LIVE TV

ଆଜି ହେବ ଅବପାତ, ୨୬ ଯାଏ ବର୍ଷା: ୨୪ ସୁଦ୍ଧା ଦୁଇ ଲଘୁଚାପ ମିଶିଯିବେ

NEWS7
kishori-pednekar-of-sibsena-elected-as-bmc-mayor

ଭୁବନେଶ୍ୱର,୨୨/୧୦: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ବୁଧବାର ଅପରାହ୍ନ ସୁଦ୍ଧା ଅବପାତରେ ପରିଣତ ହେବ । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ତାମିଲନାଡୁ, ପଣ୍ଡିଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇବା ସହ ଅଧିକ ଘନୀଭୂତ ହୋଇପାରେ । କିନ୍ତୁ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡ଼ିବନି । ଆସନ୍ତା ୨୬ତାରିଖ ଯାଏ ରାଜ୍ୟରେ ବର୍ଷା ହେବ । ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ୨୫ ଓ ୨୬ ତାରିଖରେ କିଛି ସ୍ଥାନରେ ଭାରି ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଆକଳନ କରିଛି ।

ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି, ୨୨ ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର କିଛି ସ୍ଥାନରେ ବର୍ଷା ସହିତ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି କୁହାଯାଇଛି । ୨୩ ଓ ୨୪ ତାରିଖରେ ବି ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।

୨୫ ଓ ୨୬ ତାରିଖରେ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ଭାରି ବର୍ଷା ହେବ ବୋଲି ଆଇଏମ୍‌ଡି ଆକଳନ କରିଛି । ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କହିଛନ୍ତି, ଏବେ ଯେଉଁ ସ୍ପଷ୍ଟ ଚିହ୍ନିତ ଲଘୁଚାପ(ୱେଲ ମାର୍କ ଲୋ ପ୍ରେସର) ସୃଷ୍ଟି ହୋଇଛି ତାହା ୨୩ ବା ୨୪ରେ ଅବପାତ ହେବାର ସମ୍ଭାବନା କମ୍‌ । କିନ୍ତୁ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବସ୍ଥାରେ ଏହା ଦ୍ୱିତୀୟ ଲଘୁଚାପ ସହ ମିଶିଯିବ । ୨୪ ବା ୨୫ ତାରିଖରେ ଆଉ ଏକ ଲଘୁଚାପ(ଦ୍ୱିତୀୟ ଲଘୁଚାପ) ସୃଷ୍ଟି ହେବ ।

ଏବେକାର ସ୍ପଷ୍ଟ ଚିହ୍ନିତ ଲଘୁଚାପ ଏହି ସମ୍ଭାବ୍ୟ ଲଘୁଚାପ ସହ ମିଶିବ । କିନ୍ତୁ ଏହା କେତେ ଘନୀଭୂତ ହେବ ଓ ଗତିପଥ କଣ ରହିବ, ତାହା ଏବେଠାରୁ ସ୍ପଷ୍ଟ ହୋଇନି । ୨୪ ତାରିଖ ବେଳକୁ ଏହା ଅଧିକ ସ୍ପଷ୍ଟ ହେବ । ସେ ପୁଣି କହିଛନ୍ତି, ଏବେ ଦକ୍ଷିଣ ବଙ୍ଗୋପସାଗରରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହେଉଛି । ଏହା ପ୍ରତ୍ୟାବର୍ତ୍ତନ କରିନି । ପୁଣି ଉତ୍ତର ପୂର୍ବ ମୌସୁମୀ ବାୟୁ ଆସିବାକୁ ଚେଷ୍ଟା କରୁଛି । ଏହା ଟ୍ରାନ୍‌ଜିସନ୍‌ ପିରିଅଡ୍‌ । ବାୟୁମଣ୍ଡଳ ଓ ସମୁଦ୍ରର ପରିସ୍ଥିତି ତତ୍କାଳ ବଦଳିବା ଯୋଗୁ ଏବେଠାରୁ ଠିକ୍‌ ପୂର୍ବାନୁମାନ କରିହେଉନି ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର(ସିଇସି) ନିର୍ଦ୍ଦେଶକ ଡ. ଶରତ ସାହୁ ଆକଳନ କରି କହିଛନ୍ତି, ଏବେ ଯେଉଁ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅଛି ତାହା ବୁଧବାର ରାତିରେ ତାମିଲନାଡୁ ଓ ଆନ୍ଧ୍ର ଉପକୂଳ ଅତିକ୍ରମ କରିଯିବ । ଏହା ସର୍ବାଧିକ ଅବପାତ ଯାଏ ଘନୀଭୂତ ହୋଇପାରେ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗତେ ଆଗକୁ ବଢ଼ି ଉପକୂଳ ଅତିକ୍ରମ କରିବ । ରାଜ୍ୟରେ ୨୪ରୁ ୨୬ ଯାଏ ଅଳ୍ପ ବର୍ଷା ସମ୍ଭାବନା ଅଛି । ୨୫ ତାରିଖରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଭାରି ବର୍ଷା ହୋଇପାରେ ।

୨୫ ଓ ୨୬ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ହୋଇପାରେ । ଦକ୍ଷିଣ ବଙ୍ଗୋପସାଗରରେ ଏହା ସୃଷ୍ଟି ହେବାର ଅଛି । ଏହା ଅଧିକ ଘନୀଭୂତ ହୋଇ ଲଘୁଚାପ ଓ ଅବପାତ ଯାଇପାରେ । କିନ୍ତୁ ଏହାର ଗତିପଥ ସ୍ପଷ୍ଟ ହୋଇନି । ସେହିଭଳି ୨୯ ଓ ୩୦ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ହେବ ଆଉ ଏକ ଘୂର୍ଣ୍ଣିବଳୟ ହେବ ବୋଲି ସେ କହିଛନ୍ତି । ଏହା ଲଘୁଚାପ ବି ହୋଇପାରେ ।