ସିଟ୍ ୪କୁ ଆଶାୟୀ ୪୦.. ସହଜ ନୁହେଁ ରାଜ୍ୟସଭା ଗଣିତ

NEWS7
jp-nadda-announce-bjp-central-officials-name

ଭୁବନେଶ୍ୱର ୧୪।୦୧ : ଆସନ ୪, ଆଖି ୪୦ । ଏପ୍ରିଲରେ ଖାଲି ହେବାକୁ ଥିବା ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଲବି, ଛକାପଞ୍ଝା ପ୍ରବଳ। ପରାଜିତ ବଡ଼ ନେତା ଲାଗି ପଡ଼ିଛନ୍ତି, ଯେମିତି ହେଉ ଦିଲ୍ଲୀ ଚୌକି ହାତେଇବାକୁ। ୨୦୨୬ର ରାଜ୍ୟସଭା ପାଇଁ ହେବେ ପ୍ରଥମ ରାଜୈନିତି ଲଢେଇ।

ଏପ୍ରିଲରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ମମତା ମହାନ୍ତ, ନିରଞ୍ଜନ ବିଶି ଓ ମୁନ୍ନା ଖାଁଙ୍କ କାର୍ଯ୍ୟକାଳ ସରୁଛି । ଏହି ୪ଟି ଯାକ ଆସନ ପ୍ରଥମେ ଥିଲା ବିଜେଡିର। ଓଡ଼ିଶାରେ ଶାସନ ପରିବର୍ତ୍ତନ ପରେ ଶିବିର ବଦଳାଇଲେ ସୁଜିତ ଓ ମମତା । ଏବେ ବିଜେପିର ୨, ବିଜେଡିର ୨ । ସଂଖ୍ୟା ଗଣିତରେ ୨ଟି ରାଜ୍ୟସଭା ଆସନ ବିଜେପିକୁ, ଗୋଟିଏ ବିଜେଡିକୁ ଯିବାକୁ ଥୟ । ଚତୁର୍ଥ ଆସନ ପାଇଁ ଯାହା ଖେଳ ହିଟ୍ ହେବ, ସିଏ ବାଜିମାତ୍ କରିବ ।

ବର୍ତ୍ତମାନ ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ୭୯। ୩ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ମିଶାଇଲେ ବିଜେପିର ସଂଖ୍ୟା ୮୨ । ବିଜେଡି ବିଧାୟକଙ୍କ ସଂଖ୍ୟା ୫୦ । କଂଗ୍ରେସ ୧୪, ସିପିଆଇଏମ୍ ୧ । ହିସାବ କହୁଛି, ଯେଉଁ ରାଜ୍ୟସଭା ପ୍ରାର୍ଥୀ ୩୧ଟି ଭୋଟ ପାଇବେ, ସେ ନିର୍ବାଚିତ ହେବେ। ବିଜେପି ପାଖରେ ଯେତିକି ବିଧାୟକ ଅଛନ୍ତି, ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ଆରାମରେ ଜିତିବେ। ଏହାବାଦ୍ ବିଜେପି ପାଖରେ ଆହୁରି ୨୦ଜଣ ବିଧାୟକ ଅଛନ୍ତି। ଆଉ ଗୋଟିଏ ଆସନ ଜିତିବା ପାଇଁ ବିଜେପିକୁ ଦରକାର ୧୧ ବିଧାୟକ। ସେହିପରି ବିଜେଡି ନିଜର ପ୍ରଥମ ପ୍ରାର୍ଥୀଙ୍କୁ ଜିତାଇବା ପରେ ଆହୁରି ୧୯ ବିଧାୟକ ରହୁଛନ୍ତି । ଯଦି ବିଜେଡି ଦ୍ୱିତୀୟ ପ୍ରାର୍ଥୀ ଦିଏ ଆଉ ୧୨ଜଣ ବିଧାୟକଙ୍କ ଭୋଟ ଦରକାର ପଡ଼ିବ । ସିପିଆଇଏମ୍ ବିଧାୟକଙ୍କ ସମର୍ଥନ ମିଳିବା ପରେ ବି ଆଉ ୧୦ ବିଧାୟକ ଦରକାର ପଡ଼ିବେ । ଏମିତିରେ କିଛି ବି ଖେଳ ହୋଇପାରେ ।

