ପୂରଣ ହେଲାନି ଗ୍ୟାସ୍ ଉତ୍ପାଦନ ଲକ୍ଷ୍ୟ, ରିଲାଏନ୍ସ ଏବଂ BPକୁ ୩୦ ବିଲିୟନ ଡଲାର କ୍ଷତିପୂରଣ ମାଗିଲେ ସରକାର: ରିପୋର୍ଟ

NEWS7
india-australia-sidny-test

ନୂଆଦିଲ୍ଲୀ: ଭାରତ ସରକାର ଦେଶର ସବୁଠାରୁ ବଡ଼ କର୍ପୋରେଟ୍ ହାଉସ୍ ମଧ୍ୟରୁ ଗୋଟିଏ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଏହାର ବ୍ରିଟିଶ ଅଂଶୀଦାର, ବିପି ବିରୋଧରେ ସବୁଠାରୁ ବଡ଼ ଦାବି କରିଛନ୍ତି। ଦେଶର ବିଭିନ୍ନ ଗଣମାଧ୍ୟମ ଏବଂ ରଏଟର୍ସର ରିପୋର୍ଟ ଅନୁଯାୟୀ, ସରକାର ଏକ ସ୍ୱତନ୍ତ୍ର ମଧ୍ୟସ୍ଥତା ମାମଲା ଅଧୀନରେ ଏହି କମ୍ପାନୀଗୁଡ଼ିକଠାରୁ ୩୦ ବିଲିୟନ ଡଲାରରୁ ଅଧିକ କ୍ଷତିପୂରଣ ଦାବି କରିଛନ୍ତି। ଏହି ମାମଲା କୃଷ୍ଣା ଗୋଦାବରୀ (KG) ବେସିନରେ ଥିବା D6 ବ୍ଲକରୁ ଗ୍ୟାସ ଉତ୍ପାଦନରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ସହିତ ଜଡିତ। ସରକାର ଅଭିଯୋଗ କରିଛନ୍ତି ଯେ, କମ୍ପାନୀଗୁଡ଼ିକ ପ୍ରତିଶ୍ରୁତି ଅନୁଯାୟୀ ଗ୍ୟାସ ଉତ୍ପାଦନ କରିବାରେ ବିଫଳ ହୋଇଛନ୍ତି । ଫଳରେ ଦେଶର ପ୍ରାକୃତିକ ସମ୍ପଦର କ୍ଷତି ହୋଇଛି।

ଏହି ବିବାଦ ଜଳ କୃଷ୍ଣା ଗୋଦାବରୀ ବେସିନରେ ଅବସ୍ଥିତ ଦୁଇଟି ପ୍ରମୁଖ ଗ୍ୟାସ କ୍ଷେତ୍ର, D1 ଏବଂ D3 ଉପରେ କେନ୍ଦ୍ରିତ। ୨୦୦୦ ମସିହାରେ ଏହି ପ୍ରକଳ୍ପ ରିଲାଏନ୍ସକୁ ଦିଆଯାଇଥିଲା । ରିଲାଏନ୍ସ ପ୍ରଥମେ ଆକଳନ କରିଥିଲା ଯେ, ଏହି କ୍ଷେତ୍ରଗୁଡ଼ିକରେ ପ୍ରାୟ ୧୦.୩ ଟ୍ରିଲିୟନ ଘନଫୁଟ (tcf) ଗ୍ୟାସ ରହିଛି। ଏହି ଆକଳନ ପରେ ୩.୧ tcf କୁ ହ୍ରାସ କରାଯାଇଥିଲା।  ସରକାର କହିଛନ୍ତି ଯେ, ଉତ୍ପାଦନ ଆରମ୍ଭ ହେବା ପୂର୍ବରୁ ରିଲାଏନ୍ସ ଯେଉଁ ଦାବି କରିଥିଲା ତାହା ବାସ୍ତବତାଠାରୁ ବହୁତ ଦୂରରେ। ସୂତ୍ର ଅନୁଯାୟୀ ସରକାର ଟ୍ରିବ୍ୟୁନାଲରେ ଯୁକ୍ତି ଦର୍ଶାଇଛନ୍ତି ଯେ, ରିଲାଏନ୍ସ ମୋଟ ଆନୁମାନିକ ଭଣ୍ଡାରର କେବଳ ୨୦% ଉତ୍ତୋଳନ କରିଛି। ଏହି ହ୍ରାସ ପ୍ରାକୃତିକ କାରଣ ଯୋଗୁଁ ନୁହେଁ, ବରଂ କମ୍ପାନୀଗୁଡ଼ିକର ଭୁଲ ପରିଚାଳନା ଯୋଗୁଁ ହୋଇଛି ବୋଲି ସରକାର ଅଭିଯୋଗ କରିଛନ୍ତି।

ଶୁଣାଣି ସମୟରେ ସରକାର କହିଥିଲେ ଯେ, ରିଲାଏନ୍ସ ଗ୍ୟାସ୍ ବାହାର କରିବା ପାଇଁ ‘ଅତ୍ୟନ୍ତ ଆକ୍ରମଣାତ୍ମକ’ ପଦ୍ଧତି ବ୍ୟବହାର କରିଥିଲା। ଯୋଜନାବଦ୍ଧ ୩୧ଟି କୂଅ ବଦଳରେ, କେବଳ ୧୮ଟି ବ୍ୟବହାର କରାଯାଇଥିଲା। ସରକାର ଯୁକ୍ତି ଦେଉଛନ୍ତି ଯେ, ପର୍ଯ୍ୟାପ୍ତ ଭିତ୍ତିଭୂମି ବିନା ଏବଂ କମ୍ କୂପରୁ ଅଧିକ ଗ୍ୟାସ୍ ବାହାର କରିବାକୁ ଚେଷ୍ଟା କରିବାରୁ, ଗ୍ୟାସ ଭଣ୍ଡାର କ୍ଷତିଗ୍ରସ୍ତ ହୋଇଛି। ଏହା ପାଣି ଲିକ୍ ଏବଂ ଚାପ ସମସ୍ୟା ସୃଷ୍ଟି କରିଥିଲା, ଯାହା ଫଳରେ ଅଧିକାଂଶ ଗ୍ୟାସ୍ ଭଣ୍ଡାର ସ୍ଥାୟୀ ଭାବରେ ଅକାମୀ ହୋଇଯାଇଛି। ଚୁକ୍ତି ଅନୁଯାୟୀ ଆବିଷ୍କୃତ ଗ୍ୟାସ ସରକାରଙ୍କ ମାଲିକାନାରେ ଥିବାରୁକମ୍ପାନୀଗୁଡ଼ିକ କ୍ଷତିପୂରଣ ଦେବା ଉଚିତ।

ଭାରତରେ ଏହି ଆଇନଗତ ଲଢ଼େଇ ୨୦୧୬ ମସିହାରୁ ଚାଲିଛି। ଏହି ମାମଲାର ସମାଧାନ ପାଇଁ ଏକ ତିନି ସଦସ୍ୟ ବିଶିଷ୍ଟ ଟ୍ରିବ୍ୟୁନାଲ ଗଠନ କରାଯାଇଛି। ରିପୋର୍ଟ ଅନୁଯାୟୀ, ମାମଲାର ଶୁଣାଣି ନଭେମ୍ବର ୭ ତାରିଖରେ ଶେଷ ହୋଇଥିଲା। ଆଶା କରାଯାଉଛି ଯେ, ଟ୍ରିବ୍ୟୁନାଲ ୨୦୨୬ ମଧ୍ୟଭାଗ ସୁଦ୍ଧା ତାଙ୍କର ନିଷ୍ପତ୍ତି ଶୁଣାଇବେ ।

ସେପଟେ ରିଲାଏନ୍ସ ପୂର୍ବରୁ କହିଛି ଯେ, ପାଣି ଲିକ୍ ଏବଂ ଭୂତାତ୍ତ୍ୱିକ ଜଟିଳତା ଉତ୍ପାଦନକୁ ପ୍ରଭାବିତ କରିଛି। ବର୍ତ୍ତମାନ, ରିଲାଏନ୍ସର ଜଣେ ମୁଖପାତ୍ର ମଧ୍ୟସ୍ଥତାକୁ ଗୋପନୀୟ ବୋଲି ଦର୍ଶାଇ ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। ବିପି ମଧ୍ୟ ନୀରବତା ବଜାୟ ରଖିଛି। ତେବେ ଏହି ବିଷୟ କେବଳ ଦୁଇଟି କମ୍ପାନୀ ଏବଂ ସରକାରଙ୍କ ମଧ୍ୟରେ ଆର୍ଥିକ କାରବାର ବିଷୟରେ ନୁହେଁ, ବରଂ ଏହା ଦେଶର ଶକ୍ତି ଆବଶ୍ୟକତା ସହ ମଧ୍ୟ ଜଡ଼ିତ ।ଯେତେବେଳେ ପ୍ରକଳ୍ପ ଆରମ୍ଭ ହୋଇଥିଲା, ଏହା ଇନ୍ଧନ ଆମଦାନୀ ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବ ବୋଲି ଆଶା କରାଯାଉଥିଲା। ଉତ୍ପାଦନରେ ଏହି ତୀବ୍ର ହ୍ରାସ କେବଳ ସରକାରଙ୍କ ରାଜସ୍ୱକୁ ପ୍ରଭାବିତ କରିନାହିଁ ବରଂ ଏହାର ଶକ୍ତି ସୁରକ୍ଷା ଲକ୍ଷ୍ୟକୁ ମଧ୍ୟ ବିପଦରେ ପକାଇଛି। ୨୦୧୧ ମସିହାରେ, ରିଲାଏନ୍ସ ବିବାଦୀୟ KG-D6 ବ୍ଲକ ସମେତ ୨୧ଟି ତୈଳ ଏବଂ ଗ୍ୟାସ ବ୍ଲକ୍ର ୩୦% ଅଂଶଧନ BPକୁ ୭.୨ ବିଲିୟନ ଡଲାରରେ ବିକ୍ରି କରିଥିଲା।