ଚଳିତ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମଣ୍ଡିରେ ଚାଲିବ ଧାନ କିଣା, ଚାଷୀଙ୍କ ଆକାଉଣ୍ଟକୁ ଗଲାଣି ୨୩୫୦ କୋଟି ଟଙ୍କା

NEWS7
indian-junior-hockey-team-qualified-foe-quarter-final

ଭୁବନେଶ୍ବର ୧।୧: ଚଳିତ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମଣ୍ଡିରେ ଧାନ କିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି । ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୧୦ ଲକ୍ଷ ୫୦ ହଜାର ମେଟ୍ରିକ୍‌ ଟନ୍ ଧାନ କିଣିଲେଣି ରାଜ୍ୟ ସରକାର । ସେଥିମଧ୍ୟରୁ ୨ ଲକ୍ଷ ୩୦ ହଜାର ଚାଷୀ ଧାନ ବିକିଥିବା ବେଳେ ୧୮ଟି ଜିଲ୍ଲାରେ ଏବେ ବି ଧାନ କିଣା ଜାରି ରହିଛି । ୧୧ ଲକ୍ଷ ଚାଷୀଙ୍କୁ ଟୋକନ ଦିଆଯାଇଛି ।

ଏହାସହ ଚାଷୀଙ୍କ ଆକାଉଣ୍ଟକୁ ୨୩୫୦ କୋଟି ଟଙ୍କା ଯାଇଥିବା ମଧ୍ୟ ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଚଳିତବର୍ଷ ସବୁ ଚାଷୀଙ୍କ ଧାନ କିଣାଯିବ । ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଧାନ କିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

ସେପଟେ, ତୁଟିଲା ଅରୁଆ, ଉଷୁନା ବିବାଦ । ଓଡ଼ିଶାରୁ ୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଇବ କେନ୍ଦ୍ର । ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୫ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଓ ୧ ଲକ୍ଷ ମେଟ୍ରିକ୍ ଟନ୍ ଅରୁଆ ଚାଉଳ ଉଠାଇବ କେନ୍ଦ୍ର । ରାଜ୍ୟରେ ମୋଟ୍ ୭ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଅଛି । ବାକି ୧ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ନିଲାମ କରାଯିବ । ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

କେନ୍ଦ୍ର ଚାଉଳ ଉଠାଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଅତନୁ ସବ୍ୟସାଚୀ ନାୟକ । ଅତନୁ କହିଛନ୍ତି, ଅରୁଆ, ଉଷୁନା, ଧାନ ମଣ୍ଡି, ସବୁଥିରେ ସରକାର ଫେଲ୍ ମାରିଛନ୍ତି । ନୂତନ ବର୍ଷରେ ଏସବୁ ସୁଧାରି ଲୋକଙ୍କ ନିକଟତର ହେବାକୁ ଅନ୍ତତଃ ଚେଷ୍ଟା କରନ୍ତୁ ସରକାର ।