ମନମୋହନ, ସମୀର, ଗୋଲକ, ଦିଲ୍ଲୀପ ନା ସରପ୍ରାଇଜ୍

ନୂଆବର୍ଷ ଆରମ୍ଭ ସହ ରାଜ୍ୟସଭାକୁ ନେଇ ଆରମ୍ଭ ହୋଇଯାଇଛି ଦୌଡ଼। ବିଜେପି ୨ଟି ଜିତିବା ଏକପ୍ରକାର ନିଶ୍ଚିତ ଥିବାବେଳେ ବାକି ଗୋଟିଏ ଆସନ ଦଖଲ କରିବାକୁ ଶାସକ ଦଳ ସବୁ ରଣକୌଶଳ ଆପଣାଇବ। ସୁଜିତ ଓ ମମତାଙ୍କୁ ଦଳ ପୁଣି ରାଜ୍ୟସଭା ପଠାଇବ ନା ଅନ୍ୟ କାହାକୁ ବାଛିବ, ତାହା ସମୟ କହିବ । ଏମିତିରେ ଦଳର ବହୁ ହେଭିୱେଟ ରାଜ୍ୟସଭା ଆସନ ଉପରେ ନଜର ରଖିଛନ୍ତି । ଦଳୀୟ ସୂତ୍ର ଅନୁସାରେ ରାଜ୍ୟସଭା ପାଇଁ ସବୁଠାରୁ ଅଧିକ ଚର୍ଚ୍ଚା ଓ ସମ୍ଭାବ୍ୟ ତାଲିକାରେ ରହିଛି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ । ମନମୋହନଙ୍କୁ ରାଜ୍ୟସଭା ପଠାଇବାକୁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ବିଚାର କରୁଥିବା କୁହାଯାଉଛି । ଏହାବାଦ୍ ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମୀର ମହାନ୍ତି ଓ ଗୋଲକ ମହାପାତ୍ରଙ୍କ ନାମ ବି ଚର୍ଚ୍ଚାକୁ ଆସିଛି । ନୂଆପଡ଼ା ଉପନିର୍ବାଚନରେ ବସନ୍ତ ଓ ତାଙ୍କ ପୁଅ ଅଭିନନ୍ଦନଙ୍କୁ ଦଳ ବିଧାନସଭା ପାଇଁ ଟିକଟ ଦେଇନଥିଲା । ବସନ୍ତ ଓ ତାଙ୍କ ପୁଅକୁ ମ୍ୟାନେଜ କରିବାରେ ଦଳୀୟ ନେତୃତ୍ୱ ସଫଳ ହୋଇଥିଲେ । ତେଣୁ ବସନ୍ତଙ୍କୁ ରାଜ୍ୟସଭା ଟିକଟ ମିଳିପାରେ ବୋଲି ଗୋଟିଏ ମହଲରେ ଆଲୋଚନା ହେଉଛି । ସଂଗଠନ ପାଇଁ ଦୀର୍ଘ ବର୍ଷରୁ କାମ କରି ଆସୁଥିବା ସମୀର ଓ ଗୋଲକ ମଧ୍ୟ ରାଜ୍ୟସଭା ଦାବିଦାର ତାଲିକାରେ ଅଛନ୍ତି । ଏସବୁ ଚର୍ଚ୍ଚା ଭିତରେ ଦଳର ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କ ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଦିଲ୍ଲୀପ ପ୍ରାର୍ଥୀ ହେଲେ ବିରୋଧୀ ଦଳରୁ ତାଙ୍କୁ ଭିତିରି ସମର୍ଥନ ମିଳିପାରେ । ଚର୍ଚ୍ଚାରେ ନଥିବା କିଛି ବିଶିଷ୍ଟ ବ୍ୟକ୍ତିତ୍ୱ କିମ୍ବା ନୂଆ ମୁହଁକୁ ରାଜ୍ୟସଭା ପଠାଇ ବିଜେପି ଚକ୍ମା ଦେଇପାରେ । ପାରାସୁଟ ରାଜନୀତିରେ କୌଣସି କେନ୍ଦ୍ରୀୟ ନେତାଙ୍କୁ ବି ଦଳ ଓଡ଼ିଶାରୁ ରାଜ୍ୟସଭା ପଠାଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଚର୍ଚ୍ଚା ବାଦ୍ ଆହୁରି ଡଜନେ ନେତା (ଅଧିକାଂଶ ବିଧାନସଭା ନିର୍ବାଚନରେ ପରାଜିତ) ରାଜ୍ୟସଭା ଆସନକୁ ଅନେଇ ରହିଛନ୍ତି, କାଳେ କେନ୍ଦ୍ରୀୟ ନେତାଙ୍କ ଶୁଭଦୃଷ୍ଟିରେ ନମ୍ବର ପଡ଼ିଯିବ ।

