ପିନାକା ଲଙ୍ଗ୍ ରେଞ୍ଜ୍ ଗାଇଡେଡ୍ ରେକଟ୍‌ର ସଫଳ ପରୀକ୍ଷଣ, ସ୍ୱଦେଶୀ ପ୍ରତିରକ୍ଷା ଶକ୍ତିକୁ ମିଳିବ ନୂଆ ବଳ

NEWS7
kangana-ranaut-among-himachal-bjp-contenders-for-mandi-ls-ticket

ନୂଆଦିଲ୍ଲୀ: ୧୨୦ କିଲୋମିଟର ଷ୍ଟ୍ରାଇକ୍ ରେଞ୍ଜ ସହିତ ପିନାକା ଲଙ୍ଗ୍ ରେଞ୍ଜ ଗାଇଡେଡ୍ ରକେଟର ସଫଳତା ସହ ପରୀକ୍ଷଣ କରିଛି । ଡିଆରଡିଓ ସୋମବାର ଓଡ଼ିଶାର ଚାନ୍ଦିପୁରରେ ପିନାକା ଲଙ୍ଗ ରେଞ୍ଜ ଗାଇଡେଡ୍ ରକେଟର ପ୍ରଥମ ସଫଳ ପରୀକ୍ଷଣ କରିଛି । ଏହି ପରୀକ୍ଷଣ ଭାରତୀୟ ସେନାର ଭବିଷ୍ୟତର ଯୁଦ୍ଧ କ୍ଷମତାକୁ ମଜଭୁତ କରିବ । ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଏବଂ ଅନ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପିନାକା ରକେଟ୍ ସିଷ୍ଟମର ନାମ ଭଗବାନ ଶିବଙ୍କ ଧନୁ ଅନୁସାରେ ରଖାଯାଇଛି । ପ୍ରଥମେ ଏହା ପ୍ରାୟ ୪୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ ସହିତ ଏକ ଅଣ-ଗାଇଡେଡ୍ ରକେଟ୍ ଲଞ୍ଚର୍ ଥିଲା । ବର୍ତ୍ତମାନ ୧୨୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ ସହିତ ଗାଇଡେଡ୍ ରକେଟ୍ ହୋଇଛି । ପିନାକା ରକେଟ୍ ପ୍ରଣାଳୀ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ହୋଇଛି ।

ପିନାକା ମଲ୍ଟି-ବ୍ୟାରେଲ ରକେଟ୍ ଲଞ୍ଚର୍ ସିଷ୍ଟମ୍ (MBRL) ଭାରତର ସ୍ୱଦେଶୀ ପ୍ରତିରକ୍ଷା ଶକ୍ତିକୁ ଏକ ନୂଆ ବଳ ଦେଇଛି । ୧୨୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ସହିତ ଏହା ଭାରତୀୟ ସେନାର ତୋପ କ୍ଷମତାର ଏକ ପ୍ରମୁଖ ସ୍ତମ୍ଭ ହେବ । ଏହି ସିଷ୍ଟମ୍ କେବଳ ଦୀର୍ଘ ଦୂରଗାମୀ ସଠିକ୍ ଆକ୍ରମଣ କରିବାକୁ ସକ୍ଷମ ନୁହେଁ, ବରଂ ଆଧୁନିକ ଯୁଦ୍ଧର ପରିବର୍ତ୍ତିତ ଆବଶ୍ୟକତା ପୂରଣ କରିବା ପାଇଁ ଏଥିରେ ଅନେକ ଉନ୍ନତ ବୈଶିଷ୍ଟ୍ୟ ମଧ୍ୟ ରହିଛି ।

ପିନାକା ରକେଟ୍ଗୁଡ଼ିକରେ ଉନ୍ନତ ଗାଇଡେଡ୍ ପ୍ରଣାଳୀ ରହିଛି, ଯାହା ତାକୁ ସଠିକତାର ସହିତ ଲକ୍ଷ୍ୟଭେଦ କରିବାକୁ କ୍ଷମତା ଦେଉଛି । ଏହା ଏକ ଇନର୍ସିଆଲ୍ ନାଭିଗେସନ୍ ସିଷ୍ଟମ୍ (INS) ଏବଂ ସାଟେଲାଇଟ୍-ଆଧାରିତ ଗାଇଡେଡ୍ ଟେକ୍ନୋଲୋଜି ବ୍ୟବହାର କରି ଲକ୍ଷ୍ୟଭେଦ ବିଫଳତାକୁ କମ କରିଥାଏ ।

ପିନାକା ରକେଟ୍ର ଆଉ ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଏହାର ଦ୍ରୁତ ଫାୟାରିଂ କ୍ଷମତା । କିଛି ସେକେଣ୍ଡରେ ଗୋଟିଏ ଲଞ୍ଚର୍ରୁ ଅନେକ ରକେଟ୍ ଫାୟାର କରାଯାଇପାରିବ । ଶତ୍ରୁର ବଡ଼ ଅଞ୍ଚଳକୁ କମ୍ ସମୟ ମଧ୍ୟରେ କଭର କରାଯାଇପାରିବ । ଏହାକୁ "ସୁଟ୍ ଆଣ୍ଡ୍ ସ୍କୁଟ୍" କ୍ଷମତା ସହିତ ଡିଜାଇନ୍ କରାଯାଇଛି, ଅର୍ଥାତ୍ ଲଞ୍ଚର୍ ଫାୟାରିଂ ପରେ ତୁରନ୍ତ ନିଜକୁ ପୁନଃସ୍ଥାପିତ କରିପାରିବ, ଶତ୍ରୁର ପାଲଟା ଆକ୍ରମଣକୁ ନିଜକୁ ରକ୍ଷା କରିପାରିବ । ପିନାକା ସିଷ୍ଟମକୁ ମରୁଭୂମି, ପାର୍ବତ୍ୟାଞ୍ଚଳ ଏବଂ ଅତ୍ୟନ୍ତ ଥଣ୍ଡା ଅଞ୍ଚଳରେ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହା ଦିନରାତି ଏବଂ ସମସ୍ତ ପାଣିପାଗରେ କାର୍ଯ୍ୟ ପାଇଁ ସକ୍ଷମ ।