E20 Petrol: ଏପ୍ରିଲ ଠାରୁ ଗାଡିରେ ପକାଇବେ ଇଥାନଲ ମିଶା ପେଟ୍ରୋଲ, ମାଇଲେଜ୍‌ କମିବ ନା ବଢିବ ? ଗାଡ଼ି ଖରାପ ହେବାର ବି ରହିଛି ଅଭିଯୋଗ

NEWS7
know-about-ganga-snan-in-ganga-saptami

ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ସାରା ଦେଶରେ ବିକ୍ରି ହେବ ଇଥାନଲ ମିଶ୍ରିତ ପେଟ୍ରୋଲ। ଏହାକୁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର। ତେଣୁ ଏପ୍ରିଲ ମାସରେ ଆପଣ ଗାଡ଼ିରେ ଯେଉଁ ତେଲ ପକାଇବେ ସେଥିରେ ୮୦ ପ୍ରତିଶତ ପେଟ୍ରୋଲ ଓ ୨୦ ପ୍ରତିଶତ ଥିବ ଇଥାନଲ। ଏନେଇ ଗୁରୁବାର କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଥିଲା। ଯେଉଁଥିରେ E20 ପେଟ୍ରୋଲ ବିକ୍ରିକୁ ବାଧ୍ୟତାମୂଳକ କରାଯାଇଛି। ଆଜି ଏହି ପ୍ରସଙ୍ଗକୁ ନେଇ ଆଲୋଚନା କରିବା। 

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତୈଳ କମ୍ପାନୀଗୁଡ଼ିକୁ ଏବେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୨୦% ଇଥାନଲ୍ ମିଶ୍ରିତ ପେଟ୍ରୋଲ ଯୋଗାଇବେ। ହେଲେ ଏହା ପୂର୍ବରୁ ଦେଶର ଅନେକ ସ୍ଥାନରେ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି ୨୦୨୩ରୁ ଆରମ୍ଭ ହୋଇଯାଇଛି। କିନ୍ତୁ ସେତେବେଳେ ଏହା ଅପସନାଲ ଥିଲା, ଆଉ ଏବେ ବାଧ୍ୟତାମୂଳକ  ଗୁରୁବାର ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା।

ଏହି ନିର୍ଦ୍ଦେଶ ଅନୁସାରେ ତୈଳ କମ୍ପାନୀଗୁଡ଼ିକୁ ଏବେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୨୦% ଇଥାନଲ୍ ମିଶ୍ରିତ ପେଟ୍ରୋଲ ଯୋଗାଇବେ। ଅର୍ଥାତ ଆପଣ ଏପ୍ରିଲ ପହିଲାରୁ ଗାଡ଼ିରେ ଯେଉଁ ପେଟ୍ରୋଲ ପକାଇବେ ତାହା ଇଥାନଲ ମିଶ୍ରିତ ଥିବ। ନିୟମ ଅନୁସାରେ, ୮୦ ପ୍ରତିଶତ ପେଟ୍ରୋଲରେ ମିଶାଯିବ ୨୦ ପ୍ରତିଶତ ଇଥାନଲ। ପ୍ରଥମେ ଦେଶରେ ଇ-୨୦ ପେଟ୍ରୋଲ ବିକ୍ରି ନିୟମ ଲାଗୁ କରିବା ପାଇଁ ସରକାର ୨୦୩୦କୁ ଟାର୍ଗେଟ୍ ନେଇଥିଲେ। ହେଲେ ଏବେ ଏହି ଟାର୍ଗେଟ୍କୁ ୨୦୨୫-୨୬କୁ ହ୍ରାସ କରିବାରୁ ଚଳିତ ବର୍ଷ ଏପ୍ରିଲ ପହିଲାରୁ ଏହା ଲାଗୁ ହୋଇଛି।ଇଞ୍ଜିନ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହି ଇନ୍ଧନ ପାଇଁ ରିସର୍ଚ୍ଚ ଅକ୍ଟେନ୍ ନମ୍ବର (RON)କୁ ସର୍ବନିମ୍ନ ୯୫ ରଖିବାକୁ ସ୍ଥିର କରାଯାଇଛି। RON ଇନ୍ଧନର ନକିଂ ରୋକିବାର କ୍ଷମତାକୁ ସୂଚିତ କରେ।

