ସଲମାନ ଖାନଙ୍କୁ ହାଇକୋର୍ଟଙ୍କୁ ନୋଟିସ, ବ୍ୟକ୍ତିତ୍ୱ ଅଧିକାରକୁ ଚୀନ୍‌ କମ୍ପାନୀର ଚାଲେଞ୍ଜ

NEWS7
ipl-2020-full-schedule-know-the-inaugural-day-match

ମୁମ୍ୱାଇ ୨୩।୦୧: ଦବଙ୍ଗ ସଲମାନ ଖାନଙ୍କୁ ନୋଟିସ୍ ଜାରି କରିଛି ଦିଲ୍ଲୀ ହାଇକୋର୍ଟ । ଚୀନର ଏକ ଏଆଇ ଆଧାରିତ ଭଏସ-ଜେନେରେସନ୍ କମ୍ପାନି ଦ୍ୱାରା ଆବେଦନ ଦାଖଲ ପରେ ତାଙ୍କୁ ଏହି ନୋଟିସ୍ ପଠାଯାଇଛି । ଏଥିରେ ସଲମାନଙ୍କ ବ୍ୟକ୍ତିତ୍ୱ ଓ ପ୍ରଚାର ଅଧିକାରକୁ ସୁରକ୍ଷା ପ୍ରଦାନ କରୁଥିବା କୋର୍ଟର ଅନ୍ତରୀଣ ଆଦେଶକୁ କମ୍ପାନି ଚାଲେଞ୍ଜ୍ ଦେଇଛି ।

ଦିଲ୍ଲୀ ହାଇକୋର୍ଟ ଡିସେମ୍ବର ୧୧, ୨୦୨୫ରେ ସଲମାନଙ୍କ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ଲାଗି ଅନ୍ତରୀଣ ଆଦେଶ ପାରିତ କରିଥିଲେ । ଏଥିରେ ସଲମାନଙ୍କ ଅନୁମତି ବିନା ତାଙ୍କ ନାଁ, ଫଟୋ, ସ୍ୱର, ମୁହଁ ଓ ତାଙ୍କ ସାର୍ବଜନୀନ ପରିଚୟ ସହ ଜଡ଼ିତ ଅନ୍ୟ ବସ୍ତୁର ଉପଯୋଗ ଉପରେ କୋର୍ଟ ରୋକ ଲଗାଇଥିଲେ । ଉଭୟ ଡିଜିଟାଲ ଓ କମର୍ସିଆଲ ପ୍ଲାଟ୍ଫର୍ମ କ୍ଷେତ୍ରରେ ଏହା ଲାଗୁ କରାଯାଇଥିଲା । ସଲମାନ ଏ ନେଇ କୋର୍ଟରେ ଅଭିଯୋଗ କରିଥିଲେ, ତାଙ୍କ ଅନୁମତି ବିନା ଏଆଇ ଦ୍ୱାରା ପ୍ରସ୍ତୁତ ସ୍ୱର, ଡିପ୍ଫେକ୍ ଭିଡିଓ, ନକଲି ବିଜ୍ଞାପନ ଏବଂ ବିକ୍ରି ହେଉଥିବା ସାମଗ୍ରୀ ଜରିଆରେ ତାଙ୍କ ପରିଚୟର ଅପବ୍ୟବହାର ହେଉଛି । ଏହା ପରେ ହାଇକୋର୍ଟ ତାଙ୍କର ବ୍ୟକ୍ତିତ୍ୱ ଅଧିକାର ସୁରକ୍ଷା ଆଦେଶ ଦେଇଥିଲେ ।

ତାଙ୍କ ବିରୋଧରେ ଆବେଦନ କରିଥିବା ଚୀନ୍ର କମ୍ପାନି କହିଛି, ଏହି ଅନ୍ତରୀଣ ଆଦେଶ ତା’ର ବ୍ୟବସାୟିକ ଗତିବିଧିକୁ ପ୍ରଭାବିତ କରିବ । କାରଣ କମ୍ପାନିର କାମ ଏଆଇ ଜରିଆରେ ଭଏସ୍ ମଡେଲ ପ୍ରସ୍ତୁତ କରିବା । ଏହି ଆବେଦନ ପରେ କୋର୍ଟ ସଲମାନଙ୍କୁ ନୋଟିସ୍ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି । ଆସନ୍ତା ୨୭ ଫେବ୍ରୁଆରୀରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସଲମାନଙ୍କ ପୂର୍ବରୁ ଅମିତାଭ ବଚ୍ଚନ, ଅନିଲ କପୁର, ଜ୍ୟାକି ଶ୍ରଫ୍, ଐଶ୍ୱର୍ଯ୍ୟା ରାୟ, ଅଭିଷେକ ବଚ୍ଚନ, କରନ ଜୋହରଙ୍କ ଭଳି ସେଲିବ୍ରିଟି ବ୍ୟକ୍ତିତ୍ୱ ଅଧିକାର ସୁରକ୍ଷା ହାସଲ କରିଛନ୍ତି । ଏହା ଅନ୍ତର୍ଗତ କୌଣସି ବ୍ୟକ୍ତି ଏମାନଙ୍କ ଫଟୋ, ସ୍ୱର କିମ୍ବା ପରିଚୟ ସହ ସଂଶ୍ଳିଷ୍ଟ କୌଣସି ବସ୍ତୁ ସେମାନଙ୍କ ଅନୁମତି ବିନା ଉପଯୋଗ କରିପାରିବେ ନାହିଁ ।