ବିମାନର ସୁରକ୍ଷିତ ଅବତରଣ ପାଇଁ ସାହସ ଦେଲେ ସେ, ଚଳିତ ବର୍ଷ ପଦ୍ମ ପୁରସ୍କାରରେ ସମ୍ମାନିତ

NEWS7
india-posts-two-bad-records-in-own-name-in-icc-world-cup

ନୂଆଦିଲ୍ଲୀ : ଶୀତ ସକାଳ, ଆକାଶରୁ ରନୱେ ଆଚ୍ଛାଦିତ କରିଛି କୁହୁଡି । ଧୂଆଁଳିଆ ପରିବେଶରେ ବିମାନ ଉଡାଣ ଆଉ ଅବତରଣ ନିଶ୍ଚିତ ଭାବରେ ପାଇଲଟଙ୍କ ପାଇଁ ରିସ୍କ ଆଉ ବିପଦ ବି । କିନ୍ତୁ ସେହି ବିପଦକୁ ଏଡାଇ ବିମାନର ସୁରକ୍ଷିତ ଅବତରଣ ପାଇଁ ସାହସ ଦେଲେ ସେ । ତାଙ୍କ ଉଦ୍ଭାବିତ ପ୍ରଯୁକ୍ତି କୌଶଳ ପାଇଲଟ, କ୍ରିଉ ଆଉ ବିମାନ ବନ୍ଦର କର୍ମଚାରୀଙ୍କୁ ଦେଲା ଦୃଢ ବିଶ୍ବାସ ଆଉ ଭରସା । ସୁରକ୍ଷିତ ଅବତରଣର । ତେବେ ଏହା ପଛରେ ଶ୍ରେୟ କାହାକୁ ଯାଉଛି। କେବେ ଆମେ ସେ କଥାକୁ ଚିନ୍ତା କରିଛେ କି । ହୁଏତ ନା। କିନ୍ତୁ ଅନେକ ସଫଳତା ବା ସାଫଲ୍ୟର ପ୍ରଚ୍ଛଦପଟରେ ଥିବା ବ୍ୟକ୍ତି ସର୍ବଦା ମହାନ । ସମାଜ ପାଇଁ ସମୂହ ପାଇଁ ଥାଏ ତାଙ୍କର ଅବଦାନ । ସେପରି ଜଣେ ବ୍ୟକ୍ତିତ୍ବ  କର୍ଣ୍ଣାଟକର ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଶୁଭା ଭି. ଆୟେଙ୍ଗାର। ଯାହାଙ୍କୁ ବିଜ୍ଞାନ ଏବଂ ଇଞ୍ଜିନିୟରିଂରେ ଅବଦାନ ପାଇଁ ଚଳିତ ବର୍ଷ ପଦ୍ଣ ପୁରସ୍କାରରେ ସମ୍ମାନିତ କରାଯାଇଛି। 71ବର୍ଷ ବୟସରେ ଡକ୍ଟର ଶୁଭାଙ୍କୁ ତାଙ୍କ ଅବଦାନର ଲାଗି  ମିଳିଛି ପଦ୍ମଶ୍ରୀ ସମ୍ମାନ ।

​​​​​​​

ଡା. ଶୁଭା ଭି. ଅୟଙ୍ଗର  କ’ଣ ପାଇଁ ପ୍ରସିଦ୍ଧ ?

ଡା. ଶୁଭା ଭି. ଅୟଙ୍ଗର  CSIR-ନ୍ୟାସନାଲ୍ ଏରୋସ୍ପେସ୍ ଲାବୋରେଟୋରୀ (NAL) ର ପୂର୍ବତନ ବୈଜ୍ଞାନିକ।  ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନ କୌଶଳରେ ଡିଜାଇନ ହୋଇଥିବା ରନୱେ ଦୃଶ୍ୟତା ମାପକ ଯନ୍ତ୍ର “ ଦୃଷ୍ଟି” ବିକାଶରେ ସେ ଥିଲେ କର୍ଣ୍ଣଧାର । ଆଜି, ଦୃଷ୍ଟି ଦେଶର ପ୍ରମୁଖ ବିମାନବନ୍ଦରଗୁଡ଼ିକରେ ସ୍ଥାପିତ ହୋଇଛି। ଏହାକୁ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏବଂ ଭାରତୀୟ ବାୟୁସେନା ଉଭୟ ବ୍ୟବହାର କରନ୍ତି।  ଯାହାର  ବିମାନ ସୁରକ୍ଷାରେ ରହିଛି ଉଲ୍ଲେଖନୀୟ ଅବଦାନ।

କିଏ ଡକ୍ଟର ଶୁଭା ଭି. ଆୟଙ୍ଗର?

ଡକ୍ଟର ଶୁଭା ଭି. ଆୟଙ୍ଗର... ବେଙ୍ଗାଲୁରୁର CSIR-ନ୍ୟାସନାଲ୍ ସ୍ପେସ୍ ଲାବୋରେଟୋରୀ (NAL)ର ପୂର୍ବତନ ବରିଷ୍ଠ ବୈଜ୍ଞାନିକ। ସେ ବେଙ୍ଗାଲୁରୁର ସେଣ୍ଟ୍ରାଲ୍ କଲେଜରୁ ପଦାର୍ଥ ବିଜ୍ଞାନରେ B.Sc. ଏବଂ M.Sc.କରିଥିଲେ।  ଉଭୟରେ ସେ ହୋଇଥିଲେ ପ୍ରଥମ । 1974 ମସିହାରେ ସେ NALରେ ଯୋଗ ଦେଇଥିଲେ। ବାପାଙ୍କ ପ୍ରେରଣାରେ PhD ସମାପ୍ତ କଲେ। ନଅ ଭାଇଭଉଣୀଙ୍କ ମଧ୍ୟରୁ ସବୁଠାରୁ ସାନ ଥିଲେ ସେ । ତେବେ ସବୁ ପାଇଁ ଡକ୍ଟର ଶୁଭା ତାଙ୍କ ପରିବାରକୁ ଦିଅନ୍ତି ଶ୍ରେୟ। ବଡ଼ କଥା ହେଉଛି ଅବସର ପରେ ମଧ୍ୟ ଶୁଭା ବିଭିନ୍ନ ପ୍ରତିଷ୍ଠାନଗୁଡ଼ିକୁ ପରାମର୍ଶ ଦେବା ଜାରି ରଖିଛନ୍ତି। ଯାହା ତାଙ୍କର ସେବା ମନୋବୃତ୍ତିର ପ୍ରମାଣ।

ଡକ୍ଟର ଶୁଭା NALରେ ବିଜ୍ଞାନ ଏବଂ ଇଞ୍ଜିନିୟରିଂର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। କିନ୍ତୁ ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ହେଉଛି ଏହି ମାପକ ଟେକ୍ନୋଲୋଜି । ଅର୍ଥାତ୍ ଉଡ଼ାଣ ଏବଂ ଅବତରଣ ସମୟରେ ରନୱେ ଭିଜିବିଲିଟି ମାପିବାକୁ ସେ ଏକ ଟେକ୍ନୋଲୋଜି ଉଦ୍ଭାବନ କରିଥିଲେ। । ଯାହା କୁହୁଡ଼ି, ପ୍ରବଳ ବର୍ଷା ସମୟରେ କାମରେ ଆସେ। ।  ଯାହା ଆଜି ସାରା ଭାରତରେ ବିମାନବନ୍ଦରଗୁଡ଼ିକର ପରିଚାଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଡକ୍ଟର ଶୁଭା ଦୃଷ୍ଟିର ବିକାଶର ନେତୃତ୍ୱ ନେଇଥିଲେ । ଦୃଷ୍ଟି ପୂର୍ବରୁ, ଭାରତୀୟ ବିମାନବନ୍ଦରଗୁଡ଼ିକ ଫିନଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ଭଳି ଦେଶରୁ ଆମଦାନି ହୋଇଥିବା ସିଷ୍ଟମ ଉପରେ ନିର୍ଭର କରୁଥିଲେ। ଏହି ସିଷ୍ଟମଗୁଡ଼ିକ ମହଙ୍ଗା, ରକ୍ଷଣାବେକ୍ଷଣ କଷ୍ଟକର ଏବଂ ବିଦେଶୀ ଅଂଶ ଉପରେ ଅତ୍ୟଧିକ ନିର୍ଭରଶୀଳ ଥିଲା। କିନ୍ତୁ NAL ରେ ବିକଶିତ ଦୃଷ୍ଟି ପ୍ରଣାଳୀ ଏହି ନିର୍ଭରଶୀଳତାକୁ ବଦଳାଇ ଦେଇଥିଲା। ଏହି ସିଷ୍ଟମଟି ଅନ୍ତର୍ଜାତୀୟ ବିମାନ ଚଳାଚଳ ମାନଦଣ୍ଡ ସହିତ ଚାରି ମିଟର ପର୍ଯ୍ୟନ୍ତ ଦୃଶ୍ୟତା ମାପିପାରିବ । ଏହା ସହ ଦେଖି ନ ହେଉଥିବା ପରିସ୍ଥିତିରେ ପାଇଲଟମାନଙ୍କୁ ପ୍ରାରମ୍ଭିକ ଚେତାବନୀ ପ୍ରଦାନ ମଧ୍ୟ କରିଥାଏ।୨୦୧୪ ସୁଦ୍ଧା, ଦୃଷ୍ଟି ପ୍ରଣାଳୀ ଦିଲ୍ଲୀ, କୋଲକାତା ଏବଂ ଲକ୍ଷ୍ନୌ ସମେତ ପ୍ରମୁଖ ବିମାନବନ୍ଦରଗୁଡ଼ିକରେ ସ୍ଥାପିତ ହୋଇସାରିଛି।