ରାହୁଲ ଗାନ୍ଧିଙ୍କ ଜର୍ମାନ ଯାତ୍ରାକୁ ଟାର୍ଗେଟ୍ କଲା ବିଜେପି, କହିଲା- ଦେଶ ବିରୋଧରେ କରୁଛନ୍ତି ଷଡ଼ଯନ୍ତ୍ର

NEWS7
ipl-2021-mi-vs-rcb-match-harshal-patel-creates-history-takes-hattrick

ନୂଆଦିଲ୍ଲୀ ୨୦।୧୨: ରାହୁଲ ଗାନ୍ଧିଙ୍କ ଜର୍ମାନ ଗସ୍ତକୁ ନେଇ ବିଜେପି ଜୋରଦାର ଆକ୍ରମଣ କରିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଉପରେ ଦେଶ ବିରୋଧରେ ଷଡ଼ଯନ୍ତ୍ର ରଚିବାର ଅଭିଯୋଗ ଆଣିଛି ଶାସକ ଦଳ। ବିଜେପି କହିଛି ଯେ ରାହୁଲ ଗାନ୍ଧି ଜର୍ମାନ ଗସ୍ତ କାଳରେ ଭାରତର ଶତ୍ରୁଙ୍କୁ ଭେଟିଛନ୍ତି, ଏହା ସହିତ ଏପରି ତତ୍ୱଙ୍କ ସହ ହାତ ମିଳାଇ ସେ ଦେଶ ବିରୋଧରେ କେଉଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବିଜେପି ରାହୁଲ ଗାନ୍ଧିଙ୍କୁ ପ୍ରଶ୍ନ କରିଛି।

ବିଜେପି ଜାତୀୟ ମୁଖପାତ୍ର ଗୌରବ ଭାଟିଆ ଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ରାହୁଲ ଗାନ୍ଧି ଜର୍ମାନ ଯାତ୍ରାରେ ବର୍ଲିନରେ ହର୍ଟି ସ୍କୁଲ ପ୍ରେସିଡେଣ୍ଟ ଏବଂ ପ୍ରଫେସର କର୍ଣ୍ଣେଲିୟା ଭୋଲଙ୍କୁ ଭେଟିଛନ୍ତି। ଗୌରବ ଭାଟିଆ ଏ ନେଇ ରାହୁଲ ଗାନ୍ଧିଙ୍କ ଏକ ଫଟୋ ମଧ୍ୟ ଦେଖାଇଛନ୍ତି। ସେ କହିଛନ୍ତି କଂଗ୍ରେସ ନେତା ଜର୍ମାନରେ ଭାରତ ବିରୋଧୀ ତତ୍ୱଙ୍କୁ ଭେଟିଥିବାର ଏହା ହେଉଛି ପ୍ରମାଣ। ଭାଟିଆ କହିଛନ୍ତି ଯେ ଭୋଲ ସେଣ୍ଟ୍ରାଲ ୟୁରୋପିୟନ ୟୁନିଭର୍ସିଟିର ଟ୍ରଷ୍ଟିଙ୍କ ମଧ୍ୟରୁ ଅନ୍ୟତମ, ଯିଏ ଆମେରିକୀୟ ନିବେଶକ ଜର୍ଜ ସୋରସଙ୍କ ଓପନ ସୋସାଇଟି ଫାଉଣ୍ଡେସନ ଦ୍ୱାରା ଆର୍ଥିକ ଲାଭ ନେଉଛନ୍ତି।

ଭାଟିଆ କହିଛନ୍ତି ଯଦି କେହି ଭାରତ ବିରୋଧୀ ଶକ୍ତିଙ୍କ ସହ ମିସନ୍ତି ଓ ବିଦେଶମାଟିରେ ଭାରତର ଅପମାନ କରନ୍ତି, ତେବେ ସେ ରାହୁଲ ଗାନ୍ଧିଙ୍କ ବ୍ୟତୀତ ଅନ୍ୟ କେହି ନୁହଁ। ଜର୍ଜ ସୋରସ ଓ ରାହୁଲ ଗାନ୍ଧି ଦୁଇଟି ଶରୀର ଓ ଗୋଟିଏ ଆତ୍ମା। ଏହି ଅବସରରେ ବିଜେପି ମୁଖପାତ୍ର ରାହୁଲ ଗାନ୍ଧି ସଂସଦର ସବୁ ଅଧିବେଶନ ପୂର୍ବରୁ ନଚେତ ପରେ ବିଦେଶ କାହିଁକି ଯାଆନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏହି ଗସ୍ତ କାଳରେ ସେ ବିଦେଶରେ ଭାରତ ବିରୋଧୀଙ୍କୁ ଭେଟନ୍ତି ଯେଉଁମାନେ ଭାରତ ପ୍ରତି ଜଳନ୍ତି ଓ ଭାରତର ଅଖଣ୍ଡତା ଉପରେ ପ୍ରହାର କରନ୍ତି। ଏହା ରାହୁଲଙ୍କ କି ପ୍ରକାରର ବିଦେଶ ନୀତି ବୋଲି ଭାଟିଆ ପ୍ରଶ୍ନ କରିଛନ୍ତି।

ଭାଟିଆ କହିଛନ୍ତି ଯେ ଦେଶ ବିରୋଧୀ ତତ୍ୱଙ୍କସହ ବିଦେଶରେ ରାହୁଲ ଦେଶ ବିରୋଧୀ ଗତିବିଦ୍ଧିରେ ଜଡିତ ରହିବା ପ୍ରଥମ ଥର ନୁହେଁ। ସେ ତାଙ୍କର ପିଛିଲା ବିଦେଶ ଗସ୍ତ କାଳରେ ମଧ୍ୟ ଦେଶ ବିରୋଧୀ ତତ୍ୱଙ୍କୁ ଭେଟିଥିଲେ ଓ ଦେଶକୁ ନିଚା ଦେଖାଇବା ଭଳି ବୟାନବାଜୀ କରିଥିଲେ। ଭାଟିଆ ଅଭିଯୋଗ କରିଛନ୍ତି ଯେ ସୋରସ ଭାରତ ବିରୋଧୀ ବୟାନ ଦେଇଥାନ୍ତି ଓ ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ, ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ଉପରେ ଆକ୍ରମଣ କରିବାକୁ ପାଣ୍ଠି ମଧ୍ୟ ଦିଅନ୍ତି। ଜର୍ଜ ସୋରସ ଭାରତୀୟ ନୁହନ୍ତି, ସେ ଜଣେ ବିଦେଶୀ। ହେଲେ ବି ରାହୁଲ ଗାନ୍ଧି ତାଙ୍କ ସହ ନିକଟତା ବଢାଉଛନ୍ତି।