ଇରାନ ରାଷ୍ଟ୍ରପତି କାର୍ଯ୍ୟାଳୟ ଉଡ଼ାଇଲା ଇସ୍ରାଏଲ୍; ମିସାଇଲ୍ ବର୍ଷା କଲା ଆଇଡିଏଫ୍

NEWS7
kalabaisakhi-in-mayurbhanj-district

ତେହରାନ:ଇରାନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଉପରେ ମିସାଇଲ୍ ମାଡ଼ କରି ଉଡ଼ାଇଲା ଇସ୍ରାଏଲ୍। ଏନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ (IDF) ସୋସିଆଲ୍ ମିଡିଆରେ ସୂଚନା ଦେଇଛି। ଇରାନୀ ଶାସନର ଏହା ସେଣ୍ଟ୍ରାଲ ଓ ମୁଖ୍ୟ ହେଡକ୍ୱାର୍ଟର୍ସ ଥିଲା ବୋଲି ଆଇଡିଏଫ୍ କହିଛି।

ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଏକ ବିବୃତ୍ତି ଜାରି କରି କହିଛି ଯେ, 'ସୋମବାର ରାତିରେ, ଇସ୍ରାଏଲୀ ବାୟୁସେନା, ସଠିକ୍ ଗୁପ୍ତ ସୂଚନା ଆଧାରରେ କାର୍ଯ୍ୟ କରି, ତେହେରାନର ମଝିରେ ଥିବା ଇରାନୀ ଶାସନର ଲିଡର୍ସିପ କମ୍ପାଉଣ୍ଡ ଭିତରେ ଆଟାକ୍ କରି ଧ୍ୱଂସ କରିଦେଇଛି।' ଆଇଡିଏଫ୍ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଲେଖିଛି ଯେ ଇରାନୀ ଶାସନର ଲିଡର୍ସିପ କମ୍ପାଉଣ୍ଡ ସେଣ୍ଟ୍ରାଲ ହେଡ୍କ୍ୱାର୍ଟର୍ସ ଧ୍ୱଂସ କରିଦେଇଛୁ।'

IDF ଆହୁରି କହିଛି, "ଏହି କମାଣ୍ଡ ହେଡ୍କ୍ୱାର୍ଟର୍ସ ଇରାନର ସବୁଠାରୁ ସୁରକ୍ଷିତ ସ୍ଥାନ ମଧ୍ୟରୁ ଗୋଟିଏ ଥିଲା। ଶାସନର ସବୁଠାରୁ ବରିଷ୍ଠ ଫୋରମ୍ ଥିବା ଏହି କମ୍ପାଉଣ୍ଡକୁ IAF ଦ୍ୱାରା ରାତିସାରା ସଠିକ୍ ଗୁପ୍ତ ସୂଚନା ବ୍ୟବହାର କରି ଆକ୍ରମଣ କରାଯାଇଥିଲା।"

ଏହି ଆକ୍ରମଣରେ ଇରାନରେ ହୋଇଥିବା କ୍ଷତି ବିଷୟରେ IDF ଲେଖିଛି "ଏହି ଆତଙ୍କବାଦୀ ଶାସନ ପଛରେ ଥିବା ନେତାମାନେ ଏବଂ ସେମାନେ ରହୁଥିବା ମୁଖ୍ୟାଳୟକୁ ନିପାତ କରାଯାଇଛି।"

ଏହା ପୂର୍ବରୁ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲୀ ଖାମେନିଙ୍କ ଅଫିସ ଉପରେ ବି ଇସ୍ରାଏଲ-ଆମେରିକା ଆଟାକ କରି ଖାମେନିଙ୍କୁ ହତ୍ୟା କରିଥିଲେ। ଫଳରେ ସାରା ବିଶ୍ୱରେ ମୁସ୍ଲିମ ସମ୍ପ୍ରଦାୟ ମଧ୍ୟରେ ଅଶନ୍ତୋଷ ପ୍ରକାଶ ପାଇଥିଲା। ଖାମେନିଙ୍କ ମୃତ୍ୟୁ ପରେ କୋମାକୁ ଚାଲିଯାଇଥିବା ତାଙ୍କ ପତ୍ନୀ ମନସୁରେହ ଖୋଜାସ୍ତେହଙ୍କର ମଧ୍ୟ ସୋମବାର ମୃତ୍ୟୁ ଘଟିଥିଲା।

