ହଜାର ଫୁଟ୍‌ ଉଚ୍ଚତାରେ ଆମେରିକୀୟ ମହିଳାଙ୍କ ଜୀବନ ବଞ୍ଚାଇଲେ ପୂର୍ବତନ ବିଧାୟିକା, ’ X’ରେ ପ୍ରଶଂସା କଲେ CM ସିଦ୍ଦରମୈୟା

NEWS7
is-declares-abu-ibrahim-as-replacement-of-bagdadi

ବେଙ୍ଗାଲୁରୁ ୧୫।୧୨: ଇଣ୍ଡିଗୋର ଏକ ବିମାନ ଗୋଆରୁ ନୂଆଦିଲ୍ଲୀ ଯାଉଥିଲା ବେଳେ ସେଥିରେ ଜଣେ ଆମେରିକୀୟ ମହିଳା ଅଚେତ ହୋଇପଡ଼ିଥିଲେ । ଏହି ସମୟରେ କର୍ଣ୍ଣାଟକର ପୂର୍ବତନ ବିଧାୟିକା ତଥା ପେସାରେ ଡାକ୍ତର ଅଞ୍ଜଳି ନିମ୍ବାଲକର ବିମାନରେ ଯାତ୍ରା କରୁଥିଲେ। ଅଞ୍ଜଳି ତୁରନ୍ତ ଜଣେ ଅଚେତ ମହିଳା ଜଣକୁ ସିପିଆର୍ ଦେଇଥିଲେ । ଫଳରେ ତାଙ୍କ ଜୀବନ ବଞ୍ଚିଯାଇଥିଲା । ଏହି ଘଟଣା ଘଟିବା ବେଳେ ବିମାନଟି ପ୍ରାୟ ୩୦ ହଜାର ଫୁଟ ଉପରେ ଉଡ଼ୁଥିଲା ।

କଂଗ୍ରେସ ନେତ୍ରୀ ଡା. ଅଞ୍ଜଳି ନୂଆଦିଲ୍ଲୀର ରାମଲୀଳା ମୈଦାନରେ କଂଗ୍ରେସର ଭୋଟ ଚୋରି ରାଲିରେ ଯୋଗଦେବାକୁ ଗୋଆରୁ ଆସୁଥିଲେ। ସେପଟେ କାଲିଫର୍ଣ୍ଣିଆରେ ରହୁଥିବା ୩୪ ବର୍ଷୀୟା ଜେନୀ ନାମ୍ନୀ ମହିଳା ଏକ ବିବାହ ଉତ୍ସବରେ ସାମିଲ ହେବାକୁ ନିଜ ଭଉଣୀଙ୍କ ସହ ଦିଲ୍ଲୀ ଆସୁଥିଲେ । ଶନିବାର ଅପରାହ୍ନ ପ୍ରାୟ ୧ଟା ୩୦ରେ ବିମାନଟି ଉଡ଼ାଣ ଭରିବାର ୧୦ ମିନିଟ୍ ପରେ ଜେନୀ ଥରିବାକୁ ଲାଗିଥିଲେ ଓ ଚେତା ହରାଇଥିଲେ । ଏହାପରେ କ୍ରୁ ସଦସ୍ୟଙ୍କ ତରଫରୁ ମେଡିକାଲ ସହାୟତା ଘୋଷଣା ପୂର୍ବରୁ ଡା. ଅଞ୍ଜଳି ପହଞ୍ଚି ଯାଇ ସ୍ଥିତି ସମ୍ଭାଳିଥିଲେ । ସିପିଆର୍ ଦିଆଯିବା ପରେ ଜେନୀଙ୍କ ଚେତା ଫେରିଥିଲା ।

ଏହାପରେ ଜେନୀ ଭୟଭୀତ ହୋଇ ଅଞ୍ଜଳିଙ୍କ ହାତ ଧରି ପକାଇ ତାଙ୍କୁ ଛାଡ଼ି ନ ଯିବାକୁ ଅନୁରୋଧ କରିଥିଲେ । ଡା. ଅଞ୍ଜଳି ତମାମ ବିମାନ ଯାତ୍ରାରେ ଜେନୀଙ୍କ ପାଖରେ ବସିରହିଥିଲେ । ପାଇଲଟଙ୍କ ସୂଚନା କ୍ରମେ ବିମାନକୁ ଆଗୁଆ ଅବତରଣ ସୁବିଧା ମିଳିଥିଲା । ଅବତରଣ ପରେ ଜେନୀଙ୍କୁ ହସ୍ପିଟାଲ ନିଆଯାଇଥିଲା । ସମସ୍ତେ ଡା. ଅଞ୍ଜଳିଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ‘ଏକ୍ସ’ ଜରିଆରେ ତାଙ୍କୁ ପ୍ରଶଂସା କରିଛନ୍ତି