RON ହେଉଛି ଏକ ମାନକ, ଯାହା ଇନ୍ଧନ କେତେ ଦୃଢ଼ କିମ୍ବା ସହନଶୀଳ ତାହା ସୂଚାଏ। RON ସଂଖ୍ୟା ଯେତେ ଅଧିକ ହେବ, ତାହା ଇଞ୍ଜିନ ଚାପକୁ ସେତେ ସହ୍ୟ କରିପାରିବ। ଏବଂ ବିନା କୌଣସି ଆୱାଜ ଝଟକାରେ ଠିକ ସମୟରେ ଜଳିବ। ଏଥିରେ ଇଞ୍ଜିନରେ ଲାଇଫ ବଢ଼ିବା ସହିତ ଏହା ସୂଚାରୁରୂପରେ ଚାଲିବ। ତେବେ ଏପର୍ଯ୍ୟନ୍ତ ଭାରତରେ ବିକ୍ରି ହେଉଥିବା ସାଧାରଣ ପେଟ୍ରୋଲରେ ୯୧ RON ରହିଛି ଏବଂ କେବଳ 'ପ୍ରିମିୟମ୍' ପେଟ୍ରୋଲ (ଯେପରିକି XP95) ୯୫ RON ମିଳୁଛି। କମ RON ହେଲେ ପେଟ୍ରୋଲ ଜଳିବା ପୂର୍ବରୁ ଏହା ଏକ୍ସପ୍ଲୋଡ୍ କରିଥାଏ।,ଫଳରେ ଇଞ୍ଜିନ ଅଧିକ ଆୱାଜ କରିଥାଏ। ହେଲେ ଅଧିକ ଅକ୍ଟେନ ରେଟିଂ ପେଟ୍ରୋଲ ପକାଇଲେ ଇଞ୍ଜିନ ସ୍ମୁଥ ଚାଲେ।
୨୦୨୩ରୁ ଦେଶର କେତେକ ସ୍ଥାନରେ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି ହୋଇ ଆସୁଛି। ହେଲେ ସେତେବେଳେ ଏହା ଏକ ବିକଳ୍ପ ରୂପେ ବ୍ୟବହାର କରାଯାଉଥିଲା। ତେବେ ଏପ୍ରିଲ ପହିଲାରୁ ସାରା ଦେଶରେ ଏହାକୁ ବାଧ୍ୟତାମୂଳକ କରାଯାଇଛି। ଯଦିଓ ଏଥିପାଇଁ ୨୦୩୦କୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ହେଲେ ସରକାର ଏହାକୁ ଶୀଘ୍ର ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କଣ ଏହି ଇଥାନଲ? ସରକାର ଏଭଳି ନିଷ୍ପତ୍ତି କାହିଁକି ନେଲେ ? ଏଥିରେ ସାଧାରଣ ଲୋକଙ୍କର କଣ ଫାଇଦା ହେବ? ଆସନ୍ତୁ ଜାଣିବା।

ଇଥାନଲ୍ ହେଉଛି ଷ୍ଟାର୍ଚ୍ଚ ଏବଂ ସୁଗାର ଦ୍ୱାରା ବୈଜ୍ଞାନିକ ପ୍ରକ୍ରିୟାରେ ଉତ୍ପାଦିତ ଏକ ପ୍ରକାରର ଆଲକୋହଲ୍। ଏହାକୁ ପେଟ୍ରୋଲରେ ମିଶ୍ରଣ କରାଯାଏ ଏବଂ ଯାନବାହନରେ ପରିବେଶ ଅନୁକୂଳ ଇନ୍ଧନ ଭାବରେ ବ୍ୟବହାର କରାଯାଏ। ଇଥାନଲ୍ ମୁଖ୍ୟତଃ ଆଖୁ ରସରୁ ଉତ୍ପାଦିତ ହୁଏ, କିନ୍ତୁ ଏହା ମକା, ପଚା ଆଳୁ, କାସାଭା ଏବଂ ପଚା ପନିପରିବା ଭଳି ଷ୍ଟର୍ଚ୍ଚ ଯୁକ୍ତ ସାମଗ୍ରୀରୁ ମଧ୍ୟ ଉତ୍ପାଦିତ ହୋଇପାରେ।ଏହା ସାଧାରଣ ପେଟ୍ରୋଲ ଅପେକ୍ଷା କମ ସ୍ୱଚ୍ଛ ଭାବେ ଜଳିଥାଏ, ଯାହା ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବାରେ ସାହାଯ୍ୟ କରେ।