ସଂତୃପ୍ତ ନା ଦେବୀ, କାହାକୁ ଭରସିବେ ନବୀନ

ରାଜ୍ୟସଭା ଗଣିତ ଅନୁସାରେ ବିଜେଡିକୁ ଗୋଟିଏ ଆସନ ମିଳିବା ଏକପ୍ରକାର ନିଶ୍ଚିତ । ବିଜେଡିରେ ଦାବିଦାରଙ୍କ ତାଲିକା ବେଶ୍ ଲମ୍ବା। ସବୁଠାରୁ ଅଧିକ ସମ୍ଭାବନା ରହିଛି ସଂତୃପ୍ତ ମିଶ୍ରଙ୍କର । ସଂତୃପ୍ତଙ୍କୁ ଦିଲ୍ଲୀ ରାଜନୀତିରେ ସକ୍ରିୟ ରଖିପାରନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏହାବାଦ୍ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅଶୋକ ପଣ୍ଡାଙ୍କ ନାଁ ଆଗରେ ରହିଛି। ଖାଲି ଆଗ ଧାଡ଼ିଆ ନୁହେଁ, ଗତ ବିଧାନସଭା ଓ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିବା ଅନେକ ନେତା ରାଜ୍ୟସଭା ଯିବାକୁ ଆଶା ବାନ୍ଧିଛନ୍ତି । ଏପରିକି କିଛି ରିପିଟ ହେବାକୁ ବି ଆଶା ରଖିଛନ୍ତି । ରାଜନୀତି ମଇଦାନରେ କୌଣସି ନୂଆ ନାଁକୁ ଓହ୍ଲାଇ ନବୀନ ସଭିଙ୍କୁ ଚକିତ ବି କରାଇପାରନ୍ତି ।

ଚତୁର୍ଥ ଆସନ ପ୍ରାର୍ଥୀ ଦଳୀୟ ନା ଶୂନ୍ୟରୁ ଓହ୍ଲାଇବେ

ସଂଖ୍ୟା ଗଣିତରେ କଂଗ୍ରେସ ପାଇଁ କିଛି ଆଶା ନାହିଁ କି ସମ୍ଭାବନା ନାହିଁ । ମାତ୍ର ଚତୁର୍ଥ ପ୍ରାର୍ଥୀଙ୍କୁ ନେଇ ଯଦି ବିରୋଧୀ ଦଳ ଏକାଠି ହୁଅନ୍ତି, ତେବେ କଂଗ୍ରେସର ପସନ୍ଦ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଏମିତିରେ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ହେବାକୁ ବି କିଛି ପ୍ରଭାବଶାଳୀ ଭିତରେ ଉଦ୍ୟମ ଚଳାଇଛନ୍ତି । ଅପରପକ୍ଷରେ ଆଉ କିଛି ପ୍ରଭାବଶାଳୀ ବ୍ୟକ୍ତିତ୍ୱ ବିଜେପି ଓ ବିଜେଡିର ସମର୍ଥନରେ ନିଦ୍ୱନ୍ଦ୍ୱରେ ରାଜ୍ୟସଭା ଯିବାକୁ ମନ ବଳାଇଛନ୍ତି ।