ମାର୍ଚ୍ଚ-ମେ ପାଣିପାଗ ପୂର୍ବାନୁମାନ ଜାରି କଲେ IMD, ଅଧିକାଂଶ କ୍ଷେତ୍ରରେ ସ୍ୱଭାବିକରୁ ଅଧିକ ରହିବ ତାପମାତ୍ରା

NEWS7
insta-users-be-careful-this-social-site-data-is-breached

ନୂଆଦିଲ୍ଲୀ ୧।୩: ଚଳିତବର୍ଷ ଖୁବ୍ ଶୀଘ୍ର ଦେଶକୁ ଗ୍ରୀଷ୍ମର ଆଗମନ ହେବ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ମାର୍ଚ୍ଚ-ମେ ପାଣିପାଗ ପୂର୍ବାନୁମାନ ଜାରି କରିଛନ୍ତି। ବିଭାଗ ଅନୁସାରେ ଏହି ଅବଧିରେ ଅଧିକାଂଶ କ୍ଷେତ୍ରରେ ତାପମାତ୍ରା ସ୍ୱଭାବିକରୁ ଅଧିକ ରହିବ। କେତେକ ସ୍ଥାନରେ ହିଟ-ୱେଭ ଦିନସଂଖ୍ୟା ମଧ୍ୟ ବଢିପାରେ। ଏଥିରେ ଚାଷୀ ଓ ସାଧାରଣ ଲୋକଙ୍କ ସମସ୍ୟା ଜଟିଳ ହେବ। ତେବେ ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତର କେତେକ କ୍ଷେତ୍ରରେ ତାପମାତ୍ରା ସ୍ବଭାବିକରୁ ସାମାନ୍ୟ କମ୍ ମଧ୍ୟ ରହିପାରେ।

ଅଧିକାଂଶ ସ୍ଥାନର ରାତି ତାପମାତ୍ରାରେ ମଧ୍ୟ ବୃଦ୍ଧି ହୋଇପାରେ। ଏଣୁ ଦିନରେ ଲୋକେ ଗରମରେ ସନ୍ତୁଳି ହୋଇ ରାତିରେ ବି ତ୍ରାହି ପାଇବେନି। ହେଲେ ଦକ୍ଷିଣ ଭାରତର କିଛି ଅଞ୍ଚଳ ଓ ଅନ୍ୟ ସ୍ଥାନରେ ରାତିର ତାପମାତ୍ରା ସ୍ୱଭାବିକ ଅଥବା ତା ଠାରୁ କମ ରହିପାରେ। ଦିନ ଓ ରାତି ଉଭୟ ଗରମ ରହିବା ଯୋଗୁ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ। ବିଶେଷ କରି ବୟଷ୍କ ଓ ପିଲାଙ୍କ ସମେତ ରୋଗ ଗ୍ରସ୍ତ ଲୋକେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। ଆଇଏମଡି ଚଳିତବର୍ଷ ହିଟ୍ ୱେଭ ଦିନ ସଂଖ୍ୟା ବଢିପାରେ ବୋଲି ମଧ୍ୟ ଚେତାଇ ଦେଇଛନ୍ତି। ଏହି ସମୟରେ ପୂର୍ବ ଓ ମଧ୍ୟ-ପୂର୍ବ ଭାରତର କେତେକ ରାଜ୍ୟରେ ଲୁ (ଗରମ ପବନ) ବହିବାର ସମ୍ଭାବନା ରହିଛି।

ଏହା ଛଡା ଉତ୍ତର-ପଶ୍ଚିମ ଓ ପଶ୍ଚିମ-ମଧ୍ୟ ଭାରତର କେତେକ କ୍ଷେତ୍ରରେ ଲୁ ଦିନ ସଂଖ୍ୟା ବଢିପାରେ ବୋଲି ଆଇଏମଡି ସତର୍କ କରିଛନ୍ତି। ଯେତେବେଳେ ଦିନର ସ୍ୱଭାବିକ ତାପମାତ୍ରା ୪୦ ଡିଗ୍ରି ସେଲସିୟରୁ ଅଧିକ ହୋଇଯାଏ ସେତେବେଳେ ଗରମ ପବନ ବହିବା ଆରମ୍ଭ ହୁଏ ଓ ଏହାକୁ ଲୁ କୁହାଯାଏ ଯାହା ଲୋକଙ୍କ ଲାଗି ବିପଦଜନକ ହୋଇପାରେ। ଆଇଏମଡିଙ୍କ ଅନୁସାରେ ମାର୍ଚ୍ଚ ମାସରେ ଦେଶର କିଛି ଭାଗରେ ଦିନର ତାପମାତ୍ରା ସ୍ୱଭାବିକରୁ ମଧ୍ୟ କମ୍ ରହିପାରେ। ହେଲେ ପୂର୍ବୋତ୍ତର ଭାରତ, ପୂର୍ବ ଭାରତର ଆଖପାଖ ଅଞ୍ଚଳ, ପଶ୍ଚିମ ହିମାଳୟ କ୍ଷେତ୍ର ଓ ମଧ୍ୟ ଏବଂ ଦକ୍ଷିଣ ଭାରତର କିଛି ଭାଗ ତାପମାତ୍ରା ସ୍ୱଭାବିକରୁ ଅଧିକ ରହିବାର ସମ୍ଭାବନା ରହିଛି।

ମାର୍ଚ୍ଚ ମାସରେ ରାତିର ତାପମାତ୍ରା ମଧ୍ୟ ଅଧିକାଂଶ ସ୍ଥାନରେ ସ୍ୱଭାବିକରୁ ଅଧିକ ରହିପାରେ। ଉତ୍ତର-ପଶ୍ଚିମଭାରତ, ଦକ୍ଷିଣ ଭାରତ ଓ ପୂର୍ବ ଉପକୂଳ କ୍ଷେତ୍ରର କିଛି ଭାଗରେ ଏହା ସ୍ୱଭାବିକରୁ କମ ରହିପାରେ। ଦିନ ଓ ରାତି ଉଭୟ ସମୟରେ ତାପମାତ୍ରା ଅଧିକ ରହିବା ଯୋଗୁ ଫସଲ ଉପରେ ନକରାତ୍ମକ ପ୍ରଭାବ ପଡିପାରେ। ବିଶେଷ କରି ଗହମ, ପନିପରିବା ଓ ଅନ୍ୟ ରବି ଫସଲ ହାନୀର ଆଶଙ୍କା କରାଯାଉଛି। ଏଣୁ ଚାଷୀଙ୍କୁ ଜଳ ସେଚନ ଓ ଫସଲ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବାକୁ ସତର୍କ କରାଯାଇଛି।

Also Read..

ପହିଲାରୁ ରୁଲ୍ ଚେଞ୍ଜ: ଟ୍ରେନ୍ ଟିକେଟ୍, LPG, UPI ଠାରୁ ଆରମ୍ଭ କରି ସିମ୍ ପର୍ଯ୍ୟନ୍ତ...