ଇଥାନଲର ଏକ ଉଚ୍ଚ ଅକ୍ଟାନ୍ ରେଟିଂ ଅଛି, ଯାହା ଇଞ୍ଜିନ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାରେ ଏବଂ ଡକିଂ (ଅସମାନ ଦହନ) ରୋକିବାରେ ସାହାଯ୍ୟ କରେ। ପେଟ୍ରୋଲ ସହିତ ଇଥାନଲ ମିଶ୍ରଣ ଦ୍ୱାରା, ଇନ୍ଧନ ଅଧିକ ପରିବେଶ ଅନୁକୂଳ ଏବଂ ଦକ୍ଷ ହୋଇଥାଏ। ଏଥିରେ କ୍ୟାଟେଗୋରୀ ରହିଥାଏ। 1G ଇଥାନଲ, ଅର୍ଥାତ୍ ଫାଷ୍ଟ ଜେନେରେସନ ଇଥାନଲ୍ ଆଖୁ ରସ, ମିଠା ବିଟ୍, ପଚା ଆଳୁ, ମିଠା ଜ ଏବଂ ମକାରୁ ତିଆରି କରାଯାଏ। ସେହିପରି ଥାର୍ଡ ଜେନେରେସନ ଇଥାନଲକୁ ଶୈବାଳରେ ତିଆରି କରାଯିବ। ଏନେଇ ଗବେଷଣା ଜାରି ରହିଛି।

ପେଟ୍ରୋଲ ଏବଂ ଡିଜେଲ ଯାନରୁ ବାୟୁ ପ୍ରଦୂଷଣ ହ୍ରାସ କରିବା ଏବଂ ଇନ୍ଧନ ଖର୍ଚ୍ଚ ହ୍ରାସ କରିବା ପାଇଁ, ବିଶ୍ୱର ବିଭିନ୍ନ ସରକାର ଇଥାନଲ ମିଶ୍ରିତ ଇନ୍ଧନ ଉପରେ କାମ କରୁଛନ୍ତି। ଇଥାନଲ ମିଶ୍ରିତ ଇନ୍ଧନ ଖାଲି ପେଟ୍ରୋଲ ଅପେକ୍ଷା ୩୫% କମ କାର୍ବନମନୋକସାଇଡ୍ ନିର୍ଗମନ କରିଥାଏ। ସଲଫର ଡାଇଅକ୍ସାଇଡ୍ ଏବଂ ହାଇଡ୍ରୋକାର୍ବନ ନିର୍ଗମନକୁ ମଧ୍ୟ ହ୍ରାସ କରେ। ଇଥାନଲରେ ୩୫% ଅମ୍ଳଜାନ ପରିମାଣ ଥିବା ଯୋଗୁ, ଏହି ଇନ୍ଧନ ନାଇଟ୍ରୋଜେନ୍ ଅକ୍ସାଇଡ୍ ନିର୍ଗମନକୁ ମଧ୍ୟ ହ୍ରାସ କରେ।

ଭାରତରେ ମଧ୍ୟ, ଇଥାନଲକୁ ପେଟ୍ରୋଲ ଏବଂ ଡିଜେଲର ବିକଳ୍ପ ଭାବରେ ବିବେଚନା କରାଯାଉଛି। ତେବେ ପେଟ୍ରୋଲିୟମ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ କିଛି ବ୍ୟତିକ୍ରମିକ ପରିସ୍ଥିତିରେ, କିଛି କ୍ଷେତ୍ରକୁ ସୀମିତ ଅବଧି ପାଇଁ ଏହି ନିୟମରୁ ମୁକ୍ତ କରାଯାଇପାରେ। ତଥାପି, ଏହି ନିୟମ ମୁଖ୍ୟତଃ ଦେଶର ଇନ୍ଧନ ଷ୍ଟେସନଗୁଡ଼ିକରେ ପ୍ରଯୁଜ୍ୟ ହେବ। ଇଥାନଲ ଯାନବାହନ ମାଇଲେଜକୁ ମଧ୍ୟ ଉନ୍ନତ କରିବ। ତେବେ ସରକାରଙ୍କର ଏହି ନିଷ୍ପତ୍ତି ପଛରେ ଏକ ବଡ଼ କାରଣ ହେଲା ବିଦେଶରୁ ଅଶୌଧିତ ତୈଳ ଆମଦାନୀ ଉପରେ ନିର୍ଭରତା ହ୍ରାସ କରିବା।

ପେଟ୍ରୋଲିୟମ ମନ୍ତ୍ରଣାଳୟର ଆକଳନ ଅନୁଯାୟୀ, ଭାରତ ୨୦୧୪-୧୫ ମସିହାରୁ ପେଟ୍ରୋଲ ସହିତ ଇଥାନଲ୍ ମିଶ୍ରଣ କରି ୧.୪୦ ଲକ୍ଷ କୋଟି ଟଙ୍କାରୁ ଅଧିକ ବୈଦେଶିକ ମୁଦ୍ରା ସଞ୍ଚୟ କରିଛି। ଏହା ବ୍ୟତୀତ, ଆଖୁ, ମକା ଏବଂ ଶସ୍ୟରୁ ଇଥାନଲ୍ ଉତ୍ପାଦନ କରାଯାଏ, ଯାହା ଚାଷୀଙ୍କ ଆୟକୁ ମଧ୍ୟ ବୃଦ୍ଧି କରିବ। ଚିନି କଳଗୁଡ଼ିକ ଆୟର ଏକ ନୂଆ ଉତ୍ସ ପାଇବେ ଏବଂ ସେମାନଙ୍କର ରୋଜଗାର ବୃଦ୍ଧି ପାଇବ। ଇଥାନଲ୍ ଚାଷୀମାନଙ୍କୁ ୨୧,୦୦୦ କୋଟି ଟଙ୍କା ଲାଭ ମଧ୍ୟ ଦେଇସାରିଛି।

ଭାରତରେ ପ୍ରଥମେ ୫% ଇଥାନଲ ମିଶ୍ରଣକୁ ଅନୁମୋଦନ ମିଳିଥିଲା। ବର୍ତ୍ତମାନ ଏହା ୨୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଛି। ତେବେ ଆଗକୁ ସରକାର ୨୦ ପ୍ରତିଶତରୁ ୮୦ ପ୍ରତିଶତ ଇଥାନଲ ମିଶ୍ରଣ କରିବାକୁ ଟାର୍ଗେଟ୍ ରଖିଛନ୍ତି। ଇଥାନଲ୍ ମିଶ୍ରିତ ପେଟ୍ରୋଲରେ ଚାଲୁଥିବା ଗାଡ଼ିଗୁଡ଼ିକ ପେଟ୍ରୋଲ ତୁଳନାରେ ବହୁତ କମ୍ ଗରମ ହୁଏ। ଇଥାନଲ୍ରେ ଥିବା ଆଲକୋହଲ୍ ଶୀଘ୍ର ବାଷ୍ପୀଭୂତ ହୋଇଯାଏ, ଯାହା ଇଞ୍ଜିନ୍ ଅଧିକ ଗରମ ହେବା ରୋକିଥାଏ। ଏହା ସହିତ, ଏହା ଅଶୋଧିତ ତେଲ ତୁଳନାରେ ଯଥେଷ୍ଟ ଶସ୍ତା ହେବ। ଏହା ମୁଦ୍ରାସ୍ଫୀତିରୁ ମଧ୍ୟ ମୁକ୍ତି ଦେବ ବୋଲି ଆଶା କରାଯାଉଛି।

ପେଟ୍ରୋଲରେ ଇଥାନଲ ମିଶାଇବାକୁ ନେଇ ବିବାଦ ହୋଇସାରିଛି।
ବିଶେଷଜ୍ଞଙ୍କ ମତ ଅନୁସାରେ, ପୂରୁଣା ଗାଡ଼ିଗୁଡ଼ିକରେ ଇଥାନଲ ମିଶ୍ରିତ ଇନ୍ଧନ ପକାଇଲେ ମାଇଲେଜ୍ ୩ରୁ ୭ ପ୍ରତିଶତ ହ୍ରାସ ପାଇପାରେ। ପୁରୁଣା ଇଞ୍ଜିନଗୁଡ଼ିକ ଦୀର୍ଘ ସମୟ ଧରି ବ୍ୟବହାର କରିବା ଯୋଗୁ ରବର ଏବଂ ପ୍ଲାଷ୍ଟିକ୍ ଅଂଶଗୁଡ଼ିକ ଛିଣ୍ଡିଯିବାର ସମ୍ଭାବନା ଅଧିକ ଥାଏ। ହେଲେ ନୂଆ ଗାଡ଼ିପାଇଁ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ। କାରଣ ୨୦୨୩ ରୁ ୨୦୨୫ ମଧ୍ୟରେ ନିର୍ମିତ ଅଧିକାଂଶ ଯାନ E-20 ଇନ୍ଧନ ପାଇଁ ଡିଜାଇନ୍ କରାଯାଇଛି। ଏପ୍ରିଲରୁ, ଦେଶରେ କେବଳ ଫ୍ଲେକ୍ସ-ଫୁଏଲନ କମ୍ପ୍ଲାଇଟ୍ ଗାଡ଼ିଗୁଡ଼ିକ ବିକ୍ରି ହେବ। ପୁରୁଣା ଯାନଗୁଡ଼ିକୁ ମଧ୍ୟ ଇଥାନଲ୍-କମ୍ପ୍ଲାଇଣ୍ଟ ଯାନରେ ପରିବର୍ତ୍ତନ କରାଯାଇପାରିବ।

ତେବେ ୨୦୨୩ରେ ଦେଶର କେତେକ ସ୍ଥାନରେ ଇଥାନଲ ମିଶ୍ରିତ ଇନ୍ଧନ ବିକ୍ରି ହେବା ପରେ ବଡ଼ ବିବାଦ ଆରମ୍ଭ ହୋଇଥିଲା। ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା। ଗତ ବର୍ଷ ସେପ୍ଟେମ୍ବରରେ ପେଟ୍ରୋଲରେ ଇଥାନଲ ମିଶାଇବା ଯୋଜନାକୁ ଚାଲେଞ୍ଜ କରୁଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ। ଆବେଦନକାରୀ ଦର୍ଶାଇଥିଲେ ଯେ, ୨୦୨୩ ଏପ୍ରିଲ ପୂର୍ବରୁ ଭାରତରେ ତିଆରି ହୋଇଥିବା ଗାଡ଼ିଗୁଡ଼ିକ ଇଥାନଲ ମିଶ୍ରିତ ପେଟ୍ରୋଲ ସହ କାମ କରିପାରିବେ ନାହିଁ। ଏହା ସହ BS-VI ଷ୍ଟାଣ୍ଡାର୍ଡର ଗାଡ଼ି ମଧ୍ୟ ଏଥିପାଇଁ ସକ୍ଷମ ନୁହେଁ। ଏଥିପାଇଁ ଉପଭୋକ୍ତାଙ୍କୁ ବିନା ଇଥାନଲ ତେଲ ବାଛିବାକୁ ବିକଳ୍ପ ଦିଆଯିବା ଦରକାର।



