‘କେଜ୍ରିୱାଲ ନିଜ ହିତକୁ ରାଷ୍ଟ୍ର ହିତ ଉପରେ ରଖିଛନ୍ତି, କେବଳ କ୍ଷମତାର ଲୋଭ’, କଡ଼ା ଶବ୍ଦରେ ଭର୍ତ୍ସନା କଲେ ଦିଲ୍ଲୀ ହାଇକୋର୍ଟ

Published By : Prameya-News7 Bureau | April 26, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ନଗର ନିଗମ (ଏମସିଡି)କୁ ୨ ଲକ୍ଷରୁ ଅଧିକ ବିଦ୍ୟାର୍ଥୀଙ୍କୁ ପାଠ୍ୟପୁସ୍ତକ ନଯୋଇବାକୁ ନେଇ କଡ଼ା ଶବ୍ଦରେ ଭର୍ତ୍ସନା କରିଛନ୍ତି । ହାଇକୋର୍ଟ କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ଲକ୍ଷ୍ୟ କେବଳ କ୍ଷମତାରେ ରହିବା ଉପରେ ଅଛି ଏବଂ ଗିରଫଦାରୀ ପରେ ଇସ୍ତଫା ନଦେଇ ଅରବିନ୍ଦ କେଜ୍ରିୱାଲ ରାଷ୍ଟ୍ରୀୟ ହିତ ଉପରେ ନିଜର ନିଜ ହିତକୁ ପ୍ରାଥମିକତା ଦେଇଛନ୍ତି ।

କାର୍ଯ୍ୟକାରୀ ମୁଖ୍ୟ ନ୍ୟାୟଧୀଶ ଜଷ୍ଟିସ୍ ମନମୋହନ ଏବଂ ଜଷ୍ଟିସ୍ ମନମୀତ ପ୍ରୀତମ ସିଂ ଅରୋରା ଏକ ଜନସ୍ୱାର୍ଥ ଆବେଦନ ଉପରେ ଶୁଣାଣି କରି ଏହି କଡ଼ା ଟିପ୍ପଣୀ କରିଛନ୍ତି । ଯାଚିକାରେ ଅଭିଯୋଗ କରାଯାଇଥିଲା ଯେ ନଗର ନିଗମରେ ପରସ୍ପର ମଧ୍ୟରେ ବିବାଦ ଯୋଗୁଁ ଏମସିଡି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ମିଳି ନାହିଁ ଏବଂ ସେମାନେ ଟିନ୍ ସେଡରେ ପଢିବାକୁ ବାଧ୍ୟ ହେଉଛନ୍ତି ।   

କାର୍ଯ୍ୟକାରୀ ମୁଖ୍ୟ ନ୍ୟାୟଧୀଶ ଜଷ୍ଟିସ୍ ମନମୋହନ ନଗର ଉନ୍ନୟନ ମନ୍ତ୍ରୀ ସୌରଭ ଭାରଦ୍ୱାଜଙ୍କ ଉପରେ ଟିପ୍ପଣୀ କରି କହିଛନ୍ତି ଯେ ସେ ବିଦ୍ୟାର୍ଥୀଙ୍କ ଦୁର୍ଦ୍ଦଶା ଉପରେ ଆଖି ବନ୍ଦ କରି ବସିଛନ୍ତି ଏବଂ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କୋର୍ଟ ଏହି କଡ଼ା ଟିପ୍ପଣୀ ସେତେବେଳେ କରିଥିଲେ, ଯେତେବେଳେ ଦିଲ୍ଲୀ ସରକାରଙ୍କ ଓକିଲ ସାଦାନ ଫରାସତ କହିଥିଲେ ଯେ ସୌରଭ ଭାରଦ୍ୱାଜଙ୍କଠାରୁ ନିର୍ଦ୍ଦେଶ ମିଳିଛି ଯେ ଏମସିଡି ସ୍ଥାୟୀ ସମିତିର ଅନୁପସ୍ଥିତିରେ କୌଣସି ଉପଯୁକ୍ତ ଅଧିକାରୀଙ୍କୁ ଶକ୍ତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହମତି ଜରୁରୀ, ଯିଏ ଏବେ ଜେଲରେ ଅଛନ୍ତି । 

ହାଇକୋର୍ଟ ନିଜ ଟିପ୍ପଣୀରେ କହିଛନ୍ତି ଯେ ଛାତ୍ରଛାତ୍ରୀ ସ୍କୁଲ ଯାଉଛନ୍ତି କି ନାହିଁ ସେମାନଙ୍କ ପାଖରେ ବହି ଅଛି କି ନାହିଁ, ଏନେଇ ଦିଲ୍ଲୀ ସରକାର ଆଦୌ ଚିନ୍ତିତ ନୁହନ୍ତି । ଆପଣଙ୍କ ଲକ୍ଷ୍ୟ କେବଳ କ୍ଷମତାରେ ରହିବାରେ ଅଛି । କୋର୍ଟ କହିଛନ୍ତି ଯେ ଆପଣଙ୍କ ଏଠି କ୍ଷମତାର ଅଂହକାର ଚରମରେ ଅଛି ।

ଦିଲ୍ଲୀ ସରକାରଙ୍କ ଓକିଲଙ୍କ ଯୁକ୍ତି ଉପରେ ଆକ୍ଟିଂ ମୁଖ୍ୟ ବିଚାରପତି କହିଛନ୍ତି, 'ଏହାର ଅର୍ଥ ନୁହେଁ ଯେ ଛାତ୍ରଛାତ୍ରୀଙ୍କୁ ବିନା ପାଠ୍ୟପୁସ୍ତକରେ ପଢିବା ପାଇଁ ଛଡ଼ାଯିବ । କୋର୍ଟ ଟିପ୍ପଣୀ କରିଛନ୍ତି ଯେ ଏହା ଆପଣ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଜେଲରେ ରହିବା ସତ୍ତ୍ୱେ ସରକାର ଚାଲିବ । ଆପଣ ଆମକୁ ସେହି ରାସ୍ତାରେ ଯିବାକୁ ବାଧ୍ୟ କରୁଛନ୍ତି, ଯେଉଁଥିରେ ଆମେ ଯିବାକୁ ଚାହୁଁ ନଥିଲୁ । ଆମ ଅନେକ ଜନସ୍ୱାର୍ଥ ଯାଚିକାରେ ଅନେକ ଥର କହିଛୁ, କିନ୍ତୁ ଏହା ଆପଣଙ୍କ ପ୍ରଶାସନର ନିଷ୍ପତ୍ତି । ଯଦି ଆପଣ ଚାହୁଁଛନ୍ତି ଯେ ଆମେ ଏହା ଉପରେ ଟିପ୍ପଣୀ କରିବୁ, ତେବେ ଆମେ ଏହା ଉପରେ ବିଚାର କରିବୁ । ଜଷ୍ଟିସ୍ ମନମୋହନ କହିଛନ୍ତି ଯେ ସୌରଭ ଭାରଦ୍ୱାଜଙ୍କ ନାଁ ମଧ୍ୟ ଅର୍ଡରେ ସାମିଲ କରିବେ ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.