ମନମୋହନ ସିଂହଙ୍କ ସଂସ୍କାର ଭାରତକୁ ୩୦ ବର୍ଷର ଅର୍ଥନୈତିକ ଅଭିବୃଦ୍ଧି ପଥରେ ନେଇଛି: ଆଞ୍ଜେଲା ମର୍କେଲ

NEWS7
india-and-west-indies-cricketers-to-net-practice-today

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂହଙ୍କ ଅର୍ଥନୈତିକ ସଂସ୍କାରକୁ ଭୂୟସୀ ପ୍ରଶଂସା କରିଛନ୍ତି ଜର୍ମାନ ଚାନ୍ସଲର ଆଞ୍ଜେଲା ମର୍କେଲ । ଗୁରୁବାର ଏକ କାର୍ଯ୍ୟକ୍ରମରେ ପୂର୍ବତନ ଜର୍ମାନ ଚାନ୍ସଲର ଆଞ୍ଜେଲା ମର୍କେଲ କହିଛନ୍ତି, ଭାରତରେ ଆର୍ଥିକ ଅଭିବୃଦ୍ଧି ଏବଂ ପ୍ରଗତି ପାଇଁ ପ୍ରଚୁର ସମ୍ଭାବନା ରହିଛି । ଦିଲ୍ଲୀରେ ପ୍ରଥମ ଡକ୍ଟର ମନମୋହନ ସିଂହ ସ୍ମାରକୀ ବକ୍ତୃତା ଅବସରରେ ଆଞ୍ଜେଲା ମର୍କେଲ କହିଛନ୍ତି ଯେ, ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହେବା ସତ୍ତ୍ୱେ, ଭାରତ ଗତ କିଛି ବର୍ଷ ମଧ୍ୟରେ ୫ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାର ରେକର୍ଡ କରିଛି ।

ମନମୋହନ ସିଂହଙ୍କ ଅର୍ଥମନ୍ତ୍ରୀତ୍ବ କାଳରେ ତାଙ୍କର ଅବଦାନକୁ ମନେ ପକାଇଛନ୍ତି ମର୍କେଲ କହିଛନ୍ତି । ୧୯୯୧ ରୁ ୧୯୯୬ ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ଭାବରେ, ଯେତେବେଳେ ଭାରତ ଏକ ଗମ୍ଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିଲା ମନମୋହନ ସିଂହ ‘ସାହସିକ ସଂସ୍କାର’ ଆରମ୍ଭ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ, ମନମୋହନ ସିଂହ ବୈଦେଶିକ ମୁଦ୍ରାକୁ ସରଳ କରିଥିଲେ । ବିଦେଶୀ ନିବେଶକଙ୍କ ପାଇଁ ଭାରତର ବଜାର ଖୋଲିଥିଲେ । ସେତେବେଳେ ମନମୋହନ ସିଂହଙ୍କ ପ୍ରୟାସକୁ ପ୍ରଶଂସା କରି ପୂର୍ବତନ ଜର୍ମାନ ଚାନ୍ସଲର କହିଛନ୍ତି, ‘ଏହି ପ୍ରୟାସ ତାଙ୍କୁ ଅର୍ଥନୀତିକୁ ସ୍ଥିର କରିବାରେ ସାହାଯ୍ୟ କରିଥିଲା। ଏହି ସଂସ୍କାରଗୁଡ଼ିକ ଭାରତକୁ ପ୍ରାୟ ୩୦ ବର୍ଷର ଆର୍ଥିକ ପ୍ରଗତି ଦେଖିବା ସମ୍ଭବ କରିଥିଲା।’

ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନମ୍ର ସ୍ବଭାବରୁ ଆରମ୍ଭ କରି ଦେଶର ନେତୃତ୍ୱ ନେବା ପର୍ଯ୍ୟନ୍ତ ତାଙ୍କ ପ୍ରେରଣାଦାୟୀ ଜୀବନକୁ ମଧ୍ୟ ମନେ ପକାଇଛନ୍ତି । ମର୍କେଲ ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA)କୁ ମଧ୍ୟ ପ୍ରଶଂସା କରିଛନ୍ତି । ଏହି ଚୁକ୍ତିନାମା ପଛରେ ତାଙ୍କର ହାତ ଥିଲା ବୋଲି କହିଛନ୍ତି ମର୍କେଲ । ସେ ଏହା ମଧ୍ୟ କହିଛନ୍ତି ଯେ, ଦୀର୍ଘ ଆଲୋଚନା ପରେ ଭାରତ ଏବଂ EU ମଧ୍ୟରେ ଏକ FTA ଘୋଷଣା ହୋଇଥିବା ଦେଖି ସେ ଖୁସି ।

ମର୍କେଲ କହିଛନ୍ତି, ‘ମୁଁ ୟୁରୋପୀୟ ୟୁନିୟନ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ ବହୁତ ଖୁସି । କାରଣ ମୁଁ ଏହାର ଏକ ଅଂଶ ଥିଲି। ଭାରତରେ ପ୍ରକୃତରେ ବହୁତ ସମ୍ଭାବନା ଏବଂ ଉଜ୍ଜ୍ୱଳ ଭବିଷ୍ୟତ ରହିଛି।’ ପୂର୍ବତନ ଚାନ୍ସଲର ତାଙ୍କ ଅଭିଭାଷଣ ସମୟରେ ରାଜନୈତିକ ବିଷୟଗୁଡ଼ିକ ଉପରେ ବିସ୍ତୃତ ଭାବରେ କିଛି କହି ନାହାନ୍ତି । ସେ କହିଛନ୍ତି, ୨୦୦୪ ମସିହାରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ସମୟରେ ଭାରତର ମୁଣ୍ଡପିଛା ଘରୋଇ ଆୟ ୬୨୪ ଆମେରିକୀୟ ଡଲାର ଥିଲା । କିନ୍ତୁ ୨୦୧୪ ମସିହାରେ ସେ ଦାୟିତ୍ୱ ଛାଡିବା ସମୟରେ ଏହା ଅଢ଼େଇ ଗୁଣ ବୃଦ୍ଧି ପାଇ ୧୫୫୩ ଆମେରିକୀୟ ଡଲାର ହୋଇଯାଇଥିଲା।