ବାଂଲାଦେଶ ନିର୍ବାଚନ : ବିଏନପିର ଡବଲ ସେଞ୍ଚୁରୀ, ପ୍ରଧାନମନ୍ତ୍ରୀ ହେବେ ତାରିକ ରେହମାନ !

NEWS7
kadalibadi-villagers-faces-various-problem

ଢାକା, ୧୩|୦୨: ବାଂଲାଦେଶରେ ସରିଛି ନିର୍ବାଚନ । ଭୋଟ୍ ଗଣତି ମଧ୍ୟ ଆରମ୍ଭ ହୋଇଯାଇଛି । ଶୁକ୍ରବାର ନିର୍ବାଚନର ଫଳାଫଳ ସାମ୍ନାକୁ ଆସିପାରେ । ତେବେ ବାଂଲାଦେଶ ନିର୍ବାଚନ ଏଥର ଖାସ୍ ଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍ ହସିନା ଦେଶ ଛାଡି ପଳାଇବା ପରେ ଅନ୍ତରୀଣ ସରକାର ଗଠନ ହୋଇଥିଲା । ଯାହାର ନେତୃତ୍ୱ ନେଉଥିଲେ ମହମ୍ମଦ ୟୁନୁସ । ତେବେ ନିର୍ବାଚନରେ ମତଦାତା ଦୁଇଟି ପ୍ରସଙ୍ଗରେ ଭୋଟ୍ ଦେଇଥିଲେ । ପ୍ରଥମେ ସେମାନେ ନେତା ବାଛିବା ପାଇଁ ମତାଧିକାର ସାବ୍ୟସ୍ତ କରିଥିଲେ । ଦ୍ୱିତୀୟରେ ସମ୍ବିଧାନ ପ୍ରସ୍ତାବରେ ପରିବର୍ତ୍ତନ ପାଇଁ ଜନତାଙ୍କ ମତ ଲୋଡା ଯାଇଥିଲା ।

ନିର୍ବାଚନରେ ମୁଖ୍ୟତଃ ଜମାତ-ଏ-ଇସଲାମ ଏବଂ ବିଏନପି ମଧ୍ୟରେ ମୁକାବିଲା ହେଉଛି । ବିଏନପି ନେତା ତାରିକ ରେହମାନ ଦୁଇଟି ଆସନରେ ନିର୍ବାଚନ ଲଢୁଛନ୍ତି । ସେ ଉଭୟ ଆସନରେ ବିଜୟୀ ହୋଇଥିବା ଜଣାପଡିଛି । ଅନ୍ୟ ଦିଗରେ ସେଖ୍ ହସିନାଙ୍କ ଦଳ ଆଓ୍ୱାମୀ ଲିଗ୍ କୁ ନିର୍ବାଚନ ଲଢିବା ପାଇଁ ଅନୁମତି ମିଳିନଥିଲା । ଅନ୍ୟ ଦିଗରେ ଦେଶରେ ୨୯୯ଟି ଆସନ ପାଇଁ ଭୋଟ୍ ହୋଇଥିବା ବେଳେ ଏହାର ଫଳାଫଳ ଦେଶର ରାଜନୀତିରେ ବଡ ପରିବର୍ତ୍ତନ କରିବ ।

ବିଏନପି ଆଗରେ

ବିଏନପି ସୂତ୍ରାନୁସାରେ, ଦଳ ୨୦୦ରୁ ଅଧିକ ଆସନରେ ବିଜୟ ହୋଇଛି । ଏବେସୁଦ୍ଧା ଦଳ ୨୦୮ ଆସନରେ ବାଜିମାତ କରିସାରିଛି । ତେଣୁ ସରକାର ଗଠନ ନେଇ ଏକ ପ୍ରକାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସୁଛି । ଅନ୍ୟ ଦିଗରେ ଜମାତ-ଏ-ଇସଲାମି ୬୮ଟି ଆସନରେ ଜିତିଥିବା ସୂଚନା ମିଳିଛି । ଏବେବି ଭୋଟ୍ ଗଣତି ଜାରି ରହିଛି । ଶୁକ୍ରବାର ଦ୍ୱିପହର ସୁଦ୍ଧା ସମସ୍ତ ଆସନର ଗଣତି ଶେଷ ହେବ ବୋଲି ସ୍ଥାନୀୟ ମିଡିଆ ପ୍ରକାଶ କରିଛି ।

ବିଏନପିର ଶୁଭେଚ୍ଛା

ପ୍ରାରମ୍ଭିକ ରେଜଲ୍ଟ ଆସିବା ପରେ ବିଏନପି ଖୁସି ବ୍ୟକ୍ତ କରିବା ସହ ଜନତାଙ୍କୁ ଧନ୍ୟବାଦ ଦେଇଛି । ଏହାସହ ଦଳ ନିଜ ସମର୍ଥକଙ୍କୁ ଶାନ୍ତି ପ୍ରତିଷ୍ଠା କରିବାକୁ ଅପିଲ କରିଛି । ,କୌଣସି ହିଂସାକାଣ୍ଡରେ ସାମିଲ ନହେବାକୁ ତାଗିଦ ମଧ୍ୟ କରାଯାଇଛି ।