ଯୁଦ୍ଧ ବେଳେ ରୁଷ ଠାରୁ କେତେ ତେଲ କିଣିଛି ଭାରତ ? ଆସିଗଲା ରିପୋର୍ଟ, ଆମେରିକା ଜଳକା

NEWS7
jagatsinghpur-acharjya-nursing-home-owner-fled-away

ନୂଆଦିଲ୍ଲୀ: ଇରାନ ଇସ୍ରାଏଲ ମଧ୍ୟରେ ଚାଲିଥବା ଯୁଦ୍ଧ ମଧ୍ୟରେ ହର୍ମୁଜ ଜଳପଥ ବନ୍ଦ ହୋଇଯାଇଛି । ଏଭଳି ସ୍ଥିତିରେ ଅଶୋଧିତ ତୈଳ ଯୋଗାଣ ବାଧାପ୍ରାପ୍ତ ହେବା ପରେ ଭାରତ ଏବେ ରୁଷ ତେଲ ପାଇଁ ଅଣ୍ଟା ଭିଡ଼ିଛି । ଆମେରିକା ମଧ୍ୟ ରୁଷ ତେଲ କିଣିବା ପାଇଁ ଭାରତକୁ ଏପ୍ରିଲ ୩ ପର୍ଯ୍ୟନ୍ତ ଛାଡ଼ ପ୍ରଦାନ କରିଛି । ତେଣୁ ଭାରତ ପ୍ରାୟ ୩ କୋଟି ବ୍ୟାରେଲ ରୁଷ ତେଲ କ୍ରୟ କରିଥିବା ବ୍ଲୁମବର୍ଗ ପକ୍ଷରୁ ଜାରି ଏକ ରିପୋର୍ଟରୁ ଜଣାପଡ଼ିଛି ।

ନିକଟରେ ଏସୀୟ ସମୁଦ୍ରରେ ଫସି ରହିଥିବା ରୁଷ ତେଲ ବୋଝେଇ ଜାହାଜଗୁଡ଼ିକରୁ ଅଶୋଧିତ ତୈଳ କିଣିବା ପାଇଁ ଆମେରିକା ଭାରତକୁ ୩୦ ଦିନର ଛାଡ଼ ପ୍ରଦାନ କରିଥିଲା । ରିପୋର୍ଟ ଅନୁସାରେ, ଆମେରିକାର ଛାଡ଼ ପରେ ଭାରତୀୟ ତୈଳ ନିଗମ(ଆଇଓସି) ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସମେତ ଅନ୍ୟାନ୍ୟ ଭାରତୀୟ ବିଶୋଧନକାରୀମାନେ ସ୍ପଟ୍ ବଜାରରେ ଉପଲବ୍ଧ ସମସ୍ତ ରୁଷ ତେଲ କିଣିନେଇଛନ୍ତି ।

ରିପୋର୍ଟ ଅନୁସାରେ, ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ହମ୍ଲା ପରେ ହୋର୍ମୁଜ ଜଳପଥକୁ ବନ୍ଦ କରିଦେଇଛି ଇରାନ । ଫଳରେ ଏହି ବାଟ ଦେଇ ହେଉଥିବା ତୈଳ ଯୋଗାଣ ବ୍ୟାହତ ହୋଇଛି । ଏଣୁ ଭାରତୀୟ ବିଶୋଧନକାରୀମାନେ ରୁଷ ତୈଳ ଜାହାଜଗୁଡ଼ିକରୁ ତୈଳ ବୁକ୍ କରି ନେଇଛନ୍ତି, ଯାହା ପୂର୍ବରୁ ହିଁ ଏସୀୟ ସମୁଦ୍ରରେ ଥିଲେ, କିନ୍ତୁ କ୍ରେତା ମିଳୁ ନ ଥିଲେ ।

ସୂତ୍ର ଅନୁସାରେ, ଇଣ୍ଡିଆନ ଅଏଲ ପାଖାପାଖି ୧ କୋଟି ବ୍ୟାରେଲ ଏବଂ ରିଲାଏନ୍ସ ବି ଅନ୍ୟୁନ ୧ କୋଟି ବ୍ୟାରେଲ ତେଲ କ୍ରୟ କରିଛି । ଅବଶିଷ୍ଟ ଅଶୋଧିତ ତୈଳ ଅନ୍ୟ ଭାରତୀୟ ବିଶୋଧନକାରୀମାନେ କ୍ରୟ କରିଛନ୍ତି । ତଥ୍ୟରୁ ଜଣାପଡ଼ିଛି ଯେ, ରୁଷ ଜାହାଜ ‘ମାୟଲୋ’ ଏବଂ ‘ସାରା’ ଭଳି କେତେକ ବଡ଼ ଟ୍ୟାଙ୍କର, ଯାହା ପୂର୍ବରୁ ସିଙ୍ଗାପୁର ଆଡ଼କୁ ଯାଉଥିଲେ, ସେମାନେ ଏବେ ଭାରତୀୟ ବନ୍ଦର ଆଡ଼କୁ ଦିଗ ବଦଳାଇଛନ୍ତି । ଆମେରିକାର ଛାଡ଼ ମିଳିବା ପରେ ଏହି ଜାହାଜଗୁଡ଼ିକ ଦିଗ ପରିବର୍ତ୍ତନ କରିଛନ୍ତି ।

ରୁଷ ଏଥର ୟୁରାଲ୍ସ, ଇଏସ୍ପିଓ ଏବଂ ବରାଣ୍ଡେ ଭଳି ଗ୍ରେଡ୍ ତେଲ ଅଫର୍ କରିଛି । ଗତ କିଛି ମାସ ହେବ ଭାରତ ରୁଷରୁ ତେଲ କ୍ରୟ କମ୍ କରିଥିଲା ଏବଂ ସାଉଦି ଆରବ ଓ ଇରାକରୁ ଅଧିକ ତେଲ ସଂଗ୍ରହ କରିଥିଲା । ତଥ୍ୟ ଅନୁସାରେ, ଫେବ୍ରୁଆରୀରେ ରୁଷରୁ ତୈଳ ଆମଦାନି ହ୍ରାସ ପାଇ ଦୈନିକ ୧୦.୬ ଲକ୍ଷ ବ୍ୟାରେଲ୍କୁ ଖସିଆସିଥିଲା, ଯାହା ୨୦୨୪ ମଧ୍ୟଭାଗରେ ଦୈନିକ ୨୦ ଲକ୍ଷ ବ୍ୟାରେଲରୁ ଅଧିକ ଥିଲା । ଏବେ ମଧ୍ୟପ୍ରାଚ୍ୟରେ ସଂକଟ କାରଣରୁ ପୁଣି ଭାରତ ରୁଷ ଆଡ଼କୁ ମୁହଁ ବୁଲାଇଛି, ଯଦ୍ଦ୍ୱାରା ଦେଶରେ ଶକ୍ତି ସଂକଟକୁ ନିୟନ୍ତ୍ରଣ କରାଯାଇପାରିବ ।

୭୦% ଅଶୋଧିତ ତୈଳ ବିକଳ୍ପ ମାର୍ଗ ଦେଇ ଆସିବ ଇରାନ ହମୁର୍ଜ ଜଳମାର୍ଗ ବନ୍ଦ କରିଦେଇଛି, ଯେଉଁ ପଥ ଦେଇ ବିଶ୍ୱର ୨୦% ତୈଳ ଯୋଗାଣ ହୋଇଥାଏ। ସେହିଭଳି ଭାରତ ଏହାର ଆବଶ୍ୟକତାର ୫୦% ଅଶୋଧିତ ତୈଳ ଏବଂ ୫୪% ଏଲ୍ଏନ୍ଜି ଏହି ରାସ୍ତାରେ ମଗାଇଥାଏ । କିନ୍ତୁ ବର୍ତ୍ତମାନ ସ୍ଥିତିକୁ ଦେଖି ଭାରତ ରଣନୀତି ବଦଳାଇଛି ଏବଂ ହୋର୍ମୁଜ ଉପରେ ନିର୍ଭରତା କମ୍ କରିଦେଇଛି ।

