LIVE TV

ASIର ନୂଆ ନିର୍ଦ୍ଦେଶାନାମା, ଏଣିକି ସୂର୍ଯ୍ୟମନ୍ଦିରର ନାଟମଣ୍ଡପ ଉପରେ ଆଉ ଚଢିପାରିବେନି ପର୍ଯ୍ୟଟକ

NEWS7
it-will-be-reveal-at-24th-october-that-who-won-bijepur-election

କୋଣାର୍କ ୦୮।୧୧ : ଏଏସ୍‌ଆଇ କଟକଣା । ଏଣିକି ଆଉ କେହି ନାଟ ମଣ୍ଡପରେ ଚଢିପାରିବେନି । ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରକୁ ସୁରକ୍ଷିତ ରଖିବା ଏବଂ ଘଟୁଥିବା ଅଘଟଣକୁ ଏଡ଼ାଇବା ପାଇଁ ଏପରି ନିର୍ଦ୍ଦେଶନାମା ଜାରି କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ASI) ।  

ଖବର ଅନୁଯାୟୀ, ସୂର୍ଯ୍ୟମନ୍ଦିରକୁ ପରିଦର୍ଶନରେ ଆସୁଥିବା ଦେଶବିଦେଶ ପର୍ଯ୍ୟଟକଙ୍କୁ ଗାଇଡମାନେ ପ୍ରଥମେ ନାଟମଣ୍ଡପକୁ ଦେଖାଇଥାନ୍ତି। ସୂର୍ଯ୍ୟଙ୍କ ଉଦୟ ସମୟର ପ୍ରଥମ କିରଣ ମୁଖ୍ୟ ମନ୍ଦିରରେ ଥିବା ଅଷ୍ଟଧାତୁ ସୂର୍ଯ୍ୟମୂର୍ତ୍ତି ଉପରେ ପଡ଼ିଥାଏ ବୋଲି କହିଥାନ୍ତି । ପର୍ଯ୍ୟଟକମାନେ ମଧ୍ୟ ଏହି ନାଟମଣ୍ଡପ ଉପରେ ସେଲ୍‌ଫି ନେବା ସହ ଫଟୋ ଉତ୍ତୋଳନ କରିଥାନ୍ତି। ବିଭିନ୍ନ କୀର୍ତ୍ତିରାଜିକୁ ସ୍ପର୍ଶ କରି ସୂକ୍ଷ୍ମ କାରୁକାର୍ଯ୍ୟକୁ ଅନୁଭବ କରିଥାନ୍ତି। କିନ୍ତୁ ବିଭିନ୍ନ ସମୟରେ ପର୍ଯ୍ୟଟକମାନେ ନିଜର ଅସାବଧାନତାରୁ ପଡି ଆହତ ହୋଇଥାନ୍ତି । ସୁରକ୍ଷାବାଡ଼ ନଥିବାରୁ ଏପରି ବାରମ୍ବାର ଘଟିଚାଲିଛି । ଏଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି ଶୁକ୍ରବାର ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ନାଟମଣ୍ଡପ ଚଢ଼ିବା ଉପରେ କଟକଣା ଜାରି କରାଯାଇଛି। ପର୍ଯ୍ୟଟକମାନେ ତଳେ ରହି ନାଟମଣ୍ଡପର ଚତୁଃପାର୍ଶ୍ବ ବୁଲି ଦେଖିପାରିବେ ବୋଲି ଏଏସଆଇର ପୁରୀ ସର୍କଲ୍ ଅଧୀକ୍ଷକ ଡିବି ଗଡ଼ନାୟକ ସୂଚନା ଦେଇଛନ୍ତି।