ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମା’ ଶେଫାଳିଙ୍କ ସାଂଘାତିକ ଅଭିଯୋଗ: ଲିଭର୍ ସିରୋସିସ୍ କଥା ଲୁଚାଇଥିଲା ଦିନେଶ

NEWS7
india-believed-to-be-building-naval-base-on-mauritius-agalega-islands-claims-new-report

କଟକ: ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ସାଂଘାତିକ ଅଭିଯୋଗ ମା’ ଶେଫାଳି ସୁନା। ସେ କହିଛନ୍ତି- ମ୍ୟାନେଜର ଦିନେଶ ଏତେ ବଡ଼ ରୋଗ କଥା ମୋତେ ଲୁଚାଇଥିଲା। ପୁଅ ହ୍ୟୁମାନ୍ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ବୋଲି ଥରେ ହେଲେ ମୋତେ କହି ନଥିଲା। ହ୍ୟୁମାନ୍ ସାମାନ୍ୟ ଅସୁସ୍ଥ ରହୁଥିବାରୁ ତାକୁ ଚିକିତ୍ସା ପାଇଁ ଭେଲୋର ନେବାକୁ କହିଲି। ହେଲେ ଦିନେଶ ଏହି କଥାକୁ ପୂରା କାଟିଦେଲା। ଭାଇର କିଛି ହେଇନି, ଏଠି ଭଲ ଚିକିତ୍ସା ହେଉଛି, ଖୁବ୍ଶୀଘ୍ର ଭଲ ହୋଇଯିବ କହି ମୋତେ ଭେଲୋର ନେବାକୁ ରୋକିଲା। ଆଉ ଧୀରେ ଧୀରେ ରୋଗ ବଢ଼ି ଚାଲିଲା। ଶେଷରେ ହ୍ୟୁମାନ୍ ଆମକୁ ଛାଡ଼ି ଚାଲିଗଲା। ଆଜି ଏଭଳି କିଛି କଥା ହ୍ୟୁମାନଙ୍କ ମା' ଶେଫାଳି ସୁନା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସହ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ବିଭିନ୍ନ ସମୟରେ ପୁଅ ହ୍ୟୁମାନ୍ ପାଖକୁ ରାତି ଅଧରେ ଆସୁଥିଲେ। ଏହି କଥାକୁ ମୁଁ ବିରୋଧ କରୁଥିଲି। ସାଗର ସଂଗମ ଲାଇଭ୍ ଗ୍ରୁପ୍ର ମାଲିକ ଏମଡି ଆବିଦ୍ ନିଜ ସହିତ ଅର୍ପିତାଙ୍କୁ ନେଇ ଆସୁଥିଲେ। ଦୀର୍ଘ ସମୟ ଘରେ ରହୁଥିଲେ । ମୁଁ ଏନେଇ ଆବିଦ୍କୁ ଆକଟ କରିବାରୁ ସେ ମୋତେ ଗାଳିଗୁଲଜ କରିଥିଲା ବୋଲି ସଙ୍ଗିନ୍ ଆରୋପ ଲଗାଇଛନ୍ତି ମା’ ଶେଫାଳି ସୁନା।

ମର୍କତନଗର ଥାନାରେ ଶେଫାଳି ୯ ଜଣଙ୍କ ନାଁରେ ଏତଲା ଦେବାପରେ ଅଭିଯୁକ୍ତମାନଙ୍କ ଚିନ୍ତା ବଢ଼ିଛି। ହ୍ୟୁମାନଙ୍କ ମୃତ୍ୟୁ ପରେ ଲୁଚି ବୁଲୁଥିବା କେତେଜଣ ଅଭିଯୁକ୍ତ ଏବେ ନିଜକୁ ବଞ୍ଚାଇବା ପାଇଁ ନାନାଦି ଉଦ୍ୟମ ଆରମ୍ଭ କରିଛନ୍ତି । ଆଉ ଆଜି ସାଗର ସଂଗମ ଗ୍ରୁପ୍ର ମାଲିକ ଏମଡି ଆବିଦ ହଠାତ୍ ଗଣମାଧ୍ୟମ ଆଗରେ ମୁହଁ ଖୋଲି ସଫେଇ ଦେଇଛନ୍ତି। ହ୍ୟୁମାନଙ୍କ ମୃତ୍ୟୁ ପରଠୁ ବିଲକୁଲ୍ ଦେଖାନଥିବା ଆବିଦ୍ ଆସି ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ହ୍ୟୁମାନଙ୍କ ମାଆଙ୍କୁ ନ୍ୟାୟ ମିଳୁ ବୋଲି ଆବିଦ୍ କହିଛନ୍ତି ।

ଦୀର୍ଘଦିନ ହେବ ହ୍ୟୁମାନଙ୍କ ସହିତ ଜଡ଼ିତ ଥିଲେ ବି ତାଙ୍କର ଟଙ୍କାଟିଏ ରଖିନି। ସବୁ ପଇସା ପୈଠ କରିଛି। ହ୍ୟୁମାନଙ୍କୁ କେବେ ହଇରାଣ କରିନି। ତାଙ୍କ ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ । ପୁଲିସ ତା'ର ତଦନ୍ତ ଆରମ୍ଭ କରିଛି। ଏହି ତଦନ୍ତକୁ ମୁଁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି। ପୁଲିସ ଯଦି ଚାହିଁ ବ ତାହେଲେ ମୁଁ ମିଛ ଧରା ପରୀକ୍ଷା ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି ଆବିଦ୍।