ସ୍ବାମୀ ନା ରାକ୍ଷସ ! ସ୍ତ୍ରୀ ଦେହରେ ନିଆଁ ଲଗାଉଥିଲା, ପୋଡ଼ିଗଲେ ଶାଶୁ-ଶ୍ବଶୁର-ଶଳା

NEWS7
juel-oram-lead-race-for-speaker-post-bhartruhari-mahtab-for-deputy-speaker

ଜଳେଶ୍ବର ୧୮।୨: ସ୍ୱାମୀ ପାଲଟିଲା ରାକ୍ଷସ । ସ୍ତ୍ରୀକୁ ଜୀବନରୁ ମାରିଦେବା ପାଇଁ ରଚିଥିଲା ଷଡ଼ଯନ୍ତ୍ର । ଶ୍ବଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବାକୁ ଉଦ୍ୟମ । ଝିଅକୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଏବଂ ଶଳା ନିଆଁରେ ପୋଡି ଗୁରୁତର ହୋଇଛନ୍ତି । ଅନ୍ୟପଟେ ଅଭିଯୁକ୍ତ ଜ୍ବାଇଁକୁ କାବୁ କରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଏ ଖବର ବି ପଢ଼ନ୍ତୁ:- ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଧାନମଣ୍ଡି ସମସ୍ୟାକୁ ନେଇ ଜୋରଦାର ହଙ୍ଗାମା

ସୂଚନାଯୋଗ୍ୟ ଯେ, ନାରାୟଣପୁର ଗ୍ରାମର ରାଜେନ୍ଦ୍ର ସାମନ୍ତରାୟ ସୋର ଅଞ୍ଚଳ ମାଳତ୍ରୀ ଗ୍ରାମର କରୁଣାକର କବି ସହ ତାଙ୍କ ଝିଅଙ୍କ ବିବାହ କରାଇଥିଲେ । ୭ ବର୍ଷ ପୂର୍ବରୁ ବିବାହ ହୋଇଥିବା ବେଳେ ତାଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି । ତେବେ ବିବାହ ପରଠାରୁ ଦୁହିଁଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ଦେଖା ଦେଇଥିଲା । ଏମିତି କି ମହିଳାଙ୍କୁ ତାଙ୍କ ସ୍ୱାମୀ ନିର୍ଯାତନା ଦେବା ଅଭିଯୋଗରେ ସେ ଆଇନର ଆଶ୍ରୟ ନେଇଥିଲେ । ମାସେ ହେବ ସେ ନିର୍ଯାତନା ସହିନପାରି ବାପଘରକୁ ପଳାଇ ଆସିଥିଲେ । ମଙ୍ଗଳବାର ରାତିରେ ଜ୍ବାଇଁ କରୁଣାକର ଶ୍ବଶୁର ଘରେ ପହଞ୍ଚି ପାଟିତୁଣ୍ତ କରିବା ସହ ଉତକ୍ଷିପ୍ତ ହୋଇ ସାଙ୍ଗରେ ଆଣିଥିବା ପେଟ୍ରୋଲ ସ୍ତ୍ରୀ ଉପରକୁ ଫିଙ୍ଗି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ । ପରିବାର ଲୋକ ବିରୋଧ କରିବାରୁ ସେମାନଙ୍କ ଉପରକୁ ମଧ୍ୟ ପେଟ୍ରୋଲ ଫିଙ୍ଗି ନିଆଁ ଲଗାଇ ଦେଇଥିଲେ । ଯାହା ଫଳରେ ଝିଅ ସମେତ ଅନ୍ୟମାନେ ନିଆଁରେ ପୋଡି ହୋଇ ଗୁରୁତର ହୋଇଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକ ପହଞ୍ଚି ଜ୍ବାଇଁକୁ କାବୁକରି ପୋଲିସରେ ଜିମା ଦେବା ସହ ସମସ୍ତ ଗୁରୁତର ମାନଙ୍କୁ ପ୍ରଥମେ ପ୍ରତାପପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ବର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।