ହୋର୍ମୁଜ ପରିସରରେ ଆସୁ ନ ଥିବା ବାଟଗୁଡିକରେ ଅଶୋଧିତ ତୈଳ ଆମଦାନିକୁ ୧୦% ବଢ଼ାଇଛି ଭାରତ। ପୂର୍ବରୁ ଭାରତ ଏହାର ଆବଶ୍ୟକତାର ୬୦% ଅଶୋଧିତ ତୈଳ ଅନ୍ୟ ବାଟ ଦେଇ ଆଣୁଥିଲା, ଯାହାକୁ ଏବେ ୭୦% କରିଦେଇଛି । ଫଳରେ ମଧ୍ୟପ୍ରାଚ୍ୟ ଅସ୍ଥିରତାର ପ୍ରଭାବ ଭାରତର ଯୋଗାଣ ଶୃଙ୍ଖଳ ଉପରେ କମ୍ ରହିବ।

also- ତୈଳ ସଙ୍କଟ ବେଳେ କାହା ପାଖରେ କେତେ ଷ୍ଟକ୍? ଚୀନ୍, ଆମେରିକା ନା ଜାପାନ

ପ୍ରକାଶଯୋଗ୍ୟ, ଭାରତ ଏହାର ଆବଶ୍ୟକତାର ପାଖାପାଖି ୮୫%ରୁ ୯୦% ଅଶୋଧିତ ତୈଳ ୪୦ରୁ ଊଦ୍ଧ୍ୱର୍ ଦେଶରୁ ମଗାଇଥାଏ । ମଧ୍ୟପ୍ରାଚ୍ୟରେ ଚାଲିଥିବା ଅସ୍ଥିରତା ସତ୍ତେ୍ୱ ଭାରତ ଏହାର ଶକ୍ତି ସୁରକ୍ଷାକୁ ମଜଭୁତ କରିଛି । ସରକାରୀ ଅଧିକାରୀମାନଙ୍କ କହିବାନୁସାରେ, ତୈଳ ଭଣ୍ଡାର ଷ୍ଟକ୍ ବୃଦ୍ଧି ପାଇଛି । ସୂତ୍ର ଅନୁସାରେ ଭାରତର ଶକ୍ତି ଷ୍ଟକ୍ ମଜଭୁତ ରହିଛି । ପରିସ୍ଥିତି ସୁଧୁରିବା ସହ ଭାରତର ଆତ୍ମବିଶ୍ୱାସ ବଢୁଛି । ଭାରତୀୟ ତୈଳ ଭଣ୍ଡାରଗୁଡିକରେ ୫୦ ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ତୈଳ ମହଜୁଦ ରହିଛି ।

ସେପଟେ ହର୍ମୁଜ ଜଳପଥ ଦେଇ ୨ଟି ଭାରତୀୟ ଜାହାଜ ଆସିଛି। ଇରାନ୍ ଅନୁମତି ଦେବା ପରେ ହର୍ମୁଜ୍ ଦେଇ ୨ଟି ଜାହାଜ ଆସିଛି। ୨ଟି ଭାରତୀୟ ଜାହାଜର ନାମ ପୁଷ୍ପକ, ପରିମଳ। ଇରାନ୍ ପ୍ରତିପକ୍ଷଙ୍କ ସହ ଜୟଶଙ୍କରଙ୍କ ଆଲୋଚନା ପରେ ଅନୁମତି ମିଳିଛି। କିନ୍ତୁ ଆମେରିକା, ଇସ୍ରାଏଲ୍, ୟୁରୋପ ପାଇଁ କଟକଣା ବଳବତ୍ତର ରହିଛି।