LIVE TV

ଗରିବ ବନ୍ଦୀଙ୍କ ଲାଗି ସୁପ୍ରିମ କୋର୍ଟଙ୍କ ଐତିହାସିକ ନିଷ୍ପତ୍ତି, ଜାମିନ ପାଇଁ ଅର୍ଥ ନଥିଲେ ମୁକ୍ତି ସୁନିଶ୍ଚିତ କରିବେ ସରକାର

NEWS7
knife-attack-at-france-church-3-dead

ନୂଆଦିଲ୍ଲୀ ୧୯।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାଖାପାଖି ୩ ବର୍ଷ ପୂର୍ବେ ତତ୍କାଳୀନ ଚିଫଜଷ୍ଟିସ୍ (ସିଜେଆଇ)ଙ୍କ ଆଗରେ ମଞ୍ଚରେ କହିଥିଲେ ଜାମିନ ରାଶି ନ ଦେଇ ପାରିବା କାରଣରୁ ଗରିବ ଆଦିବାସୀ ଜାମିନ ମିଳିଲେ ବି ଜେଲରୁ ମୁକୁଳି ପାରୁ ନାହାନ୍ତି। ପରେ ସୁପ୍ରିମକୋର୍ଟ ଏହାର ଅପଡେଟ୍ ନେଇ ମାମଲାର ସ୍ୱତଃ ସଂଜ୍ଞାନ ନେଇଥିଲେ। ଏ ନେଇ ଦେଶରେ ଦୀପାବଳି ଉତ୍ସବ ଅବସରରେ ଏକ ଭଲ ଖବର ଆସୁଛି। ଜେଲରୁ ଗରିବ ବନ୍ଦୀଙ୍କ ମୁକ୍ତି ପାଇଁ ସୁପ୍ରିମକୋର୍ଟ ଏକ ଅନନ୍ୟ ମାନକ ସଞ୍ଚାଳନ ପ୍ରକ୍ରିୟା (ଏସଓପି) ପ୍ରସ୍ତୁତ କରିଛନ୍ତି।

ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ଯେ କୌଣସି ଅପରାଧ ଲାଗି ଗିରଫ ହୋଇଥିବା ଓ ମକଦ୍ଦମା ଶୁଣାଣି କାଳରେ ଜେଲରେ ବନ୍ଦୀ କୌଣସି ଗରିବ ବ୍ୟକ୍ତି ଯଦି ଜାମିନ ବାବଦ ଦେୟ ପୈଠ କରିବାରେ ଅସମର୍ଥ ହୁଅନ୍ତି ତେବେ ସରକାର ତାଙ୍କର ମୁକ୍ତି ସୁନିଶ୍ଚିତ କରିବେ। ସ୍ପଷ୍ଟ ରୂପେ କୁହାଯାଇଛି ଯେ ସରକାର ଲିଗାଲ ସର୍ଭିସ ଅଥରିଟିଙ୍କ ମାଧ୍ୟମରେ ଜାମିନ ରାଶି ଉପଲବ୍ଧ କରିବେ। ଏହି ନୂଆ ଏସଓପି ସୁପ୍ରିମକୋର୍ଟ ଆମିକସକ୍ୟୁରୀ(ନ୍ୟାୟ ମିତ୍ର)ଙ୍କ ପରାମର୍ଶରେ ପ୍ରସ୍ତୁତ କରିଛନ୍ତି।

ସର୍ବାଚ୍ଚ ନ୍ୟାୟାଳୟଙ୍କ ବିଚାରପତି ଜଷ୍ଟିସ୍ ଏମ.ଏମ.ସୁନ୍ଦରେସ ଓ ଜଷ୍ଟିସ୍ ଏସ.ସି.ଶର୍ମାଙ୍କ ପୀଠ ଏମିକସକ୍ୟୁରୀ, ବରିଷ୍ଠ ଅଧିବକ୍ତା ସିଦ୍ଧାର୍ଥ ଲୁଥରା ଓ ଆଡିସନାଲ ସୋଲିସିଟର ଜେନେରାଲ ଐଶ୍ୱର୍ଯ୍ୟ ଭାଟିଙ୍କ ପରାମର୍ଶକୁ ସାମିଲ କରିଛନ୍ତି। ସୁପ୍ରିମକୋର୍ଟ ଏଥି ପ୍ରତି ସେବେ ଧ୍ୟାନ ଦେଲେ ଯେତେବେଳେ ଜାଣିଲେ ହଜାରହାଜର ବିଚାରାଧୀନ ବନ୍ଦୀ ଯେଉଁମାନଙ୍କୁ ଜାମିନ ମିଳିଥିଲେ ମଧ୍ୟ ଜେଲରେ ଏଥି ପାଇଁ ପଡିଛନ୍ତି ଯେ ସେମାନେ ଜାମିନ ବାବଦ ରାଶି ପୈଠ କରି ପାରୁ ନାହାନ୍ତି। 

ସୁପ୍ରିମକୋର୍ଟ ପୀଠଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ଲିଗାଲ ସର୍ଭିସ ଅଥରିଟି (ଡିଏଲଏସଏ) ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜାମିନ ରାଶି ଦାଖଲ କରିପାରିବେ। ଯଦି ନିମ୍ନ କୋର୍ଟ ୧ ଲକ୍ଷ ଟଙ୍କାରୁ ଅଧିକ ଜାମିନ ରାଶି ନିର୍ଦ୍ଧାରିତ କରିଥାନ୍ତି ତେବେ ଏହାକୁ କମ କରିବା ପାଇଁ ଡିଏଲଏସଏ ଆବେଦନ ଦାଖଲ କରିପାରିବେ। ଗାଇଡଲାଇନରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୌଣସି ବିଚାରାଧୀନ ବନ୍ଦୀଙ୍କୁ ଜାମିନ ମିଳିବାର ୭ ଦିନ ମଧ୍ୟରେ ଜେଲରୁ ମୁକ୍ତି ନ ମିଳେ ତେବେ ଜେଲ ଅଧିକାରୀ ଡିଏଲଏସଏ  ସଚିବଙ୍କୁ ସୂଚନା ଦେବେ। ଏହା ପରେ ସେ ତୁରନ୍ତ ଏପରି ଜଣେ ବ୍ୟକ୍ତିଙ୍କୁ ଏହା ସତ୍ୟାପିତ କରିବାକୁ ନିଯୁକ୍ତି କରିବେ ଯିଏ ବିଚାରାଧୀନ ବନ୍ଦୀଙ୍କ ସଞ୍ଚୟ ଖାତାରେ ପଇସା ଅଛି କି ନା ଯାଞ୍ଚ କରିବେ।

ଯଦି ଅଭିଯୁକ୍ତଙ୍କ ନିକଟରେ ଅର୍ଥ ନଥାଏ ତେବେ ଜିଲ୍ଲାସ୍ତରୀୟ ଅଧିକାର ପ୍ରାପ୍ତ କମିଟି ରିପୋର୍ଟ ମିଳିବା ତାରିଖରୁ ୫ ଦିନ ମଧ୍ୟରେ ଡିଏଲଏସଏଙ୍କ ସୁପାରିଶରେ ଜାମିନ ଲାଗି ଧନରାଶି ଜାରି କରିବାକୁ ନିର୍ଦ୍ଦେଶ ଦେବେ। ସୁପ୍ରିମକୋର୍ଟ କହିଛନ୍ତି ଯେ ଏପରି ମାମଲାରେ ଯେଉଁଠି ଅଧିକାର ପ୍ରାପ୍ତ କମିଟି ଏହା ସୁପାରିଶ କରନ୍ତି ଯେ ବିଚାରାଧୀନ ବନ୍ଦୀଙ୍କୁ ଗରୀବ କୈଦୀ ସହାୟତା ଯୋଜନା ରେ ଆର୍ଥିକ ସହାୟତାର ଲାଭ ଦିଆଯାଉ। ସେ କ୍ଷେତ୍ରରେ କୈଦୀଙ୍କ ଲାଗି ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆପେକ୍ଷିତ ରାଶି ନିର୍ଦ୍ଧାରିତ ଉପାୟରେ ବାହାର କରି ସମ୍ବଦ୍ଧିତ ନ୍ୟାୟାଳୟଙ୍କୁ ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇ ପାରିବ।