ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ପେଟରେ ରହିଗଲା କଇଁଚି, ୪ ବର୍ଷ ପରେ ଜଣାପଡ଼ିଲା

NEWS7
investigation-continues-death-case-of-5-member-of-a-family-in-koida

ଥିରୁଅନନ୍ତପୁରମ୍: କେରଳର ଏକ ମେଡିକାଲ୍ କଲେଜରେ ଅସ୍ତ୍ରୋପଚାର ସମୟରେ ଜଣେ ମହିଳାଙ୍କ ପେଟରେ କଇଁଚି ଛାଡି ଦିଆଯିବା ଘଟଣା ରାଜନୈତିକ ବିବାଦ ସୃଷ୍ଟି କରିଛି। ମେ ୨୦୨୧ରେ, ପୁନ୍ନାପ୍ରାର ବାସିନ୍ଦା ଉଷା ଯୋସେଫ (୫୧) ଗର୍ଭାଶୟ ଟ୍ୟୁମର ଅପରେସନ ପାଇଁ ଆଲାପୁଝା ମେଡିକାଲ୍ କଲେଜରେ ଭର୍ତ୍ତି ହୋଇଥିଲେ ।

ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟରେ ଲଗାତାର ଯନ୍ତ୍ରଣା ହେଉଥିଲା । କିନ୍ତୁ ଚାରି ବର୍ଷ ପରେ ଏକ ପରୀକ୍ଷାରୁ ଜଣାପଡିଲା ଯେ, ତାଙ୍କ ପେଟ ଭିତରେ ସର୍ଜିକାଲ ଫୋରସେପ୍ସ ରହିଛି। ବିରୋଧୀ ଦଳଗୁଡ଼ିକ ଏବେ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କ ବିରୁଦ୍ଧରେ ଏକ ଅଭିଯାନ ଆରମ୍ଭ କରିଛନ୍ତି।

ଏହି ଘଟଣାକୁ ବିରୋଧ କରି ଶନିବାର କଂଗ୍ରେସ ଏବଂ ଯୁବ କଂଗ୍ରେସ କର୍ମୀମାନେ ରାଜ୍ୟବ୍ୟାପୀ ପ୍ରତିବାଦ କରିଥିଲେ । ପ୍ରତିବାଦ ଏତେ ହିଂସାତ୍ମକ ଥିଲା ଯେ, ପ୍ରଦର୍ଶନକାରୀମାନେ ଥିରୁଅନନ୍ତପୁରମରେ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜଙ୍କ ସରକାରୀ ବାସଭବନ ପରିସରରେ ପ୍ରବେଶ କରିଥିଲେ।

କର୍ମୀମାନେ ମନ୍ତ୍ରୀଙ୍କ ଘରର ଦ୍ୱାରରେ ଫୁଲମାଳ ଟାଙ୍ଗି ତାଙ୍କ ଇସ୍ତଫା ଦାବି କରିଥିଲେ। ବୀଣା ଜର୍ଜ କହିଛନ୍ତି ଯେ ବିରୋଧୀ ଦଳ ନେତା ଭିଡି ଶତିସନଙ୍କ ନିର୍ଦ୍ଦେଶରେ ଏହି ପ୍ରତିବାଦ କରାଯାଉଛି ଏବଂ ଏହା ତାଙ୍କ ଉପରେ ଆକ୍ରମଣ କରିବାର ଏକ ଷଡ଼ଯନ୍ତ୍ର।

ଭିଡି ଶତିସନ୍ ଏହି ଅଭିଯୋଗଗୁଡ଼ିକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି ଯେ, ସରକାର ନିଜର ବିଫଳତା ଏବଂ ଚିକିତ୍ସା ଅବହେଳାକୁ ଲୁଚାଇବା ପାଇଁ ଏକ ଷଡ଼ଯନ୍ତ୍ର ରଚନା କରୁଛନ୍ତି। ସେପଟେ ଶନିବାର କୋଚିର ଏକ ଘରୋଇ ହସ୍ପିଟାଲରେ ଉଷା ଯୋଶେଫଙ୍କର ଆଉ ଏକ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ତାଙ୍କ ପେଟରୁ ସୁରକ୍ଷିତ ଭାବରେ ଫୋରସେପ୍ସ ବାହାର କରାଯାଇଛି । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।