ଆବେଦନକାରୀଙ୍କ ଓକିଲ ୨୦୨୧ର ନୀତି ଆୟୋଗର ଏକ ରିପୋର୍ଟ ଦର୍ଶାଇ ଥଲେ। ଯେଉଁଥିରେ ପୁରୁଣା ଗାଡ଼ିକୁ ବିଶେଷକରି ୨୦୨୩ ପୂର୍ବରୁ ତିଆରି ହୋଇଥିବା ଗାଡ଼ି ପାଇଁ ଇଥାନଲ ମିଶ୍ରିତ ପେଟ୍ରୋଲରେ ମାଇଲେଜ ୬% କମ୍ ହେବାର ଚିନ୍ତା ପ୍ରକଟ କରିଥିଲେ। ଏହା ସହ ଲୋକଙ୍କୁ ଇ- ୨୦ ସହ ସାଧାରଣ ପେଟ୍ରୋଲ ବିକଳ୍ପ ଦିଆଯିବା ଆବଶ୍ୟକ ବୋଲି ଦାବି କରିଥିଲେ। କେବଳ ସେତିକି ନୁହେଁ ସରକାର ୨୦% ଇଥାନଲ ମିଶାଇବା ପରେ ବି ପେଟ୍ରୋଲ ଦାମ୍ କମ୍ ହୋଇ ନାହିଁ କି ଗ୍ରାହକଙ୍କୁ ଏହାର ଲାଭ ମିଳୁ ନାହିଁ ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ। ତେବେ ଆବେଦନକାରୀ ଇଂଲଣ୍ଡ ବାସିନ୍ଦା ହୋଇଥିବାରୁ କୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଥିଲେ।

ଏହା ପୂର୍ବରୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଗତ ଅଗଷ୍ଟ ମାସରେ ଏହି ପ୍ରସଙ୍ଗରେ କହିଥିଲା ଇ୨୦ ଫୁଏଲ ଦ୍ୱାରା ଗାଡ଼ିକୁ କୌଣସି କ୍ଷତି ହେବ ନାହିଁ। ମନ୍ତ୍ରଣାଳୟ ଅନୁସାରେ, ଦୀର୍ଘ ସମୟର ପରୀକ୍ଷଣ ପରେ ୧ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ଗାଡ଼ିକୁ ଇ-୨୦ରେ ଚଲାଯାଇଥିଲା। ଆଉ ପ୍ରତି ୧୦ ହଜାର କିଲୋମିଟରରେ ଚେକ୍ କରାଯାଇଥିଲା। ଏଥିରେ ପାଓ୍ବାର, ଟର୍କ ଏବଂ ମାଇଲେଜରେ କୌଣସି ବିଶେଷ ଫରକ ପଡ଼ିନଥିଲା ବୋଲି ଜଣାପଡ଼ିଥିଲା। ତେବେ ନୂଆ ଗାଡ଼ିରେ ମାଇଲେଜ ୧-୨% ଏବଂ ପୁରୁଣା ଗାଡ଼ିରେ ୩-୬% ପର୍ଯ୍ୟନ୍ତ କମିପାରେ ବୋଲି ସରକାର ସ୍ୱୀକାର କରିଥିଲେ।

ଇ-୨୦ ଯୋଗୁ ଇଞ୍ଜିନ ଏବଂ ଗାଡ଼ିର ପାର୍ଟସ ଖରାପ ହୋଇପାରେ ବୋଲି ମଧ୍ୟ ଲୋକେ ପ୍ରଶ୍ନ ଉଠାଇଥିଲେ। ସ୍ପଷ୍ଟକୀରଣ ଦେଇ ମନ୍ତ୍ରଣାଳୟ କହିଥିଲା ଇ-୨୦ କଳଙ୍କ ରୋଧୀ ତତ୍ତ୍ୱ ମିଶ୍ରଣ କରାଯାଇଛି ଏବଂ ବିଆଇଏସ ଏବଂ ଅଟୋମୋଟିଭ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ ଅନୁସାରେ ସୁରକ୍ଷା ସୁନିଶ୍ଚିତ କରାଯାଇଛି। ଯଦି ପୁରୁଣା ଗାଡ଼ିରେ ୨୦,୦୦୦ ରୁ ୩୦, ୦୦୦ କିଲୋମିଟର ଚଲାଇବା ପରେ ରବର ପାର୍ଟସ କିମ୍ବା ଗାସ୍କେଟସ ବଦଳାଇବାକୁ ପଡ଼ୁଛି। ତେବେ ଏହା ନିୟମିତ ରକ୍ଷଣାବେକ୍ଷଣର ଅଂଶ। ଆଉ ଏହା ଶସ୍ତା। ଏଥିରେ ଅଧିକ ଖର୍ଚ୍ଚ ହୁଏ ନାହିଁ ବୋଲି ସରକାର ସ୍ପଷ୍ଟୀକରଣ ଦେଇଥିଲେ।