LIVE TV

ଅଛୁଆଁ ହୋଇଗଲାବୋଲି ନେଲାନି ମା', ଶେଷରେ କପିଳାସ ଗଲା ହାତୀଛୁଆ

NEWS7
illegal-relations-led-to-death-sister-in-law-burnt-brother-in-law-with-kerosene-oil

ଅନୁଗୁଳ ୧୭/୧୧: ମାଆ ଛାଡିଦେଲା ହାତ । ମଣିଷ ଛୁଇଁଦେଲା ବୋଲି ଆଉ ନେଲାନି । କୁନି ଛୁଆଟି କଥା ସିନା କହିପାରୁନି, ବୋଲରେ ବହୁତ କିଛି ବଖାଣୁଥିଲା । ମନର ଅକୁହା କଥାକୁ ଚାପି ପାରୁନଥିଲା । ଆଖିରୁ ଲୁହ ଝରାଇ ଖୋଜିବୁଲୁଥିଲା ମାକୁ । ଜଙ୍ଗଲରେ ଏଣେ ତେଣେ ବୁଲିବା ପରେ କୋଳେଇ ନେଇଥିଲା ବନବିଭାଗ । ହେଲେ ଏବେ ବଦଳିଯାଇଛି ତାର ଠିକଣା । ତାର ନୂଆ ଠିକଣା ଏବେ କପିଳାସ ରେସ୍କ୍ୟୁ ସେଣ୍ଟର ।

ଅନୁଗୁଳରୁ ଉଦ୍ଧାର ହାତୀଛୁଆ ଏବେ ଯାଇଛି କପିଳାସ । ବନ ବିଭାଗ ପାଖରେ ବେଶ କିଛି ଦିନ ରହିଯାଇଥିଲା ହାତୀ ଛୁଆ । ମନ ବି ରହିଯାଇଥିଲା ତାର । କାରଣ ପରିବାର ପରି ପାଇଥିଲା ସ୍ନେହ ଆଦର । ଖୁଆଇଦେଉଥିଲେ ହାତରେ, ଗେଲ କରୁଥିଲେ ବାବୁ । ଏବେ କିନ୍ତୁ ସେ ଅଲଗା ହେଲା । ଆଉ ନା ମିଳିବ ସେପରି ମମତା । ହୁଏତ ନୂଆ ସାଥୀ ମିଳିବେ କିନ୍ତୁ ସେମିତି ଭଲପାଇବାକୁ ସେ ଝୁରିବ । ଆଉ ଏସବୁ କଥା ଭାବି ଓଦା ହୋଇଯାଉଥିଲା ଆଖି । ଭାରି ହୋଇଯାଉଥିଲା ହୃଦୟ ।

ଏକଥା ଆମେ କହୁନୁ ବରଂ ହାତୀଛୁଆ ସ୍ଥାନାନ୍ତର ସମୟର ଦୃଶ୍ୟ ଥିଲା ସେମିତି । ଅନୁଗୁଳ ଶ୍ୟାମସୁନ୍ଦରପୁରରୁ ଉଦ୍ଧାର ହୋଇଥିବା ହାତୀଛୁଆ କପିଳାସ ରେସକ୍ୟୁ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି । ଲାଗୁଥିଲା ତାର ଏହିସ୍ଥାନ ଛାଡି ଯିବାକୁ ଇଛା ନଥିଲା । ବେଶ୍ ଭାବ ବିହ୍ଵଳ ହୋଇଥିଲେ ତାର ନଅ ଦିନ ଧରି ଚିକିତ୍ସା କରୁଥିବା ବନ ବିଭାଗର କର୍ମଚାରୀ । ବନ ବିଭାଗ ହାତୀଛୁଆ କୁ ବହୁବାର ଚେଷ୍ଟା କରିଥିଲା ତା ମାଆ ହାତୀ ଆଉ ଦଳ ସହ ମିଶାଇବା ପାଇଁ । କିନ୍ତୁ ଦଳ ଗ୍ରହଣ ନକରିବା ପରେ ତାକୁ କପିଳାସ ପଠାଯାଇଛି ।

ଏକ ସ୍ଵତନ୍ତ୍ର ଗାଡ଼ିରେ ମୋବାଇଲ ଭେଟନାରୀ ୟୁନିଟ ସହିତ କପିଳାସ ଯାଇଛି । ସେଠି ସେ ୨୪ ଘଣ୍ଟିଆ ନିରୀକ୍ଷଣ ରେ ରହିବ ବୋଲି ଅନୁଗୁଳ ବନଖଣ୍ତ ଅଧିକାରୀ ନୀତିଶ କୁମାର ସୂଚନା ଦେଇଛନ୍ତି ।ସୂଚନାଥାଉକି, ମନ୍ଦରଗିରି ପାହାଡ଼ରେ ରହୁଥିବା ଏକ ୨୨ ଟିକିଆ ହାତୀପଲ ଗତ ୭ ତାରିଖ ରାତିରେ ଅନୁଗୁଳ ବ୍ଲକ୍ ସରଧାପୁର ଶ୍ୟାମସୁନ୍ଦରପୁର ଇଲାକାରେ ବ୍ୟାପକ ଧାନଫସଲ ନଷ୍ଟ କରିଥିଲେ ।

ଏହି ସମୟରେ ଧାନ ବିଲରେ ପ୍ରାୟ ୧୫ ଦିନର ଏକ ହାତୀ ଛୁଆ କାଦୁଅରେ ଫସିଯାଇଥିଲା । ସକାଳ ହେବାରୁ ଛୁଆକୁ ଛାଡ଼ି ହାତୀପଲ ଚାଲିଯାଇଥିଲେ । ସକାଳେ ବନ ବିଭାଗ ହାତୀଛୁଆକୁ ଉଦ୍ଧାର କରିବା ସହ ଅସୁସ୍ଥ ଥିବାରୁ କୁଲାସିଂହା ନର୍ସରୀରେ ଚିକିତ୍ସା କରାଇଥିଲା । ହାତୀଛୁଆର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ୮ ତାରିଖ ରାତିରେ ହାତୀ ଦଳକୁ ଫେରାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲା ।

୯ ତାରିଖରେ ଡ୍ରୋନ୍ ଉଡ଼ାଇ ହାତୀପଲର ଅବସ୍ଥିତି ଅନୁଧ୍ୟାନ କରିବା ପରେ ପୁନର୍ବାର ହାତୀଛୁଆକୁ ଦଳରେ ମିଶାଇବାକୁ ପ୍ରୟାସ କରାଯାଇଥିଲା । ଛୁଆ ଦେହରେ ହାତୀ ମଳ ଲଗାଇ ଦଳ ପାଖକୁ ଛଡ଼ାଯାଇଥିଲା । ହେଲେ ମା’ ହାତୀ ଛୁଆକୁ ଗ୍ରହଣ ନ କରିବାରୁ ହାତୀ ଛୁଆକୁ କୁଲାସିଂହା ନର୍ସରୀକୁ ଫେରାଇ ଅଣାଯାଇଥିଲା ।