LIVE TV

ଅଭିଯୋଗ ଶୁଣିଲାନି ବିଦ୍ୟୁତ ବିଭାଗ, ଛେଳିକୁ ଧରି ଜନ ଶୁଣାଣିରେ ହାଜର ହେଲେ ଚାଷୀ

NEWS7
india-srilanka-t20-match

ନିଆଳି: ଚାଲିଥିଲା ଜିଲ୍ଲାପାଳଙ୍କ ଜନ ଶୁଣାଣି। ପ୍ରାୟ ୨୩ଟି ପଞ୍ଚାୟତର ଆସିଥାନ୍ତି ସେମାନଙ୍କ ଅଭିଯୋଗ ନେଇ। ହେଲେ ଏହି ସମୟରେ ଦେଖିବାକୁ ମିଳିଥିଲା କିଛି ରୋଚକ ଦୃଶ୍ୟ। ଗୋଟିଏ ଜରି ବ୍ୟାଗ୍‌ରେ ଜଣେ ବ୍ୟକ୍ତି ଛେଳିଟିଏ ଧରି ପଶିଆସିଲେ ଶିବିରକୁ । ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସେଠି ଉପସ୍ଥିତ ଥିବା ସମସ୍ତେ। ସେମାନଙ୍କ ମନରେ ଗୋଟିଏ ପ୍ରଶ୍ନ, କାହିଁକି ବ୍ୟକ୍ତି ଜଣକ ଛେଳିଟିକୁ ଆଣି ଜନ ଶୁଣାଣିକୁ ଆସିଛନ୍ତି ?  ତେବେ ଏଭଳି କରିବାର କାରଣ କହିଥିଲେ ବ୍ୟକ୍ତି ଜଣକ। ଆଉ ତାଙ୍କ କଥା ଶୁଣି ଜିଲ୍ଲାପାଳ ମଧ୍ୟ ଦେଇଥିଲେ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ।

ସୂଚନା ଅନୁସାରେ, ସୋମବାର କଟକ ଜିଲ୍ଲା ନିଆଳି ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେଉଥିଲା। ଶିବିରରେ କଟକ ଜିଲ୍ଲାପାଳ ଦତାତ୍ରେୟ ଭାଉସାହେବ ସିନ୍ଦେ ଅଭିଯୋଗ ଶୁଣୁଥିଲେ। ଏହି ସମୟରେ ଅଠାନ୍ତର ପହଙ୍ଗା ଗାଁର ବିଷ୍ଣୁ ଚରଣ ବେହେରା ଏକ ଜରି ବ୍ୟାଗରେ ଛେଳି ଧରି ଜନଶୁଣାଣିରେ ପହଁଞ୍ଚିଥିଲେ। ଏହା ଦେଖି ସେଠାରେ ଥିବା ଅନ୍ୟମାନେ କାବା ହୋଇଯାଇଥିଲେ।

ଜଣାପଡ଼ିଛି ବିଷ୍ଣୁଙ୍କ ଘର ଛାତ ଉପରେ ବିଦ୍ୟୁତ ତାର ଯାଇଛି ଏବଂ ଏହି ବିଦ୍ୟୁତ ତାର ଲାଗି ୪ଟି ଛେଳିଙ୍କର ମୃତ୍ୟୁ ହୋଇଯାଇଛି। ଆଉ ମାତ୍ର ଗୋଟିଏ ଛେଳି ବଞ୍ଚିଛି। ଅନେକ ଥର ବିଦ୍ୟୁତ କର୍ମଚାରୀଙ୍କୁ କହିଲେ ମଧ୍ୟ କେହି ଶୁଣୁନାହାଁନ୍ତି। ଆଉ ସେଥିପାଇଁ ଛେଳି ଛୁଆ ଧରି ସିଧା ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ପହଁଞ୍ଚି ଅଭିଯୋଗ କରିଥିଲେ । ତେବେ ବିଷ୍ଣୁଙ୍କ ଅଭିଯୋଗ ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ବିଦ୍ୟୁତ ବିଭାଗର ଏସଡିଓକୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।