ମୁମ୍ବାଇ-ନାସିକ ଜାତୀୟ ରାଜମାର୍ଗରେ ହୁତ ହୁତ ହୋଇ ଜଳିଲା ରେଞ୍ଜ ରୋଭର, ଅଳ୍ପକେ ବର୍ତ୍ତିଲେ ବିଜେପି ସାଂସଦ

NEWS7
joe-baiden-will-take-corona-vaccine

ମୁମ୍ବାଇ ୧୪।୨: ମୁମ୍ବାଇ-ନାସିକ ଜାତୀୟ ରାଜମାର୍ଗରେ ଶନିବାର ରାଜସ୍ଥାନର ବିଜେପି ସାଂସଦ ଲୁମ୍ବାରାମ ଚୌଧୁରୀଙ୍କ ବିଳାଶମୟ ରେଞ୍ଜରୋଭର ଗାଡ଼ି ଜଳି ପାଉଁଶ ହୋଇଯାଇଛି। ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସାଂସଦ ଚୌଧୁରୀଙ୍କ ସମେତ ଗାଡିରେ ବସିଥିବା ସବୁ ଲୋକେ ସୁରକ୍ଷିତ ବାହାରି ଯାଇଛନ୍ତି। ଫଳରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ସୂଚନା ଅନୁସାରେ ଲୁମ୍ବାରାମ ଚୌଧୁରୀ ତ୍ରୟମ୍ବକେଶ୍ୱର ଜ୍ୟୋତିର୍ଲିଂଗ ଦର୍ଶନ ନିମନ୍ତେ ୱାସିମରୁ ନାସିକ ଆସୁଥିଲେ।

ସାଂସଦ ତାଙ୍କର ରେଞ୍ଜ ରୋଭର ଗାଡି ନମ୍ବର ଏମଏଚ ୦୧ ଡିକେ ୯୯୭୫ରେ ଯାତ୍ରା କରୁଥିଲେ। ଗାଡିକୁ ଶାହପୁରର ଅନିଲ ବାବନ ଯାଦବ (୪୦) ଚଳାଉଥିଲେ। କୁହାଯାଉଛି ସେମାନେ ଯେତେବେଳେ ଗୋନ୍ଦେ ଫାଟା କ୍ଷେତ୍ର ଦେଇ ଯାତ୍ରା କରୁଥିଲେ ଡ୍ରାଇଭରକୁ କିଛି ପୋଡିବା ଭଳି ଗନ୍ଧ ହୋଇଥିଲା। ଏଣୁ ସେ ତୁରନ୍ତ ଗାଡିକୁ ରାସ୍ତାକଡକୁ ନେଇ ରୋକି ଦେଇଥିଲେ। ଏହା ପରେ ଦେଖୁ ଦେଖୁ ଗାଡିରେ ନିଆଁ ଲାଗିଯାଇଥିଲା। ତେବେ ସେତେବେଳକୁ ଗାଡିରୁ ସାଂସଦ ଓ ତାଙ୍କ ସାଥୀ ମାନଙ୍କୁ ସୁରକ୍ଷିତ ବାହାର କରିଦିଆଯାଇଥିଲା।

ଅଗ୍ନିକାଣ୍ଡ ସୂଚନା ପାଇ ଭାଡିଭରେ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ତୁରନ୍ତ ଅଗ୍ନିସମ ବିଭାଗକୁ ଖବର ଦେଇଥିଲେ। ଦମକଳ ବିଭାଗ କର୍ମଚାରୀ ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟଯେ ଲୁମ୍ବାରାମ ଚୌଧୁରୀ ରାଜସ୍ଥାନର ଜାଲୋର-ସିରୋହୀ ଲୋକସଭା ଆସନରୁ ବିଜେପି ସାଂସଦ ଅଛନ୍ତି। ସେ ସଂସଦରେ ପ୍ରତିରକ୍ଷା ସମ୍ପର୍କିତ ସ୍ଥାୟୀ କମିଟିର ସଦସ୍ୟ ମଧ୍ୟ ଅଛନ୍ତି।