ପଢ଼ନ୍ତୁ- ଖାମେନିଙ୍କୁ ମାରିବାକୁ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଆମେରିକା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଶନିବାର ଖାମେନିଙ୍କ ଅଫିସ୍ରେ ଆମେରିକା-ଇସ୍ରାଏଲ୍ ଏୟାର ଷ୍ଟ୍ରାଇକ୍ କରିବା ପରେ ଖୋଜାସ୍ତେହ କୋମାକୁ ଚାଲିଯାଇଥିଲେ। ଦୁଇଦିନ କୋମାରେ ରହିବା ପରେ ସୋମବାର ତାଙ୍କର ବିୟୋଗ ହୋଇଛି। ୭୮ ବର୍ଷୀୟ ଖୋଜାସ୍ତେହ ଅଲି ଖାମେନିଙ୍କ ଏକମାତ୍ର ପତ୍ନୀ ଥିଲେ। ସେମାନେ ୧୯୬୪ ମସିହାରେ ବିବାହ କରିଥିଲେ।

ସେପଟେ ମଧ୍ୟପ୍ରାଚ୍ୟରେ ଆମେରିକା ଇସ୍ରାଏଲ ଏବେବି ଯୁଦ୍ଧ ଜାରି ରଖିଛନ୍ତି। ଇରାନ ପ୍ରତି ଜବାବ ଦେଉଛି। ଏହାରି ଭିତରେ ମାନବତା ବଳି ପଡ଼ିଯାଉଛି। କେତେ ଲୋକଙ୍କର ସଂସାର ଉଜୁଡ଼ି ଯାଇଛି। ଶତାଧିକ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଛି। ଇରାନୀ ମାନବାଧିକାର କର୍ମୀଙ୍କ ଗ୍ରୁପ ଶିକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ରଙ୍କୁଙ୍କ ଠାରୁ ରିପୋର୍ଟ ନେଇ କହିଛନ୍ତି ଯେ ଗତ ୪୮ ଘଣ୍ଟା ମଧ୍ୟରେ ଇରାନରେ ୧୭୧ ଜଣ ଛାତ୍ରଛାତ୍ରୀଙ୍କୁ ହତ୍ୟା କରାଯାଇଛି।

ହ୍ୟୁମାନ ରାଇଟ୍ ଆକ୍ଟିଭିଷ୍ଟ ନ୍ୟୁଜ ଏଜେନ୍ସି ଅନୁଯାୟୀ, ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ମିନାବର ଶାଜାରେହ ତାୟେବେ ବାଳିକା ପ୍ରାଥମିକ ବିଦ୍ୟାଳୟରେ ସବୁଠାରୁ ମାରାତ୍ମକ ଆକ୍ରମଣ ହୋଇଥିଲା। ଯେଉଁଠାରେ ୧୬୮ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ୯୫ ଜଣ ଆହତ ହୋଇଥିଲେ। ସେହିପରି ତେହେରାନର ଦୁଇଟି ଜିଲ୍ଲାରେ ଅଲଗା ଅଲଗା ଘଟଣାରେ ଅନ୍ୟ ତିନି ଜଣ ଆହତ ହୋଇଥିବା ବେଳେ ତେହେରାନର ଦୁଇ ଜଣ ଛାତ୍ର ଏବଂ କାଜଭିନର ଆବେକରେ ଜଣେ ୯ ବର୍ଷର ଶିଶୁ ଆହତ ହୋଇଛନ୍ତି।