LIVE TV

ଚଳିତ ରଣଜୀରେ ଓଡ଼ିଶାର ପ୍ରଥମ ବିଜୟ, ନାଗାଲାଣ୍ଡକୁ ୨୯୯ ରନରେ ଦେଲା ମାତ୍

NEWS7
jyotiraditya-scindia-reaction-on-rahul-gandhi-back-bencher-statement

ଭୁବନେଶ୍ଵର: ନୈରାଶ୍ୟଜନକ ପ୍ରଦର୍ଶନ ପରେ ଶେଷରେ ଚଳିତ ରଣଜୀ ସିଜିନରେ ପ୍ରଥମ ବିଜୟ ହାସଲ କରିଛି ଓଡ଼ିଶା। ଘରୋଇ ମଇଦାନରେ ଓଡିଶା ଭ୍ରମଣକାରୀ ନାଗାଲାଣ୍ଡକୁ ୨୯୯ ରନରେ ହରାଇଛି। ବିଜୟ ସହ ଏଲିଟ୍ ଗ୍ରୁପ ଏରେ ଅଷ୍ଟମ ସ୍ଥାନକୁ ଉଠିଛି ଓଡ଼ିଶା। ଚଳିତ ସିଜିନରେ ପଞ୍ଚମ ମ୍ୟାଚରୁ ଓଡିଶାର ଏହା ପ୍ରଥମ ବିଜୟ। ସ୍ଵସ୍ତିକ ସାମଲଙ୍କ ୧୬୯ ରନ ଓ ଅଧିନାୟକ ସୁଭ୍ରାଂଶୁ ସେନାପତିଙ୍କ ୧୩୭ ରନର ଶତକୀୟ ଇନିଂସ ପରେ ଗୋବିନ୍ଦ ପୋଦ୍ଦାରଙ୍କ ୫ ଓ୍ଵିକେଟ୍ ବଳରେ ଓଡ଼ିଶା ନାଗାଲାଣ୍ଡକୁ ହରାଇ ପାରିଛି। ଓଡ଼ିଶା ୫ଟି ମ୍ୟାଚ୍ ଖେଳି ୩ ପରାଜୟ, ଗୋଟିଏ ଡ୍ର ଓ ଗୋଟିଏ ବିଜୟ ସହ ୭ ପଏଣ୍ଟ ପାଇଛି।

ଭୁବନେଶ୍ଵର ସ୍ଥିତ କିଟ୍ ଷ୍ଟାଡିୟମରେ ଖେଳା ଯାଇଥିବା ରଣଜୀ ମୁକାବିଲାରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରିଥିଲା। ଅନିଲ ପରିଡ଼ାଙ୍କ ଅପରାଜିତ ୧୧୮ ରନ ଓ ବିପ୍ଳବ ସାମନ୍ତରାୟଙ୍କ ୯୨ ରନ ବଳରେ ୨୭୫ ରନ କରିଥିଲା ଓଡିଶା। ଜବାବରେ ନାଗାଲାଣ୍ଡ ୧୬୧ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଦେଗା ନିତ୍ସଲ ୭୨ ରନ କରିଥିଲେ। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି, ସମ୍ବିତ ଏସ ବରାଲ ଓ ଗୋବିନ୍ଦ ପୋଦ୍ଦାର ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

୧୧୪ ରନର ଅଗ୍ରଣୀ ହାସଲ କରିଥିବା ଓଡିଶା ଦ୍ଵିତୀୟ ଇନିଂସରେ ଦମଦାର ବ୍ୟାଟିଂ କରିଥିଲା। ସ୍ଵସ୍ତିକ ଲ ୧୬୯ ରନର ଦମଦାର ଇନିଂସ ଖେଳିଥିଲେ। ଏଥିରେ ୧୧ ଚୌକା ଓ ୬ ଛକା ସାମିଲ୍। ଏହା ସହ ଅଧିନାୟକ ସୁଭ୍ରାଂଶୁ ସେନାପତି ମଧ୍ୟ ୧୩୭ ରନର ଶତକୀୟ ଇନିଂସ ଖେଳି ଓଡ଼ିଶାର ସ୍ଥିତି ମଜବୁତ କରିଥିଲେ। ଦ୍ଵିତୀୟ ଇନିଂସରେ ସ୍ଵସ୍ତିକ ଓ ସେନାପତିଙ୍କ ମଧ୍ୟରେ ୩ୟ ଓ୍ଵିକେଟ୍ରେ ୨୬୧ ରନର ଭାଗିଦାରୀ ହୋଇଥିଲା। ଓଡ଼ିଶା ୫ ଓ୍ଵିକେଟ୍ ହରାଇ ୩୫୦ ରନ ସ୍କୋରରେ ପାଳି ସମାପ୍ତି ଘୋଷଣା କରିଥିଲା।

ଆଉ ନାଗାଲାଣ୍ଡ ସମ୍ମୁଖରେ ଥିଲା ୪୬୪ ରନର ବିଶାଳ ବିଜୟ ଲକ୍ଷ୍ୟ। ଜବାବରେ ଭ୍ରମଣକାରୀ ଦଳ ଓଡ଼ିଶା ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରି ପାରି ନ ଥିଲା। ବିଶେଷ କରି ଗୋବିନ୍ଦ ପୋଦ୍ଦାର ଘାତକ ବୋଲିଂ କରି ନାଗାଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ନାଗାଲାଣ୍ଡ ପକ୍ଷରୁ ଡେଗା ନିତ୍ସଲ ସର୍ବାଧିକ ୫୨ ରନ କରିଥିଲେ। ଦଳ ୧୬୫ ରନରେ ଅଲଆଉଟ୍ ହୋଇଥିଲା। ଆଉ ଓଡ଼ିଶା ମ୍ୟାଚକୁ ୨୯୯ ରନରେ ଜିତି ନେଇଛି। ଗୋବିନ୍ଦ ପୋଦ୍ଦାର ୬୯ ରନ ଦେଇ ୫ ଓ୍ଵିକେଟ୍ ଓ ବାଦଲ ବିଶ୍ଵାଳ ୩୮ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ।