‘ଟେଲିଗ୍ରାମ’ CEO ଖୋଲାଖୋଲି ଦେଉଛନ୍ତି ‘ମା’ ହେବାକୁ ଅଫର, DNA ମ୍ୟାଚ୍ ହେଲେ ପିଲାଙ୍କୁ ମିଳିବ ସମ୍ପତ୍ତିରେ ଭାଗ

NEWS7
kaedi-atmahatya-case-in-nischintakoili

ମସ୍କୋ ୨୬।୧୨: ଟେକ୍ ଜଗତର ଧନୀକମାନେ ସେମାନଙ୍କ ଆଶ୍ଚର୍ଯ୍ୟଜନକ ଆଚରଣ ପାଇଁ ଜଣା ଯାଆନ୍ତି, ହେଲେ ଟେଲିଗ୍ରାମ ସଂସ୍ଥାପକ ପାଭେଲ ଡୁରୋଭ ଯେଉଁ ଘୋଷଣା କରିଛନ୍ତି ତାହା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ୪୧ ବର୍ଷ ବୟଷ୍କ ଡ୍ୟୁରୋଭଙ୍କ ମୋଟ ନେଟୱର୍ଥ ୧୭ ବିଲିୟନ ଡଲାର ଅର୍ଥାତ ୧.୪ଲକ୍ଷ କୋଟି ଟଙ୍କା। ଏବେ ଏକ ଅଜବ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ ସେହି ମହିଳାଙ୍କ ଆଇଭିଏଫର ପୁରା ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ଯେଉଁମାନେ ତାଙ୍କ ଶୁକ୍ରାଣୁରେ ମା ହେବାକୁ ଚାହୁଁଛନ୍ତି।

ତେବେ ତାଙ୍କର ଅଫର କେବଳ ଏତିକିରେ ସୀମିତ ନାହିଁ ଡ୍ୟୁରୋଭ ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କର ଏହି ବାୟୋଲଜିକାଲ ଯୋଗଦାନରୁ ଜନ୍ମିତ ସନ୍ତାନ ଭବିଷ୍ୟତରେ ତାଙ୍କର ବିଶାଳ ସମ୍ପତ୍ତିର ଅଂଶୀଦାର ମଧ୍ୟ ହେବେ। ନିଜକୁ ଆଧୁନିକ ‘ଚଙ୍ଗେଜ ଖାନ’ ସାବ୍ୟସ୍ତ କରିବାକୁ ଚାହୁଁଥିବା ଡ୍ୟୁରୋଭଙ୍କର ପୂର୍ବରୁ ୧୦୦ଜଣ ସନ୍ତାନ ଅଛନ୍ତି। ଡ୍ୟୁରୋଭ ମସ୍କୋର ଏକ ଫର୍ଟିଲିଟି କ୍ଲିନିକ୍ ମାଧ୍ୟମରେ ଏଥି ପାଇଁ ଖୋଲା ପ୍ରସ୍ତାବ ଦେଇଛନ୍ତି। ତେବେ ତାଙ୍କ ଅଫରର ଲାଭ ନେବା ପାଇଁ ମହିଳାଙ୍କ ବୟସ ୩୭ ବର୍ଷରୁ ଅଧିକ ହୋଇ ନଥିବା ଆବଶ୍ୟକ, ଯାହା ଏହି ଖବରକୁ ବିଶ୍ୱରେ ଶିରୋନାମା ବନେଇ ଦେଇଛି।

