ଗାଈକୁ ଇସଲାମ୍ ଟୋପି ପିନ୍ଧାଇଲେ, ଭିଡିଓ କରି ଭାଇରାଲ କଲେ...ଦୁଇ ମୁସଲିମ ନାବାଳକଙ୍କ ନାଁରେ ମାମଲା

NEWS7
kangana-ranaut-to-be-open-cafe-and-restaurant-in-manali

ଭୋପାଳ, ୨୦/୦୨ : ଭୟଙ୍କର କାଣ୍ଡ । ଗାଈକୁ ଧରିଲେ । ପିନ୍ଧାଇଲେ ମୁସଲିମ ଟୋପି । ଏପରି କିଛି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଗୁନାରେ । ଏଠାରେ କିଛି ନାବାଳକ ଏକ ଗାଈକୁ ମୁସଲିମ ସମ୍ପ୍ରଦାୟର ଧାର୍ମିକ ଟୋପି ପିନ୍ଧାଇଛନ୍ତି । ଏପରିକି ଏସବୁରୁ ଭିଡିଓ ମଧ୍ୟ ଭାଇରାଲ କରିଛନ୍ତି । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

ଭିଡିଓ ଭାଇରାଲ ହେଲା ପରେ ଗୋସେବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି । ପୋଲିସ ମଧ୍ୟ ଦୁଇ ମୁସଲିମ ନାବାଳକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେମାନଙ୍କ ବିରୋଧରେ ଧର୍ମୀୟ ଭାବନାକୁ ଆଘାତ ଦେଉଥିବା ଦଫା ଲାଗିଛି । ଅନ୍ୟ ଦିଗରେ ଜଣେ ନାବାଳକଙ୍କ ମାଆ ଥାନାରେ ପହଁଚି କ୍ଷମା ମାଗିଥିବା ସୂଚନା ମିଳିଛି ।

ଜଣେ ଅଭିଯୁକ୍ତଙ୍କ ମାଆ ଥାନାରେ କହିଛନ୍ତି ଯେ, ଏବେ ତାଙ୍କ ପୁଅ ପାଠ ପଢୁଛି । ମାମଲା ହେଲେ କ୍ୟାରିଅର ଖରାପ ହୋଇଯିବ । ତଥାପି ଗୋସେବକମାନେ ଏହାକୁ ଗ୍ରହଣ କରିନାହାଁନ୍ତି । ଏହା ସାଧାରଣ କଥା ନୁହେଁ ବୋଲି ସେମାନେ କହିଛନ୍ତି । ଗୋରକ୍ଷକ ବାହିନୀର କହିବାନୁସାରେ, ଗାଈକୁ ହିନ୍ଦୁ ଧର୍ମରେ ମାଆ ରୂପେ ପୂଜା କରାଯାଏ । ଏହା ପବିତ୍ର ପଶୁ । କେବେହେଲେ ଇସଲାମ୍ ଟୋପି ପିନ୍ଧାଇ ମଜା ନିଆଯାଇପାରିବ ନାହିଁ । ଏହି ଘଟଣା ନିନ୍ଦନୀୟ ଏବଂ ଖରାପ । ଘଟଣାକୁ ନେଇ ଭିଡିଓ ଭାଇରାଲ ହୋଇଛି । ଯାହା ହିନ୍ଦୁଙ୍କ ଧର୍ମୀୟ ଭବନାକୁ ଆଘାତ ପହଁଚାଇଛି ।

ମାମଲାକୁ ନେଇ ଆରକ୍ଷୀ ଅଧିକ୍ଷକ ଅଙ୍କିତ ସୋନୀ କହିଛନ୍ତି ଯେ, ଭିଡିଓ ଆଧାରରେ ତଦନ୍ତ ଚାଲିଛି । ଏଫଆଇଆର ରୁଜୁ ହୋଇଛି । କୌଣସି ପ୍ରକାର ସାମ୍ପ୍ରଦାୟିକ ମାମଲା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନାଯୋଗ୍ୟ ଭୋପାଳର କଂଗ୍ରେସ ବିଧାୟକ ଆତିଫ୍ ଅକିଲ ଗାଈକୁ ରାଷ୍ଟ୍ରୀୟ ପଶୁ ମାନ୍ୟତା ମିଳୁ ବୋଲି ଦାବି କରୁଛନ୍ତି । ଅନ୍ୟ ଦିଗରେ ଗୁନ୍ନାର ମୁସଲିମ ନାବାଳକ ଗାଈକୁ ଇସଲାମିକ ଟୋପି ପିନ୍ଧାଇ ଧର୍ମୀୟ ଭାବନାକୁ କ୍ଷୂର୍ଣ୍ଣ କରୁଥିବା ଦେଖାଯାଇଛି ।