ଚୀନ୍-ରୁଷ ଯୁଦ୍ଧାଭ୍ୟାସକୁ କାଉଣ୍ଟର, ଶକ୍ତି ପ୍ରଦର୍ଶନ କଲେ ଜାପାନ ଏବଂ ଆମେରିକା

NEWS7
indigo-services-halted-due-to-technical-fault-passenger-upset

ନୂଆଦିଲ୍ଲୀ: ଚୀନ୍ ଏବଂ ରୁଷର ମିଳିତ ଯୁଦ୍ଧାଭ୍ୟାସ ପରେ ଆମେରିକା ସହ ମିଶି ଜାପାନ ନିଜର ଶକ୍ତି ପ୍ରଦର୍ଶନ କରିଛି । ଗୁରୁବାର ଆମେରିକାର ପରମାଣୁ କ୍ଷମତାସମ୍ପନ୍ନ ବୋମାବର୍ଷୀ ବିମାନଗୁଡ଼ିକ ଜାପାନୀ ଲଢ଼ୁଆ ବିମାନ ସହିତ ଯୋଗ ଦେଇଥିଲେ ବୋଲି ଟୋକିଓ ସ୍ପଷ୍ଟ କରିଛି । ଚୀନ୍ ଏବଂ ରୁଷ ସେନା ଜାପାନ ଓ ଦକ୍ଷିଣ କୋରିଆକୁ ଘେରି ସମନ୍ୱିତ ଅଭ୍ୟାସ ସମାପ୍ତ କରିବାର ଗୋଟିଏ ଦିନ ପରେ ଏହି ଅପଡେ ଆସିଛି ।

ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ‘ଆମେ ଜାପାନ ଏବଂ ଆମେରିକାର ଦୃଢ଼ ସଂକଳ୍ପକୁ ନିଶ୍ଚିତ କରିଛୁ । ବଳ ପ୍ରୟୋଗ କରି ସ୍ଥିତାବସ୍ଥାର କୌଣସି ଏକପାଖିଆ ପରିବର୍ତ୍ତନକୁ ଅନୁମତି ଦିଆଯିବ ନାହିଁ ।’ ଏହି ସମରାଭ୍ୟାସରେ ଦୁଇଟି ଆମେରିକୀୟ B-52 ବୋମାବର୍ଷୀ ବିମାନ, ତିନୋଟି ଜାପାନୀ F-35 ଯୁଦ୍ଧ ବିମାନ ଏବଂ ତିନୋଟି F-15 ଜେଟ୍ ସାମିଲ ହୋଇଥିଲା ।

ଗତ ସପ୍ତାହରେ ଚୀନ୍ ଏହି ଅଞ୍ଚଳରେ ସାମରିକ ଅଭ୍ୟାସ ଆରମ୍ଭ କରିବା ପରେ ଏହା ସବୁଠାରୁ ବଡ଼ ସାମରିକ ପ୍ରଦର୍ଶନ ଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ ଜାପାନ ଦେଶକୁ ଘେରି ପାଟ୍ରୋଲିଂ କରୁଥିବା ଚୀନ୍ ଏବଂ ରୁଷୀୟ ଲଢ଼ୁଆ ବିମାନ ଉପରେ ନଜର ରଖିବା ପାଇଁ ଜେଟ୍ ମୁତୟନ କରିଥିଲା ଟୋକିଓ । ଜାପାନର ସୁରକ୍ଷା ଦୃଷ୍ଟିକୋଣରୁ ଆମେ ଏହାକୁ ଏକ ଗମ୍ଭୀର ଚିନ୍ତାର ବିଷୟ ବୋଲି ବିବେଚନା କରୁଛୁ ବୋଲି କହିଥିଲେ ଜାପାନର ଚିଫ୍ ଅଫ୍ ଷ୍ଟାଫ୍, ଜଏଣ୍ଟ ଷ୍ଟାଫ୍ ଜେନେରାଲ୍ ହିରୋଆକି ଉଚିକୁରା ।

ବେଜିଂ ଏବଂ ମସ୍କୋ ଏହାକୁ ଏକ ନିୟମିତ ଅଭ୍ୟାସ ଭାବରେ ବର୍ଣ୍ଣନା କରିଛନ୍ତି। ଜାପାନ ଏହି ପ୍ରସଙ୍ଗକୁ ଅଯଥା ରଙ୍ଗ ଦେବାକୁ ଚେଷ୍ଟା ନକରୁ । ଜାପାନ ପ୍ରତି ଏଥିରେ କୌଣସି ବପଦ ନାହିଁ ବୋଲି ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ୍ କହିଛନ୍ତି।

ଚୀନର କାର୍ଯ୍ୟକଳାପ ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ଅନୁକୂଳ ନୁହେଁ ବୋଲି ବୁଧବାର ଆମେରିକାର ଜଣେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏଏଫପିକୁ କହିଛନ୍ତି। ସେପଟେ ଚୀନ୍ର ଆକ୍ରମଣାତ୍ମକ ମନୋଭବାକୁ ଦକ୍ଷିଣ କୋରିଆ ମଧ୍ୟ ବିରୋଧ କରିଆସିଛି । ଦକ୍ଷିଣ କୋରିଆ କହିଛି ଯେ, ମଙ୍ଗଳବାର ଚୀନ୍ ଏବଂ ରୁଷୀୟ ବିମାନ ଏହାର ବାୟୁ ପ୍ରତିରକ୍ଷା ଅଞ୍ଚଳରେ ପ୍ରବେଶ କରିବା ପରେ ସେମାନେ ଯୁଦ୍ଧ ବିମାନଗୁଡ଼ିକୁ ଘଉଡ଼ାଇ ଦେଇଥିଲେ । ଏହି ସମୟରେ, ତାଇୱାନ ଲଗାତାର ଦ୍ୱିତୀୟ ଦିନ ପାଇଁ ଚୀନ୍ ସାମରିକ କାର୍ଯ୍ୟକଳାପରେ ବୃଦ୍ଧି ପାଇଥିବା ସୂଚନା ଦେଇଛି । ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ପରମାଣୁ କ୍ଷମତାସମ୍ପନ୍ନ H-6K ବୋମାବର୍ଷୀ ବିମାନ ସମେତ ୨୭ଟି ବିମାନ ଦ୍ୱୀପ ଚାରିପାଖରେ ଯୁଦ୍ଧଜାହାଜ ସହିତ ମିଳିତ ପାଟ୍ରୋଲିଂ କରିଥିଲା।

ଚୀନ୍ ଜେ-୧୬ ଲଢ଼ୁଆ ବିମାନ ଏବଂ ଏଚ୍-୬ ବୋମାବର୍ଷୀ ବିମାନଗୁଡ଼ିକ ତାଇୱାନର ଦକ୍ଷିଣ ଭାଗରେ ଦୂରଗାମୀ ଅଭ୍ୟାସ ମଧ୍ୟ କରିଥିଲା । ଜାପାନର ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ନଭେମ୍ବର ଆରମ୍ଭରେ ଚୀନ୍କୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଦୁଇ ଦେଶ ମଧ୍ୟରେ ସଂପର୍କ ଖରାପ ହୋଇଛି । ସେ କହିଥିଲେ, ଯଦି ଚୀନ୍ ତାଇୱାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ , ତେବେ ଏହାର ସାମରିକ ବାହିନୀ ଏଥିରେ ସାମିଲ ହୋଇପାରେ । ତେବେ ତାଇଓ୍ବାନକୁ ଚୀନ୍ ନିଜର ଏକ ଅଂଶ ବୋଲି ମାନିଆସିଛି ।