୧୭ ବର୍ଷ ପରେ ଫେରିଲେ, ଏବେ ହେବେ ପ୍ରଧାନମନ୍ତ୍ରୀ...କେମିତି ତାରିକ୍ ରେହମାନଙ୍କୁ ସାଥ୍ ଦେଲା ଭାଗ୍ୟ ?

NEWS7
kangana-ranaut-alleges-vikas-bahl-of-sexual-assault

ନୂଆଦିଲ୍ଲୀ, ୧୩|୦୨: ସରିଛି ଭୋଟ୍ । ଚାଲିଛି ଗଣତି । ଚୂଡାନ୍ତ ଫଳାଫଳ ଆସିନି । କିନ୍ତୁ ବାଂଲାଦେଶରେ ବିଏନପି ସରକାର ଗଠନ ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଛି । ଦଳ ଏବେସୁଦ୍ଧା ୨୦୦ରୁ ଅଧିକ ଆସନରେ ବିଜୟୀ ହୋଇଛି । ଅନ୍ୟ ଦିଗରେ ଜମାତ-ଏ-ଇସଲାମି ୬୮ ସିଟ୍ ହାତେଇବାରେ ସକ୍ଷମ ହୋଇଛି । ବିଏନପି ନେତା ତାରିକ ରେହମାନ ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବା ନେଇ ଲକ୍ଷ୍ୟ ରଖିଛନ୍ତି । ଯାହା ଖୁବ୍ ଶୀଘ୍ର ବାସ୍ତବତାର ରୂପ ନେବ ।

ବିଏନପି ମୋଟ୍ ୩୦୦ ଆସନରୁ ୨୯୨ରେ ନିର୍ବାଚନ ଲଢୁଥିଲା । ଅନ୍ୟ ସିଟକୁ ମେଣ୍ଟ ଦଳ ପାଇଁ ଛାଡି ଦେଇଥିଲା । ବିଏନପି ୧୧ ସହଯୋଗୀଙ୍କୁ ଧରି ଏଥର ନିର୍ବାଚନକୁ ଓହ୍ଲାଇଥିଲା ।

୧୭ ବର୍ଷ ପରେ ପ୍ରତ୍ୟାବର୍ତ୍ତନ

ତାରିକ ଦୀର୍ଘ ବର୍ଷ ହେଲା ଲଣ୍ଡନରେ ଥିଲେ । ସେ ୧୭ ବର୍ଷ ପରେ ବାଂଲାଦେଶକୁ ଫେରିଛନ୍ତି । ସେ ଢାକା ଏବଂ ବୋଗୁରା ଆସନରେ ପ୍ରାର୍ଥୀ ହୋଇଥିଲେ । ଉଭୟ ଆସନରେ ତାରିକ୍ ବାଜିମାତ୍ କରିଛନ୍ତି । ଆମେରିକା ମଧ୍ୟ ବିଜୟ ନେଇ ତାରିକଙ୍କୁ ଶୁଭେଚ୍ଛା ଜଣାଇଛି ।

ଏହି ଖବରଟି ପଢନ୍ତୁ...  ଡବଲ୍ ସେଞ୍ଚୁରୀରେ ଭାରତ ଆଗରେ : ଏବେସୁଦ୍ଧା ୪୭ ଥର ୨୦୦ ଟପିଛି ସ୍କୋର୍ ବୋର୍ଡ, ପଛରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ

ତାରିକ ରେହମାନ କିଏ ?

ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଜିଆଉର୍ ରେହମାନ ଏବଂ ତିନି ଥର ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ସବୁଠୁ ବଡ ପୁଅ ତାରିକ୍ । ମାଆଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ବାଂଲାଦେଶ ଆସିଥିଲେ । ତାଙ୍କୁ ଦେଶରୁ ବିତାଡିତ କରିଦିଆଯାଇଥିଲା । ଭାଗ୍ୟ ତାଙ୍କୁ ସାଥ୍ ଦେଇଥିଲା । ପ୍ରତ୍ୟାବର୍ତ୍ତନ ପରେ ଅନୁଷ୍ଠିତ ନିର୍ବାଚନରେ ସେ ଜିତିବା ସହ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହେବେ ।

ଜିୟାଙ୍କ ମୃତ୍ୟୁ ପରେ ରେହମାନ ବିଏନପିର ମଙ୍ଗ ସମ୍ଭାଳିଥିଲେ । ଏହାପୂର୍ବରୁ ସେ ଦଳର କାର୍ଯ୍ୟକାରୀ ସଭାପତି ଥିଲେ । ଖାଲିଦାଙ୍କ ମୃତ୍ୟୁ ପରେ ସେ ସଭାପତି ନିର୍ବାଚିତ ହୋଇଥିଲେ । ତାଙ୍କୁ ଦଳୀୟ କର୍ମୀ ଡାର୍କ୍ ପ୍ରିନ୍ସ୍ କହିଥାନ୍ତି । ୨୦୦୧ରୁ ୨୦୦୬ ମଧ୍ୟରେ ଦେଶରେ ବିଏନପି ଏବଂ ଜମାତ ମଧ୍ୟରେ ମେଣ୍ଟ ସରକାର ଥିଲା । ଏହି ସମୟରେ ଖାଲିଦା ପ୍ରଧାନମନ୍ତ୍ରୀ ଥିଲେ । କିନ୍ତୁ ରେହମାନଙ୍କୁ ସୁପର୍ ପିଏମ୍ କୁହାଯାଉଥିଲା । ଦଳ ସହ ଦେଶର ନୀତି ନିର୍ଦ୍ଧାରଣ ତାଙ୍କ ଇଶାରାରେ ହେଉଥିଲା ।

୨୦୦୭ରେ ରେହମାନଙ୍କୁ ଗିରଫ କରାଯାଇଥିଲା । ଏହାପରେ ୨୦୦୮ରେ ସେଖ୍ ହାସିନା ପ୍ରଧାନମନ୍ତ୍ରୀ ହେଲା ପରେ ତାଙ୍କ ବିରୋଧରେ ଅନେକ ମାମଲା ଲାଗିଥିଲା । ପରେ ସେ ଦେଶ ଛାଡି ଲଣ୍ଡନ ପଳାଇଥିଲେ ।

ଭାରତକୁ ନେଇ ଆଭିମୁଖ୍ୟ

ତାରିକ ରେହମାନ ପ୍ରଧାନମନ୍ତ୍ରୀ ହେଲେ ଭାରତ ସହ କିପରି ସମ୍ପର୍କ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି । ସେଖ ହାସିନାଙ୍କ ସମୟରେ ବାଂଲାଦେଶ ଭାରତର ବନ୍ଧୁ ଥିଲା । ଏବେ କିନ୍ତୁ ହାସିନା ନାହାଁନ୍ତି । ବାଂଲାଦେଶ ଏବଂ ଭାରତ ମଧ୍ୟରେ ଭଲ ସମ୍ପର୍କ ନାହିଁ । ଦୁଇ ଦେଶ ପ୍ରସଙ୍ଗରେ ରେହମାନ ଏକଦା କହିଥିଲେ ଯେ, ଭାରତ ସହ କିଛି ସମସ୍ୟା ରହିଛି । ସେ କେବଳ ଦ୍ୱିପାକ୍ଷିତ ସମ୍ପର୍କ ଏବଂ ଦ୍ୱିପାକ୍ଷିକ ବୁଝାମଣାରେ ବିଶ୍ୱାସ କରୁଥିବା ପ୍ରକାଶ କରିଥିଲେ । ଅର୍ଥାତ ଭାରତ ପ୍ରତି ତାଙ୍କର ସେତେଟା ସକରାତ୍ମକ ଆଭିମୁଖ୍ୟ ନାହିଁ ବୋଲି ବିଶେଷଜ୍ଞ ଆଶଙ୍କା କରୁଛନ୍ତି ।