ଗତ ଅକ୍ଟୋବରରେ ଲେକ୍ସ ଫ୍ରିଡମ୍ୟାନ ପଡକାଷ୍ଟରେ ଡ୍ୟୁରୋଭ ଏହି ଯୋଜନା ସମ୍ପର୍କରେ କହିଥିଲେ। ସେ କହିଥିଲେ ଯେ ଯେଉଁ ପର୍ଯ୍ୟନ୍ତ ମୋ ସହିତ ନିଜର ସେୟାର୍ଡ ଡିଏନଏ ସ୍ଥାପିତ କରିପାରିବେ, ବୋଧ ହୁଏ ଆଜକୁ ୩୦ ବର୍ଷ ବାଦେ ମୋ ମୃତ୍ୟୁ ଅନ୍ତେ ମୋ ସମ୍ପତ୍ତିରେ ଏକ ଅଂଶର ମାଲିକ ହେବେ। ଏହା ଛଡା ଫରାସୀ ପତ୍ରିକା ‘ଲି ପଏଣ୍ଟ’ ସହ ଆଲୋଚନାରେ ଡ୍ୟୁରୋଭ କହିଛନ୍ତି ଯେ ‘ମୁଁ ମୋ ପିଲାଙ୍କ ମଧ୍ୟରେ କୌଣସି ଅନ୍ତର ଦେଖେ ନାହିଁ’। ଏହାର ଅର୍ଥ ହେଉଛି ପିଲା ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ଠାରୁ ହୁଅନ୍ତୁ ଅଥବା ଶୁକ୍ରାଣୁ ଡୋନେସନରେ, ଡ୍ୟୁରୋଭଙ୍କ ନଜରରେ ସମସ୍ତ ପିଲା ସମାନ।

ଡ୍ୟୁରୋଭ ଜଣେ ଟେକ୍ ଦିଗ୍ଗଜ, ଏଣୁ ତାଙ୍କ ବିଚାର ମଧ୍ୟ ସଫ୍ଟୱେର ଭଳି। ସେ ତାଙ୍କ ଡିଏନଏ କୁ ‘ଓପନ ସୋର୍ସ’ କରିବାକୁ ଯୋଜନା କରୁଛନ୍ତି। ସେ ଚାହୁଁଛନ୍ତି ତାଙ୍କ ବାୟୋଲଜିକାଲ ପିଲାମାନେ ଜଣେ ଜଣକୁ ଭବିଷ୍ୟତରେ ଯେପରି ସହଜରେ ଚିହ୍ନି ପାରିବେ। ଜୁଲାଇ ୨୦୨୪ରେ ସେ ଏକ ଟେଲିଗ୍ରାମ ପୋଷ୍ଟରେ ତାଙ୍କ ଶୁକ୍ରାଣୁ ଏବେବି ଉପଲବ୍ଧ ଥିବା ଘୋଷଣା କରିଥିଲେ ଓ ସେ ଚାହୁଁଛନ୍ତି ତାଙ୍କ ପିଲାମାନେ ଏକ ସମୂଦାୟ ଭଳି ଜଣେ ଜଣଙ୍କ ସହ ସଂଯୁକ୍ତ ହୁଅନ୍ତୁ। ସେ ଲେଖିଛନ୍ତି ଏହା ହୁଏତ ଜଟିଳ ହୋଇପାରେ, ହେଲେ ଡୋନର ହେବାରେ ମୋର କୌଣସି ପଶ୍ଚାତାପ ନାହିଁ।

ପାୱେଲ ଡ୍ୟୁରୋଭ ମଧ୍ୟ ଏଲନ ମସ୍କଙ୍କ ଭଳି ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତିତ। ସେ ସାର୍ବଜନିକ ରୂପେ ହ୍ରାସ ହେଉଥିବା ସ୍ପର୍ମ କାଉଣ୍ଟ ଓ ବଢୁଥିବା ବନ୍ଧ୍ୟାତ୍ୱ ହାରକୁ ପ୍ଲାଷ୍ଟିକ ପ୍ରଦୂଷଣ ଭଳି ପରିବେଶ କାରକ ସହିତ ଯୋଡୁଛନ୍ତି। ସେ ତାଙ୍କ ଧନ ସମ୍ପତ୍ତି ଓ ଭଲ ଜିନର ଉଦାହରଣ ଦେଇ ନିଜକୁ ମାନବ ଜାତିର ଜିନପୁଲ କୁ ବଞ୍ଚାଇବା ପାଇଁ ମସିହା ଭାବେ ଉପସ୍ଥାପନ କରୁଛନ୍ତି। ତେବେ ସମୀକ୍ଷକମାନେ ଏହାକୁ ବିଲେନିୟରଙ୍କ ଆତ୍ମ-ମୁଗ୍ଧତା ବୋଲି କହୁଛନ୍ତି।