨୦୧୭ରେ ଗର୍ତ୍ତଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ ୩,୫୯୭ ହୋଇଥିଲା। ଏହାପରେ ଏଥିରେ ଉଲ୍ଲଖନୀୟ ହ୍ରାସ ଘଟିଛି।କିନ୍ତୁ୨୦୨୧ ପରେ ଦୁର୍ଘଟଣା ଧାରା ବଢ଼ିବା ନିହାତି ପକ୍ଷେ ଚିନ୍ତାର ବିଷୟ।