ଝାଡ଼ଖଣ୍ଡର ନୂଆ ବିଜେପି ମୁଖିଆ ଆଦିତ୍ୟ ସାହୁ, ରଘୁବର ଦାସଙ୍କୁ ମିଳିଲା ଏହି ଦାୟିତ୍ବ

NEWS7
kangana-ranaut-wants-to-act-with-vicky-kausal-and-ranveer-singh

ରାଞ୍ଚି: ରାଜ୍ୟ ସଭା ସଦସ୍ୟ ଆଦିତ୍ୟ ସାହୁଙ୍କୁ ବିଜେପି ଝାଡ଼ଖଣ୍ଡ ୟୁନିଟର ନୂତନ ସଭାପତି ନିଯୁକ୍ତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହା ଘୋଷଣା କରିଛନ୍ତି। ଆଦିତ୍ୟ ସାହୁ ଓବିସି ସମ୍ପ୍ରଦାୟର। ଓରାମ ରାଜ୍ୟରୁ ଜାତୀୟ ପରିଷଦ ସଦସ୍ୟଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି। ରାଜ୍ୟରୁ ୨୧ଟି ଜାତୀୟ ପରିଷଦ ସଦସ୍ୟ ପଦବୀ ପାଇଁ ନିର୍ବାଚିତ ପ୍ରମୁଖ ନେତାଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା, ରଘୁବର ଦାସ, ମଧୁ କୋଡା ଏବଂ ଚମ୍ପାଇ ସୋରେନ, ସାଂସଦ ସଞ୍ଜୟ ସେଠ, ଦୀପକ ପ୍ରକାଶ, କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ପୂର୍ବତନ ସାଂସଦ କାରିଆ ମୁଣ୍ଡା ଏବଂ ଗୀତା କୋଡା ଅନ୍ତର୍ଭୁକ୍ତ।

ଜୁଏଲ ଓରାମ କହିଛନ୍ତି, ‘ଝାଡ଼ଖଣ୍ଡ ରାଜ୍ୟ ସଭାପତି ପଦ ପାଇଁ ମୁଁ କେବଳ ଗୋଟିଏ ନାମାଙ୍କନ ପାଇଥିଲି। ଯାଞ୍ଚ ଏବଂ ରାଷ୍ଟ୍ରୀୟ ସଭାପତିଙ୍କ ଅନୁମୋଦନ ପରେ, ମୁଁ ଆଦିତ୍ୟ ସାହୁଙ୍କୁ ଝାଡ଼ଖଣ୍ଡ ବିଜେପିର ସଭାପତି ଭାବରେ ଘୋଷଣା କରୁଛି।’ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କ ସ୍ଥାନରେ ସାହୁଙ୍କୁ ଦଳର ରାଜ୍ୟ ସଭାପତି ଭାବରେ ନିଯୁକ୍ତି ଦିଆଯାଇଛି। ମାରାଣ୍ଡି ବିଧାନସଭାରେ ବିରୋଧୀ ଦଳର ନେତା ଅଛନ୍ତି । ଅକ୍ଟୋବର ୩ ତାରିଖରେ, ବିଜେପି ଆଦିତ୍ୟ ସାହୁଙ୍କୁ ଏହାର ଝାଡ଼ଖଣ୍ଡ ୟୁନିଟର କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରିଥିଲା।

ଝାଡ଼ଖଣ୍ଡ ବିଜେପି ସଭାପତି ଭାବରେ ଆଦିତ୍ୟ ସାହୁଙ୍କ ଘୋଷଣା ଦଳୀୟ କର୍ମୀ, ନେତା ଏବଂ ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ଶୁଭେଚ୍ଛାର ସୁଅ ଛୁଟିଛି। ଗୋଡା ବିଜେପି ସାଂସଦ ନିଶିକାନ୍ତ ଦୁବେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇ କହିଛନ୍ତି, ‘ଆଦିତ୍ୟ ସାହୁଙ୍କ ନେତୃତ୍ୱରେ ଝାଡ଼ଖଣ୍ଡରେ ବିଜେପି ସକାରାତ୍ମକ ପରିବର୍ତ୍ତନ ଦେଖିବ।’ ଆହୁରି ଅନେକ ବିଜେପି ନେତା ଏବଂ କର୍ମୀ ମଧ୍ୟ ଆଦିତ୍ୟ ସାହୁଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶୁଭକାମନା ଜଣାଇଛନ୍ତି।

ଆଦିତ୍ୟ ସାହୁ ଓବିସି ସମ୍ପ୍ରଦାୟର। ସାମାଜିକ ସନ୍ତୁଳନ ବଜାୟ ରଖିବା ପାଇଁ ତାଙ୍କର ଚୟନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ବିଜେପି ନେତାମାନେ ବିଶ୍ୱାସ କରୁଛନ୍ତି ଯେ, ସଭାପତି ଭାବରେ ତାଙ୍କର ନିଯୁକ୍ତି ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ମଜଭୁତ କରିବ।