ଯାତ୍ରୀ ଆଶ୍ୱସ୍ତ : ଉଡାଣ ଭରିବ ୧୫୦୦ ଇଣ୍ଡିଗୋ ବିମାନ, କମ୍ପାନୀ ଦେଲା ଧନ୍ୟବାଦ

NEWS7
indian-soldiers-battered-chinese-soldiers-in-violent-clashes-between-india-and-china

ନୂଆଦିଲ୍ଲୀ, ୦୭ /୧୨: ଆସିଲା ଖୁସି ଖବର । ଶେଷରେ ଆରମ୍ଭ ହେଲା ଇଣ୍ଡିଗୋ ବିମାନ ସେବା । ଗତ ୫ ଦିନ ଧରି ଇଣ୍ଡିଗୋ ଏୟାରଲାଇନ୍ସରେ ଚାଲିଥିବା ଅଚଳାବସ୍ଥାରେ ସାମାନ୍ୟ ସୁଧାର ଆସିଛି । ଶନିବାର ଡିଜିସିଏ ଏୟାରଲାଇନ୍ସ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଦେବା ପରେ ରବିବାର ୧୫୦୦ରୁ ଅଧିକ ବିମାନ ଉଡାଣ ଚଳାଚଳ ହେବା ନେଇ କମ୍ପାନୀ କହିଛି । ଏହି ସବୁ ବିମାନ ୧୩୫ଟି ସ୍ଥାନକୁ ଜଣ ଉଡାଣ ଆରମ୍ଭ କରିସାରିଛି ।

ରିପୋର୍ଟ ଅନୁସାରେ, ବିମାନ ଅଚଳାବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ରାମମୋହନ ନାଇଡୁ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଯେ, କାର୍ଯ୍ୟାନୁଷ୍ଠାନ ଏତେ କଠୋର ହେବ ଯେ କୌଣସି ବିମାନ ଅପରେଟର ମନ୍ତ୍ରଣାଳୟକୁ ହାଲୁକା ଭାବରେ ନେଇପାରିବେ ନାହିଁ । ଦେଶବ୍ୟାପୀ ଇଣ୍ଡିଗୋ ବିମାନ ଚଳାଚଳ ସଂକଟ ପାଞ୍ଚ ଦିନରେ ପହଞ୍ଚିବା ପରେ କେନ୍ଦ୍ର ସରକାର ଆକ୍ସନକୁ ଆସିଥିଲେ । ହଜାର ହଜାର ଯାତ୍ରୀଙ୍କ ଅସୁବିଧା ପରେ, ସରକାର ପୂରା ମାମଲାର ତଦନ୍ତ ହେଉଥିବା ସ୍ପଷ୍ଟ କରିଥିଲେ । ତଦନ୍ତ କମିଟିର ରିପୋର୍ଟ ପ୍ରକାଶ ପାଇବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ ।

ସେପଟେ ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହି ନୋଟିସର ଉତ୍ତର ୨୪ ଘଣ୍ଟା ମଧ୍ୟରେ ଦେବାକୁ କୁହାଯାଇଛି । ସରକାର କାରଣ ଦର୍ଶାଅ ନୋଟିସରେ ପ୍ରଶ୍ନ କରିଛନ୍ତି ଯେ, କମ୍ପାନୀ ଯୋଗୁଁ ଲକ୍ଷ ଲକ୍ଷ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କମ୍ପାନୀ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ନୋଟିସରେ ସିଇଓ ଯାତ୍ରୀମାନଙ୍କୁ ଅତ୍ୟାବଶ୍ୟକୀୟ ସୁବିଧା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କୁହାଯାଇଛି ।

ଏହାସହ ଶନିବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କ ସହ ଦୀର୍ଘ ସମୟ ଯାଏଁ ବୈଠକ କରିଥିଲେ । ବୈଠକରେ ବିମାନ ଚଳାଚଳରେ ବାଧା, ଯାତ୍ରୀଙ୍କୁ ଟଙ୍କା ଫେରସ୍ତ ଏବଂ ବିମାନ କମ୍ପାନିର ଦାୟିତ୍ୱ ଉପରେ ଆଲୋଚନା କରାଯାଇଥିଲା ।

ଯାହା ପରେ କମ୍ପାନୀ ରବିବାର କହିଛି ଯେ, ଅଚଳାବସ୍ଥା ପାଇଁ ୭୦୦ରୁ ଅଧିକ ବିମାନ ଚଳାଚଳ ବାତିଲ କରାଯାଇଥିଲା । କିନ୍ତୁ ରବିବାର ୧୫୦୦ଟି ବିମାନ ଉଡାଣ ଭରିବ । ୧୩୮ଟି ସ୍ଥାନରୁ ଏବେସୁଦ୍ଧା ୧୩୫ଟି ସ୍ଥାନକୁ ଉଡାଣ ଆରମ୍ଭ ହୋଇ ସାରିଛି । କମ୍ପାନୀ ସର୍ବଦା ଗ୍ରାହକଙ୍କ ହିତକୁ ନଜରରେ ରଖିଥାଏ । ଏତେଦିନ ଧରି ଧୈର୍ଯ୍ୟ ଧରିଥିବାରୁ କମ୍ପାନୀ ଯାତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଛି ।