UAE ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ପରେ ପାକିସ୍ତାନକୁ ବଡ଼ ଝଟକା, ଇସଲାମାବାଦ ବିମାନବନ୍ଦର ଚୁକ୍ତି ବାତିଲ

NEWS7
indias-rich-person-wants-to-quit-country-and-set-to-live-abroad

ନୂଆଦିଲ୍ଲୀ: ୟୁନାଇଟେଡ୍ ଆରବ ଏମିରେଟ୍ସ (UAE) ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ ନାୟାନଙ୍କ ତିନି ଘଣ୍ଟାର ଭାରତ ଗସ୍ତ ପରେ, ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଛି। ସୂଚନା ଅନୁଯାୟୀ, ଅଗଷ୍ଟ ୨୦୨୫ ରୁ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିବା ଇସଲାମାବାଦ ଅନ୍ତର୍ଜାତୀୟ ବିମାନବନ୍ଦର ପରିଚାଳନା ପ୍ରସ୍ତାବକୁ ବାତିଲ କରିଦେଇଛି ୟୁଏଇ।

ପାକିସ୍ତାନୀ ଖବର କାଗଜ ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ଖବର ପ୍ରକାଶ କରିଛି ଯେ, ଡିଲ୍ ବାତିଲ କରାଯାଇଥିବା ନେଇ ସୂଚନା ମିଳିଛି । କିନ୍ତୁ ଡିଲ୍ ବାତିଲ ହେବା ପଛରେ ପ୍ରକୃତ କାରଣ କ’ଣ ତାହା ସ୍ପଷ୍ଟ ହୋଇପାରି ନାହିଁ । ତେବେ ୟୁଏଇ ଏବଂ ସାଉଦି ଆରବ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସହିତ ଏହି ନିଷ୍ପତ୍ତିର ସାମଞ୍ଜସ୍ୟ କଥା ଚର୍ଚ୍ଚା ହେଉଛି । ଏକଦା ଘନିଷ୍ଠ ଉପସାଗରୀୟ ସହଯୋଗୀ, ରିୟାଦ ଏବଂ ଆବୁଧାବି ଏବେ ୟେମେନରେ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀକୁ ସମର୍ଥନ କରିବାକୁ ଯାଇ ଏକ ବିଚିତ୍ର ସ୍ଥିତିର ସମ୍ମୁଖୀନ ହେଉଛନ୍ତି ।

ଇସଲାମାବାଦ ରିୟାଦ ସହିତ ଏକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛି । ସାଉଦି ଆରବ ଏବଂ ତୁର୍କୀ ସହିତ ‘ଇସଲାମିକ୍ ନାଟୋ’ ଗଠନ କରିବାକୁ ଚେଷ୍ଟା କରୁଛି । ସେପଟେ ୟୁଏଇ ଭାରତ ସହିତ ଏକ ନୂତନ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରି ଏକ ଭିନ୍ନ ଦିଗରେ ଗତି କରିଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୦୨୫ ରେ, ସାଉଦି ଆରବ ପାକିସ୍ତାନ ସହିତ ଏକ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କରିଥିଲା । ଗୋଟିଏ ଦେଶ ଉପରେ ଆକ୍ରମଣକୁ ଉଭୟ ଉପରେ ଆକ୍ରମଣ ଭାବରେ ବିବେଚନା କରାଯିବ ବୋଲି ଚୁକ୍ତିରେ ଥିଲା । ସେପଟେ ୟୁଏଇ ରାଷ୍ଟ୍ରପତି ନୂଆଦିଲ୍ଲୀ ଗସ୍ତରେ ଆସି ଭାରତ ସହିତ ଏକ ନୂଆ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛି।

ପାକ୍-ୟୁଏଇ ସମ୍ପର୍କ

ପ୍ରାୟ ଚାରି ଦଶନ୍ଧୀ ପୂର୍ବେ, UAE ପାକିସ୍ତାନର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର ଥିଲା । ବିଭିନ୍ନ କ୍ଷେତ୍ରରେ ହଜାର ହଜାର ପାକିସ୍ତାନୀ ଶ୍ରମିକଙ୍କୁ ନିଯୁକ୍ତି ଦେଇଥିଲା ୟୁଏଇ । ଦୁଇ ଦେଶ ପ୍ରତିରକ୍ଷା, ଶକ୍ତି ଏବଂ ନିବେଶ ପଦକ୍ଷେପରେ ମଧ୍ୟ ସହଯୋଗ କରିଥିଲେ । କିନ୍ତୁ ସମୟ ସହିତ, ସୁରକ୍ଷା ସମସ୍ୟା, ଲାଇସେନ୍ସ ବିବାଦ ଏବଂ ପାକିସ୍ତାନର ପୁରୁଣା ଭିତ୍ତିଭୂମି ଯୋଗୁଁ ସମ୍ପର୍କ ଖରାପ ହୋଇଛି।

ଏକ ରିପୋର୍ଟରେ କୁହାଯାଇଛି ଯେ, ରାଜନୈତିକ ହସ୍ତକ୍ଷେପ ଦ୍ୱାରା ଦୁର୍ବଳ ଶାସନ ଏବଂ କୁପରିଚାଳନା, ପାକିସ୍ତାନର ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ ବିପୁଳ କ୍ଷତି ଘଟାଇଛି । ଫଳରେ କମ ଟଙ୍କାରେ ବିକ୍ରି ହୋଇଯାଉଛି ସରକାରୀ ଉଦ୍ୟୋଗ ଏବଂ କମ୍ପାନି । ଇସଲାମାବାଦ ଗତବର୍ଷ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA)କୁ ଘରୋଇକରଣ କରିଥିଲା। ଆଫଗାନିସ୍ତାନ ସମେତ କଷ୍ଟକର ପରିସ୍ଥିତିରେ ବିମାନବନ୍ଦର ପରିଚାଳନା କରିବାରେ UAEର କ୍ଷମତା ସତ୍ତ୍ୱେ, ବିମାନବନ୍ଦର ପ୍ରକଳ୍ପରୁ ଓହରିଯିବା ପରେ ଇସଲାମାବାଦ, ୟୁଏଇର ବିଶ୍ବାସ ରାଇଛି ।