ମହିଳା ଚଳାଇବେ 'ଆମ ବସ୍', ମହିଳା ଡ୍ରାଇଭରଙ୍କୁ ପୁଣେରେ ଦିଆଯିବ ତାଲିମ

NEWS7
india-pakistan-t-20-match-to-be-cancelled

ଭୁବନେଶ୍ୱର ୨୧/୦୧: ମହିଳାଙ୍କ ହାତରେ ରହିବ ଆମ ବସ୍ ଷ୍ଟିଅରିଂ । ଅର୍ଥାତ୍ ଆମ ବସ୍ ଚଲାଇବେ ମହିଳା । ଏଥିପାଇଁ ସେମାନଙ୍କୁ ପୁନେରେ ତାଲିମ ଦିଆଯିବ । ଆସନ୍ତା ୩୧ ତାରିଖରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ୨୦ ଜଣ ମହିଳା ଇ-ବସ୍ ଚାଳନା ତାଲିମ ପାଇଁ ପୁନେ ଯାତ୍ରା କରିବେ । ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ସାମ୍ପ୍ରତିକ ପରିସ୍ଥିତିରେ ଜନ ପରିବହନର ବିଶେଷ ଚାହିଦାକୁ ଲକ୍ଷ୍ୟ କରି ମହିଳା ଚାଳକଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

ମଙ୍ଗଳବାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ଅଧୀନରେ ଥିବା ‘ଆମ ବସ୍ ସେବା’କୁ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି । ଏଥିରେ ଏପରି ନିଷ୍ପତ୍ତି ନିଆଯାଇଛି ।ଏହି ବୈଠକରେ ନିଷ୍ପତ୍ତି ହୋଇଛି, ଖୁବ୍ଶୀଘ୍ର କ୍ରୁଟ୍ ଡିପୋ ପରିସରରେ ତାଲିମ ଅନୁଷ୍ଠାନ ନିର୍ମାଣ କରାଯିବ । ଏଠାରେ ବ୍ୟବହାରିକ, ଆଚରଣଗତ, ପ୍ରଶିକ୍ଷଣ ସହ ଟ୍ରାଫିକ ନିୟମ ଓ ଲେନ୍ ଡ୍ରାଇଭିଂ ଭଳି ଅନେକ ଦିଗରେ ଗୁରୁତ୍ୱ ଦିଆଯିବ ।

ବାରିପଦା, କେନ୍ଦୁଝର, ଅନୁଗୁଳରେ ଆମ ବସ୍ ଚଳାଚଳକୁ ନେଇ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସମୀକ୍ଷା ବୈଠକରେ ସୂଚନା ଦିଆଯାଇଛି, ସାଧାରଣତଃ ଦୁର୍ଘଟଣାର ପ୍ରମୁଖ କାରଣ ମଦ୍ୟପାନ ବୋଲି ଅନୁମାନ କରାଯାଉଛି । ଏନେଇ ଆମ ବସ୍ ଚାଳନା କରୁଥିବା ସମସ୍ତ ଚାଳକଙ୍କ ମଦ୍ୟପାନ ଯାଞ୍ଚ କରିବା ବାଧ୍ୟତାମୂଳକ ହୋଇଛି । ଗୋଟିଏ ବର୍ଷରେ ୧ଲକ୍ଷ ୯୭ ହଜାର ଥର ଯାଞ୍ଚ ହୋଇଛି । ଏଥିରୁ ଏକବର୍ଷ ମଧ୍ୟରେ ୧୯ଜଣ ମଦ ପିଇ ଆମ ବସ୍ ଚଲାଉଥିବା ଜଣାପଡିଛି ।

ସେମାନଙ୍କୁ ପୋଲିସ ଗିରଫ କରିବା ସହ ୩ ମାସ ପାଇଁ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ ନେଇ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ତଥ୍ୟ ଦିଆଯାଇଛି । ସେହିପରି କ୍ରୁଟ୍ ପକ୍ଷରୁ ଦୁର୍ଘଟଣାଗସ୍ତ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଏଥିପାଇଁ ୪ କୋଟିରୁ ଅଧିକ ଟଙ୍କାର ବୀମା ରାଶି ମୃତ ବ୍ୟକ୍ତିର ପରିବାରକୁ ପ୍ରଦାନ କରାଯାଇଛି । ବୈଠକରେ କ୍ରୁଟ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ବିଶ୍ୱାଳ, ମହାପ୍ରବନ୍ଧକ ସହଦେବ ସମଧିଆ, ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପଲ୍ଲବୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।​​​​​​​