ପାକିସ୍ତାନରେ ଭିକ ମାଗିବା ଲାଗି ଦିଆଯାଉଛି ଖାସ୍ ଟ୍ରେନିଂ, ପାଲଟିଛି ବାର୍ଷିକ ୪୨ ବିଲିୟନ ଡଲାରର କାରବାର

NEWS7
kaliyari-company-atmosphere

ଇସ୍ଲାମାବାଦ ୧୯।୧୨: ପାକିସ୍ତାନରେ ଭିକ୍ଷା ବୃତ୍ତି ବ୍ୟବସାୟରେ ପରିଣତ ହୋଇଛି। ଦୀର୍ଘ ବର୍ଷରୁ ଦେଶରେ ଭିକ୍ଷାର ବଡ଼ କାରବାର ରହିଛି। ଭିକାରୀମାନେ ବାର୍ଷିକ ଭିକ ମାଗି ପାଖାପାଖି ୪୨ ବିଲିୟନ ଡଲାର ଜୁଟେଇ ଦେଉଛନ୍ତି। ପାକିସ୍ତାନୀ ନ୍ୟୁଜ୍ ୱେବସାଇଟ ‘ଡନ’ ଅନୁସାରେ ୨୦୨୪ରେ ପାକିସ୍ତାନରେ ପାଖାପାଖି ୩କୋଟି ୮୦ ଲକ୍ଷ ଭିକାରୀ ଥିଲେ। ଦେଶରେ ଭିକ୍ଷାବୃତ୍ତି ପାଇଁ ଖାସ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି।ଏଣୁ ଦେଶରେ ଭିକ୍ଷା ବୃତ୍ତି ଏବେ ଜାତୀୟ ବ୍ୟବସାୟରେ ପରିଣତ ହୋଇଛି।

ଏହି ଭିକାରୀମାନଙ୍କର ମାର୍କେଟିଂ ସ୍କିଲ ରହିଛି। ବିଦେଶରେ ଧରାପଡିଥିବା ୯୦% ଭିକାରୀ ପାକିସ୍ତାନୀ ବୋଲି ଜଣାପଡିଛି। ଏମାନେ ମକ୍କା ମଦିନା ଯିବା ପାଇଁ ଭିସା ନେଇ ସାଉଦୀ ଆରବରେ ଭିକ ମାଗୁଛନ୍ତି। ପାକିସ୍ତାନୀ ଭିକାରୀ ଦୈନିକ ଲୋକଙ୍କ ପକେଟରୁ ୩୨ ବିଲିୟନ ପାକିସ୍ତାନୀ ଟଙ୍କା ନେଇ ଯାଉଛନ୍ତି। ଏହା କୌଣସି ଛୋଟ ଆୟ ନୁହେଁ, ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ଓ ସେମାନଙ୍କୁ ଭାବୁକ କରି ନିଜର ଉଦ୍ଦେଶ୍ୟ ସାଧନ କରିବା ସେମାନଙ୍କ ମୁଖ୍ୟ କାମ।

ପାକ୍ ର ବାଣିଜ୍ୟିକ ସହର କରାଚୀରେ ଜଣେ ଜଣେ ଭିକାରୀ ଦୈନିକ ପାକିସ୍ତାନୀ ମୁଦ୍ରାରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି। ଲାହୋରରେ ସେମାନେ ଦୈନିକ ଆୟ ୧,୪୦୦ ଟଙ୍କା ପର୍ଯ୍ୟନ୍ତ ହେଉଥିବା ବେଳେ ଇସ୍ଲାମାବାଦରେ ଏହି ଆୟ ପାଖାପାଖି ୯୫୦ ଟଙ୍କା ରହୁଛି। ମୋଟ ପାକିସ୍ତାନରେ ଦୈନିକ ହାରାହାରି ଭିକାରୀ ୮୫୦ ଟଙ୍କା ଆୟ କରୁଛନ୍ତି।

ଇସ୍ଲାମର ପବିତ୍ର ସ୍ଥଳ ସାଉଦୀ ଆରବ ପାକିସ୍ତାନୀ ଭିକାରୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଏଥିରେ ୫୬ ହଜାର ପାକିସ୍ତାନୀ ନାଗରିକଙ୍କୁ ସାଉଦୀ ଆରବ ଦେଶରୁ ବାହାର କରିଛି। ଏମାନେ ଉମରାହ ନଚେତ ଭିଜିଟ ଭିସାରେ ସାଉଦୀ ପହଞ୍ଚି ସେଠାରେ ଭିକ୍ଷା ବୃତ୍ତି କରୁଛନ୍ତି। ଏମାନେ ମକ୍କା-ମଦିନା ଭଳି ପବିତ୍ର ସ୍ଥଳ ବାହାରେ ଭିକମାଗି ଲୋକଙ୍କୁ ହଇରାଣ କରୁଥିଲେ। ପାକିସ୍ତାନୀ ଭିକାରୀଙ୍କ ସଂଖ୍ୟା କେବଳ ସାଉଦୀ ଆରବ ପର୍ଯ୍ୟନ୍ତ ସୀମିତ ନୁହେଁ। ୟୁଏଇ ମଧ୍ୟ ପାକିସ୍ତାନୀ ନାଗରିକଙ୍କ ଉପରେ ଭିସା କଟକଣା ଲାଗୁ କରିଛି। ପଶ୍ଚିମ ଏସିୟ ଦେଶମାନଙ୍କରେ ଭିକ୍ଷା ବୃତ୍ତି କରୁଥିବା ୯୦% କେବଳ ପାକିସ୍ତାନୀ ବୋଲି ଜଣାପଡିଛି।

ସାଉଦୀ ଆରବ ଓ ୟୁଏଇ ଏଥି ପାଇଁ ପାକିସ୍ତାନକୁ ବାରମ୍ବାର ଚେତାବନୀ ଦେଉଛନ୍ତି। ଏଣୁ ପାକିସ୍ତାନ ସରକାର ଚାପରେ ପଡି ହଜାର ହଜାର ଲୋକଙ୍କୁ ନା ଫ୍ଲାଇ ଲିଷ୍ଟରେ ପକାଇଛନ୍ତି। ଏହା ସତ୍ତ୍ୱେ ଦେଶରୁ ହଜାର ହଜାର ଲୋକେ ବିଦେଶ ଯାଇ ସେଠାରେ ଭିକ୍ଷାବୃତ୍ତି କରୁଛନ୍ତି ଓ ଅପରାଧୀ ଗୋଷ୍ଠୀଙ୍କ ସହ ମିଶି ଅପରାଧ ଭିଆଉଛନ୍ତି। ୨୦୨୫ରେ ୬୬ ହଜାରରୁ ଅଧିକ ଲୋକଙ୍କୁ ପାକିସ୍ତାନ ସରକାର ଏୟାରପୋର୍ଟରେ ଅଟକାଇଛନ୍ତି। ଏହା ଦ୍ୱାରେ ଏପରି ଲୋକେ ବିଦେଶ ଯାଇ ଯେପରି ଦେଶର ବଦନାମୀ ନ କରନ୍ତି।