ଦୀପୁ ଦାସ ହତ୍ୟାକାଣ୍ଡର ୧୦ ଦିନ ପରେ ପ୍ରତିକ୍ରିୟା ଦେଲା ଆମେରିକା; ଘଟଣାକୁ ନିନ୍ଦା, ୟୁନୁସଙ୍କୁ ପ୍ରଶଂସା

NEWS7
inova-car-also-used-in-kalpana-and-her-daughter-hatya-case-in-raygarh

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ନିର୍ମମ ହତ୍ୟା ମାମଲାରେ ଆମେରିକା ପ୍ରତିକ୍ରିୟା ପ୍ରକାଶ କରିଛି । ଦୀପୁ ଦାନ ହତ୍ୟାକାଣ୍ଡର ୧୦ ଦିନ ପରେ ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସାକୁ ନିନ୍ଦା କରିଛି ଆମେରିକାର ବୈଦେଶିକ ବିଭାଗ । ବାଂଲାଦେଶରେ ଜାରି ହିଂସା, ଭୟଙ୍କର ବୋଲି କହିଛି ଆମେରିକା । ଏହା ସହ ସାଂପ୍ରଦାୟିକ ହିଂସାକୁ ରୋକିବା ଲାଗି ବାଂଲାଦେଶ ସରକାରଙ୍କୁ ଆହ୍ବାନ ଦେଇଛି ଟ୍ରମ୍ପ ପ୍ରଶାସନ ।

ସମ୍ବାଦ ସରବରାହ ସଂସ୍ଥା IANS ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା ସମ୍ପର୍କରେ ଏକ ପ୍ରଶ୍ନ ପଚାରିଥିଲା। ଏହାର ଉତ୍ତରରେ, ଆମେରିକାର ଜଣେ ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି, ‘ଯୁକ୍ତରାଷ୍ଟ୍ର ଧର୍ମ, ଅଭିବ୍ୟକ୍ତିର ସ୍ୱାଧୀନତା, ଶାନ୍ତିପୂର୍ଣ୍ଣ ସମାବେଶ ଏବଂ ସଂଗଠନର ସ୍ୱାଧୀନତାକୁ ସମର୍ଥନ କରେ । ଆମେରିକା ସମସ୍ତ ପ୍ରକାରର ଧାର୍ମିକ ହିଂସାକୁ ସ୍ପଷ୍ଟ ଭାବରେ ନିନ୍ଦା କରେ।’

ଆମେରିକାର ବୈଦେଶିକ ବିଭାଗ ନିଜ ବିବୃତ୍ତିରେ ବାଂଲାଦେଶର ଅନ୍ତରୀଣ ସରକାରଙ୍କୁ ସମାଲୋଚନା କରିନାହିଁ। ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ହିଂସା ସତ୍ତ୍ୱେ ଆମେରିକା ମହମ୍ମଦ ୟୁନୁସଙ୍କ ସହିତ ଠିଆ ହୋଇଛି। ସମସ୍ତ ସମ୍ପ୍ରଦାୟର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ଆମେ ସ୍ୱାଗତ କରୁଛୁ ବୋଲି କହିଛି ଆମେରିକାର ବୈଦେଶିକ ବିଭାଗ।

ଏହି ସମୟରେ ହିନ୍ଦୁ ଆମେରିକୀୟ କଂଗ୍ରେସ ସଦସ୍ୟ ରୋ ଖାନ୍ନା ଦୀପୁ ଦାସଙ୍କ ହତ୍ୟାକୁ ଭୟଙ୍କର ବୋଲି କହିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, ‘ବାଂଲାଦେଶରେ ୨୭ ବର୍ଷୀୟ ହିନ୍ଦୁ ଶ୍ରମିକ ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟା ଭୟଙ୍କର। ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ମୋର ସମବେଦନା। ଆମକୁ ଧର୍ମାନ୍ଧତା ଏବଂ ଘୃଣ୍ୟ କାର୍ଯ୍ୟ ବିରୁଦ୍ଧରେ କହିବାକୁ ପଡିବ। ’

ଡିସେମ୍ବର ୧୨ ତାରିଖରେ , ଛାତ୍ର ନେତା ଉସମାନ ହାଦିଙ୍କୁ ଢାକାରେ ଦୁଇଜଣ ଯୁବକ ଗୁଳିମାଡ଼ କରିଥିଲେ। ୬ ଦିନ ପରେ, ଡିସେମ୍ବର ୧୮ ତାରିଖ ରାତିରେ ହାଦି ସିଙ୍ଗାପୁରର ଏକ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ। ସେହି ରାତିରେ, ଜଣେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଏକ ଭିଡ଼ ନିର୍ମମ ଭାବରେ ହତ୍ୟା କରିଥିଲା। ଅଭିଯୁକ୍ତମାନେ ପ୍ରଥମେ ଦୀପୁଙ୍କୁ ପିଟିଥିଲେ, ତା'ପରେ ତାଙ୍କୁ ଗଛରେ ଟାଙ୍ଗି ଦେଇଥିଲେ । ଏହା ପରେ ତାଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲେ। ଭିଡିଓଟି ଭାଇରାଲ ହେବା ପରେ, ସାରା ବିଶ୍ୱ ଏହି ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଥିଲା ।