LIVE TV

ପାକିସ୍ତାନୀ ସ୍ପାଏ ଦିଲ୍ଲୀରେ ଗିରଫ ,ଭାଇ ସହ ମିଶି ଗୁପ୍ତଚର ତଥ୍ୟ ପଠାଉ ଥିବା ସନ୍ଦେହ

NEWS7
irctc-refund-e-ticket-money

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ଜଣେ ପାକିସ୍ତାନୀ ଗୁପ୍ତଚରକୁ ଗିରଫ କରି ବଡ଼ ଗୁପ୍ତଚର ନେଟୱର୍କର ପର୍ଦ୍ଦାଫାଶ୍ କରିଛି। ଗୁପ୍ତଚର ନାଁ ଆଦିଲ ଥିବା ଜଣା ପଡ଼ିଛି, ଯିଏ ଫେକ୍‌ ପାସପୋର୍ଟ ରାକେଟ୍‌ ସହ ଜଡ଼ିତ ଥିଲା। ତାକୁ ଦିଲ୍ଲୀରୁ ଗିରଫ କରାଯାଇ ଥିଲା। ସେ ଗତ କିଛି ବର୍ଷରୁ ଦିଲ୍ଲୀରେ ରହୁଥିଲା।

ସାମ୍ନାକୁ ଆସିଥିବା ସୂଚନା ମୁତାବିକ , ତା ପାଖରୁ ପୁଲିସ ଫେକ୍ ପାସପୋର୍ଟ ମଧ୍ୟ ଜବତ କରିଛି। ସୂଚନା ମୁତାବିକ , ପାକିସ୍ତାନ ଓ ଅନ୍ୟ କିଛି ଦେଶର ଯାତ୍ରା ମଧ୍ୟ କରି ସାରିଛି। ରିପୋର୍ଟ ଅନୁସାରେ, ତାର କିଛି ବିଦେଶ ନ୍ୟୁକ୍ଲିୟର ଏଜେନ୍ସି ସହ ମଧ୍ୟ ଲିଙ୍କ୍‌ ଥିବା ଖବର ମିଳିଛି।

ପଚରାପଚରି ବେଳେ ଜଣାପଡ଼ିଛି ଯେ, ଅଭିଯୁକ୍ତ ମହମ୍ମଦ ଆଦିଲ ହୁସୈନୀ ଓରଫ ସୈୟଦ ଆଦିଲ ହୁସୈନ ଓରଫ ନସିମୁଦ୍ଦିନ ଉପରେ ନିଜ ଭାଇ ଅଖତର ହୁସୈନୀ ସହ ମିଶି ବିଦେଶୀକୁ ସମ୍ୱେଦନଶୀଳ ସୂଚନା ଉପଲବ୍ଧ କରିବା ଓ ଜାଲ୍‌ କାଗଜପତ୍ରର ବ୍ୟବହାର କରି ଅନେକ ଭାରତୀୟ ପାସପୋର୍ଟ ହାସଲ କରିବାରେ ସାମିଲ ହେବାର ସନ୍ଦେହ ଅଛି।

ଏହାର କବଜାରୁ ଏକ ମୂଳ ପାସପୋର୍ଟ ଓ ଦୁଇଟି ଜାଲି ପାସପୋର୍ଟ କପି ଜବତ କରାଯାଇଛି। ଅଭିଯୁକ୍ତକୁ ଡ୍ୟୁଟି ଜେଏମଏଫସି ସାହିଲ ମୋଙ୍ଗାଙ୍କ ସମ୍ମୁଖରେ ହାଜର କରାଯାଇଛି ଏବଂ ୭ ଦିନର ପୁଲିସ ହେପାଜତ (ପିସି) ପ୍ରାପ୍ତ କରାଯାଇଛି।

ଏହି ଗିରଫଦାରୀ ଏମିତି ସମୟରେ ହୋଇଛି ଯେତେବେଳେ ପୁଲିସ କିଛି ଦିନ ପୂର୍ବେ ଆଇଏସଆଇଏସ୍ ସହ ଜଡ଼ିତ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରିଥିଲା। ଦିଲ୍ଲୀ ପୁଲିସ ସ୍ପେଶାଲ ସେଲ୍‌ ଦ୍ୱାରା ଦିଲ୍ଲୀରେ ଗିରଫ କରାଯାଇ ଥିବା ଆଇଏସଆଇଏସର ସନ୍ଦିଗ୍ଧ ଆତଙ୍କୀ  ଅଦନାନ ଖାନ ଓରଫ ଅବୁ ମହମ୍ମଦ ଓ ଅଦନାନ ଖାନଙ୍କ ଠାରୁ ୟୁପି ଏଟିଏସ ପଚରାପଚରିରେ ଲାଗିପଡ଼ିଛି। ଅଦନାନା ୟୁପିର ବାରାଣସୀରେ ଜ୍ଞାନବ୍ୟାପୀ ମସଜିଦ୍‌ ମାମଲାର ଶୁଣାଣି କରୁଥିବା ବିଚାରପତିଙ୍କୁ ଧମକ ଦେବାର ଅଭିଯୋଗ ଥିଲା। ଯାହାର ଅଭିଯୋଗରେ ସେ ଜେଲ୍‌ ବି ଯାଇଥିଲା। ସେପ୍ଟେମ୍ୱର ୨୦୨୪ରୁ ସେ ଜାମିନରେ ଯାଇଥିଲା।