ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମ ବେଶ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

NEWS7
kantaner-durghatna-at-bargada

ପୁରୀ ୨୧।୦୧ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମ ବେଶ ଅନୁଷ୍ଠିତ ହେବ। କଳାଘୋଡ ସହ ପଦ୍ମଫୁଲରେ ସଜ୍ଜିତ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା। ଏଥିପାଇଁ ବଡ଼ଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରର ପାରମ୍ପରିକ ବେଶ କରାଗିର ମାନେ ହବିଷାନ୍ନ ଗ୍ରହଣ କରି ବେଶ୍ ନିଷ୍ଠାର ସହ ପଦ୍ମବେଶ ନିର୍ମାଣ କରିଛନ୍ତି ।

ପଣ୍ଡୁ ପୂର୍ଣ୍ଣିମା ଠାରୁ ମହାପ୍ରଭୁଙ୍କ ପାଇଁ ପଦ୍ମବେଶ ପ୍ରସ୍ତୁତ ଆରମ୍ଭ ହୋଇଥାଏ। ଆଜି ଏହି ପଦ୍ମ ବେଶରେ ଶ୍ରୀଜିଉଙ୍କୁ ସଜାଯିବ। ସୋଲ, ଜରି, ଜମ୍ବୁରା, କଇଁଥ ଅଠା, ବାଉଁଶ, ବେତ ଓ ବିଭିନ୍ନ ପ୍ରକାରର କନା ବ୍ୟବହାର କରି ଏହି ବେଶ ତିଆରି କରାଯାଇଛି।ଏହି ବେଶ ନିର୍ମାଣ କାର୍ଯ୍ୟରେ ଦରଜୀ ଓ ଚିତ୍ରକର ସେବକ ମଧ୍ୟ ନିୟୋଜିତ ହୋଇଥାନ୍ତି। କରପଲ୍ଲବ, ହଂସ, ଡ଼ାଳି, ଶ୍ରୀମୁଖ ପଦ୍ମ, ସିଂହାସନ ସହ ଗଛ, ଶ୍ରୀହସ୍ତ ପଦ୍ମ କଢ, ପଦ୍ମଫୁଲ ଓ ଚୂଳ ପ୍ରସ୍ତୁତ କରାଯାଇଛି। ବଡ଼ଛତା ମଠ ମହାପ୍ରଭୁଙ୍କ ପାଇଁ ଏହି ପଦ୍ମବେଶ ଯୋଗାଇ ଆସୁଛନ୍ତି। ଆଜି ସନ୍ଧ୍ୟାରେ ଏହି ବେଶ ଶ୍ରୀମନ୍ଦିରକୁ ନିଆଯିବ। ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ପଦ୍ମବେଶରେ ସଜ୍ଜିତ ହେବେ। ଗୁରୁବାର ମଙ୍ଗଳ ଆଳତୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ ଓ ସେବାୟତ। ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶ ଦର୍ଶନ କରିବା ପାଇଁ ଭକ୍ତ ଅପେକ୍ଷା କରି ବସିଛନ୍ତି।