Iran War: ତେହେରାନରେ ପ୍ରତିବାଦକାରୀଙ୍କ ରାଲିଲେ ବିସ୍ଫୋରଣ, ଯୋଗ ଦେଇଥାନ୍ତେ ମୋଜତାବା !

NEWS7
indian-student-invented-procedures-of-saving-electricity-in-dubai

ନୂଆଦିଲ୍ଲୀ: ଇସ୍ରାଏଲ-ଆମେରିକା ଏବଂ ଇରାନ ଯୁଦ୍ଧ ୧୪ତମ ଦିନରେ ପ୍ରବେଶ କରିଛି। ଶୁକ୍ରବାର ଇରାନର ରାଜଧାନୀ ତେହେରାନର ଆଜାଦି ସ୍କୋୟାର ସମେତ ଅନେକ ସ୍ଥାନରେ ବିସ୍ଫୋରଣ ଘଟିଛି । ଇରାନର ସରକାରୀ ଟିଭି ଅନୁଯାୟୀ, ରମଜାନର ଶେଷ ଶୁକ୍ରବାରରେ ଇରାନର ରାଜଧାନୀରେ ‘ଆଲ୍ଲା ହୁ ଆକବର’ ଧ୍ୱନି ସହିତ ପ୍ରତିବାଦ ପ୍ରଦର୍ଶନ କରାଯାଉଥିଲା। ପ୍ରଦର୍ଶନକାରୀଙ୍କ ରାଲିରେ ବିସ୍ଫୋରଣ ଘଟିଥିବା କୁହାଯାଉଛି ।

ସାମିଲ ହୋଇଥାନ୍ତେ ସୁପ୍ରିମ୍ ଲିଡର

ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ଅଲି ଲାରିଜାନି ମଧ୍ୟ ଏହି ରାଲିରେ ଯୋଗ ଦେଇଥିଲେ। ଏହି ଦିବସରେ ଇରାନ, ଇରାକ, ଲେବାନନ୍ ଏବଂ ପାକିସ୍ତାନ ସମେତ ଅନେକ ଦେଶରେ ପାଲେଷ୍ଟାଇନକୁ ସମର୍ଥନ କରି ଭାଷଣ ଦିଆଯାଏ। ବିସ୍ଫୋରଣ ସମୟରେ ହଜାର ହଜାର ଲୋକ ଆମେରିକା ଏବଂ ଇସ୍ରାଏଲ ବିରୋଧରେ ସ୍ଲୋଗାନ ଦେଉଥିଲେ । ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନି ମଧ୍ୟ ଏହି ରାଲିରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା ବୋଲି କୁହାଯାଉଛି ।

ଧମକ ଦେଇଥିଲା ଇସ୍ରାଏଲ

ଆସୋସିଏଟେଡ୍ ପ୍ରେସ୍ ଅନୁଯାୟୀ, ବିସ୍ଫୋରଣ ପୂର୍ବରୁ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ନେଇ ଚେତାବନୀ ଦେଇଥିଲା। ଶୁକ୍ରବାର ପ୍ରାର୍ଥନା ସମୟରେ ତେହେରାନ ବିଶ୍ୱବିଦ୍ୟାଳୟ ନିକଟରେ ବିମାନ ଆକ୍ରମଣ ନେଇ ଇସ୍ରାଏଲ ଚେତାବନୀ ଦେଇଥିଲା। ଇରାନ୍ ଉପରେ ଇସ୍ରାଏଲ-ଆମେରିକା ମିଳିତ ଭାବରେ ଆକ୍ରମଣ କରିଥିଲେ । ଏବେ ବି ଏହି ଯୁଦ୍ଧ ଜାରି ରହିଛି । ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନ୍ ସର୍ବୋଚ୍ଚ ନେତା ଆୟତୋଲ୍ଲା ଖାମେନିଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ତାଙ୍କ ପୁଅ ମୋଜତାବା ଇରାନ୍ ସର୍ବୋଚ୍ଚ ନେତା ନିଯୁକ୍ତ ହୋଇଛନ୍ତି । ସୁପ୍ରିମ ଲିଡର ହେବା ପାଖରୁ ମୋଜତାବାଙ୍କୁ ସାର୍ବଜନୀନ ସ୍ଥାନରେ ଦେଖାଯାଇ ନାହିଁ ।

କୋମାରେ ମୋଜତାବା ?

ଗୋଟିଏ ଦିନ ପୂର୍ବରୁ (୧୨ ମାର୍ଚ୍ଚ, ୨୦୨୬) ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନି ଆମେରିକା ବିରୋଧରେ ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରିଥିଲେ। ସେପଟେ ଏମିତି ଚର୍ଚ୍ଚା ହେଉଛି ଯେ, ମୋଜତାବା ଗୋଟିଏ ଗୋଡ଼ ହରାଇଥିବା ବେଳେ ଏବେ ସେ କୋମାରେ ଅଛନ୍ତି । ତେହେରାନରେ ତାଙ୍କର ଚିକତ୍ସା ଚାଲିଛି । ଯେଉଁ ଏୟାର ଷ୍ଟ୍ରାଇକରେ ତାଙ୍କ ବାପା ଆୟତୋଲ୍ଲା ଖାମେନିଙ୍କ ମୃତ୍ୟୁ ହୋଇଥିଲା, ସେହି ଦିନ ମୋଜତାବା ବି ଗୁରୁତର ହୋଇଥିଲେ ବୋଲି ରିପୋର୍ଟ ମିଳିଛି । ହେଲେ ଏହି ଖବର ଆସିବାର କିଛି ସମୟ ପରେ, ମୋଜତାବାଙ୍କ ବିବୃତ୍ତି ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ତାଙ୍କର ବିବୃତ୍ତିକୁ ଟିଭି ଆଙ୍କର ପଢ଼ିଛନ୍ତି । ହେଲେ ତାଙ୍କୁ ଦେଖିବାକୁ ମିଳିନାହିଁ । ସେପଟେ ଗଣମାଧ୍ୟମ ମୋଜତାବାଙ୍କୁ ନେଇ ହେଉଥିବା ଦାବି ସଂପର୍କରେ କୌଣସି ସ୍ପଷ୍ଟୀକରଣ ଦେଇନାହିଁ ।